Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gold Rate / କାହିଁକି ବଢୁଛି ସୁନା ଦର ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·5 min read
କାହିଁକି ବଢୁଛି ସୁନା ଦର ?
Gold

Key Points

ସୁନା ଦର କାହିଁକି ବଢୁଛି, କଣ କାରଣ? || ସୁନା ଖଣିରୁ ସୁନା ସରିଗଲାଣି ! || ନା ଆମେ ଅଧିକ ସୁନା କିଣି ଗଚ୍ଛିତ ରଖିବାରୁ ସୁନା ଭାଉ ବଢୁଛି ! ||  ଆସନ୍ତୁ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବା 

ସୁନା, ନାରୀ ଶୃଙ୍ଗାରର ଆଧାର, ସେ ସଜେଇ ହେବାକୁ ହେଉ କି ଆଭିଜାତ୍ୟର ଆଲମିରାରେ ସାଇତିବାକୁ, ସୁନା ପ୍ରତି ମହିଳା ମାନଙ୍କର କାଳେକାଳେ ରହିଛି ଆବେଗ, ଗରିବ ପାଇଁ ସୁନା ସ୍ବପ୍ନ, ଧନୀ ପାଇଁ ସୁନା ସମୃଦ୍ଧି, ସୁନା ସାତ ପିଢ଼ି ପାଇଁ ସମ୍ପତ୍ତି, ପୁରୁଷଙ୍କ ପାଇଁ ଷ୍ଟାଟସ, ମହିଳାଙ୍କ ପାଇଁ ଶିରୀ। ସୁନା କେବଳ ବିତ୍ତଶାଳୀଙ୍କ ପରିଚୟ ନୁହେଁ, ଏହା ଲକ୍ଷ୍ମୀଙ୍କର ପ୍ରତୀକ ।

ସୁନାର ଲୋଭରେ ପଡି ସେଦିନ ମାତା ସୀତା ବି ରାବଣର ମାୟା ଜାଲରେ ପଡି ଯାଇଥିଲେ। ଚିନ୍ତା କରନ୍ତୁ ଜଙ୍ଗଲରେ ଏତେ ହରିଣ ଥାଉଥାଉ ସୁନା ହରିଣ ହିଁ ତାଙ୍କୁ ଏତେ ଲୋଭାତୁର କରିଥିଲା କାହିଁକି । ସେତେବେଳେ ସୁନା ପାଇଁ ସୀତା ଲକ୍ଷ୍ମଣ ରେଖା ଡେଇଁଥିଲେ, ଏବେ ସୁନା ମୂଲ୍ୟ ଡେଉଁଛି ସୀମାରେଖା । ସୁନାଦର କାହିଁକି ବଢୁଛି, କଣ କାରଣ? ସୁନା ଖଣିରୁ ସୁନା ସରିଗଲାଣି, ନା ଆମେ ଅଧିକ ସୁନା କିଣି ଗଚ୍ଛିତ ରଖିବାରୁ ସୁନା ଭାଉ ବଢୁଛି, ଆସନ୍ତୁ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବା 


ବିଶ୍ବରେ ସର୍ବାଧିକ ସୁନା ବ୍ୟବହାର କରୁଥିବା ଦେଶ ତାଲିକାରେ ଭାରତ ଦ୍ବିତୀୟ। ପ୍ରଥମରେ ଥିବା ଚୀନରେ ବାର୍ଷିକ ହାରାହାରି ୯୮୪ ଟନ ସୁନା କିଣାବିକା ହୋଇଥାଏ। ଆମ ଦେଶରେ କାରବାର ହୁଏ ୮୦୦ ଟନ୍। ଆମେରିକା ପରି ସମୃଦ୍ଧ ଓ ବିତ୍ତଶାଳୀ ରାଷ୍ଟ୍ରର ବାର୍ଷିକ ସୁନା କାରବାର ୧୬୦ ଟନ୍। ଆମ ଦେଶରେ ବର୍ଷକୁ ପାଖାପାଖି ୧ କ୍ବିଣ୍ଟାଲ ସୁନା ଉତ୍ପାଦନ କରୁ। ବାକିସବୁ ବାହାରୁ କିଣୁ। ତାହା ସହ ଆମର ବିଦେଶୀ ମୁଦ୍ରା ଭଣ୍ଡାରର ଏକ ବିରାଟ ଅଂଶ ସୁନା କିଣାରେ ଯାଇଥାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାରା ପୃଥିବୀରେ ଯେତିକି ସୁନା ରହିଛି ତାର ୧୧ ପ୍ରତିଶତ କେବଳ ଭାରତୀୟ ଗୃହିଣୀମାନଙ୍କ ପାଖରେ । ଯାହା ଆମେରିକା, ସ୍ବିଜରଲ୍ୟାଣ୍ଡ, ଜର୍ମାନ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରେ ଗଚ୍ଛିତ ଥିବା ସୁନା ଠାରୁ ଅଧିକ। ଭାରତ ଆମଦାନୀ କରୁଥିବା ମୋଟ ସୁନାର ୫୦ ପ୍ରତିଶତ ବିବାହ କାର୍ଯ୍ୟେରେ ଲାଗେ। ଆମ ଦେଶରେ ବର୍ଷକୁ ପ୍ରାୟ ଦେଢ କୋଟି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। କି ଧନୀ କି ଗରିବ, ସତେ ଯେମିତି ସୁନା ବିନା ଗୋଟିଏ ବି ବାହାଘର ସମ୍ଭବ ନୁହେଁ। ଆମ ଦେଶରେ ୬୫ ଭାଗ ପରିବାର ନିଜ ଘରେ ସୁନା ରଖିଥାନ୍ତି। ଏକ ତଥ୍ୟ କହୁଛି ଆମ ଦେଶର ପରିବାର ଓ ମନ୍ଦିର ଗୁଡିକରେ ୨୦ ହଜାର ଟନ୍ ସୁନା ରହିଛି। ଏହାର ବିଶାଳତା ବୁଝି ପାରୁଛନ୍ତି ତ ।

ଆଉ ଟିକେ ସ୍ପଷ୍ଟ କଲେ ଅଧିକ ବୁଝି ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ରହିଛି ମାତ୍ର ୩୬୦ ଟନ୍ ସୁନା। ଆମେରିକାରେ ଗହଣା ପାଇଁ ମୁଖ୍ୟତଃ ୧୦,୧୨,୧୪,୧୮ କିମ୍ବା ୨୧ କ୍ୟାରେଟର ସୁନା ବ୍ୟବହାର ହେଉଥିବା ବେଳେ ଆମ ଦେଶରେ ୨୨ କ୍ୟାରେଟ ସୁନାର ଚାହିଦା ସର୍ବାଧିକ। ଭାରତୀୟମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ସୁନା ଉପହାର ଦେଇଥାନ୍ତି। ଆମ ରାଜ୍ୟରେ ବି ବାହା ପୁନେଇରେ ସୁନା ବନ୍ଦାଣର ପ୍ରଥା ରହିଛି।

ହେଲେ ଏବେ ସୁନା ଖାଲି ଆଭୂଷଣ ପାଇଁ ନୁହେଁ , ସୁନା ନିବେଶର ଏକ ବଡ ଅଂଶ ସାଜିଛି। ସୁନାରେ ନିବେଶ ପାଇଁ ବଡବଡ ଦେଶ ବଡବଡ କମ୍ପାନୀ ଆହ୍ବାନ ଦେଉଛନ୍ତି

ଭାରତ ଅପେକ୍ଷା ଆମେରିକା ସୁନା ଭଣ୍ଡାରରେ ଦଶ ଗୁଣା ଅଧିକ ସୁନା ରହିଛି। ଯାହା ଚୀନ ତୁଳନାରେ ୩ ଗୁଣା ଅଧିକ । ୨୦୨୪ ଡବ୍ଲୁଜିସି ଡାଟା କୁହେ ଆମେରିକା ପାଖରେ ୮ ହଜାର ୧୩୩ ଟନ ସୁନା ମହଜୁଦ ରହିଛି।

ଦ୍ବିତୀୟ ସ୍ଥାନରେ ଥିବା ଜର୍ମାନୀ ପାଖରେ ୩ ହଜାର ୩୫୧ ଟନ ସୁନା ମହଜୁଦ ରହିଛି। ସେପଟେ ଇଟାଲୀ ରହିଛି ତୃତୀୟ ସ୍ଥାନରେ , ଇଟାଲୀ ପାଖରେ ୨ ହଜାର ୪୫୧ ଟନ୍ ସୁନା ଷ୍ଟକ ଅଛି। ଫ୍ରାନ୍ସ ପାଖରେ ୨ ହଜାର ୪୩୬ ଟନ, ଚୀନ ପାଖରେ ୨ ହଜାର ୨୬୪ ଟନ, ସ୍ବିଜରଲାଣ୍ଡ ପାଖରେ ୧୦୩୯ ଟନ ସୁନା ରହିଥିବା ବେଳେ ତାଲିକାର ସପ୍ତମରେ ରହିଛି ଭାରତ ।

ଆନ୍ତର୍ଜାତୀୟ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସୁନା କିଣା ବଢାଇଛି। ଭାରତ ରିଜର୍ଭ ବ୍ୟାଙ୍କ ସୁନା ଭଣ୍ଡାର ଏବେ ୯୦୦ ଟନ ପାର୍ କରିଛି। ସୁନା ଦର ହୁହୁ ହୋଇ ବଢିବା ପଛର ମୁଖ୍ୟ କାରଣ ହେଉଛି ଚୀନ। ଚୀନ ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ମୁଦ୍ରାସ୍ପିତି ଓ ବିନିମୟ ମୂଲ୍ୟରେ ଅସ୍ଥିରତତାରୁ ମୁକୁଳିବାକୁ ନିଜ ଦେଶରେ ସୁନାରେ ଅଧିକ ବିନିଯୋଗ କରିବାକୁ ଆହ୍ୱାନ ଦେଉଛି

ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ ବ୍ୟାଙ୍କ ଅଫ ଚାଇନା, PBOC ଦୀର୍ଘ ଛ ମାସ ପରେ ନଭେମ୍ବରରୁ ପୁଣି ସୁନା କିଣିବା ଆରମ୍ଭ କରିଛି, ଏମିତିରେ 2023 ମସିହାରେ ବିଶ୍ୱରେ ସବୁଠୁ ଅଧିକ ସୁନା କିଣିଥିଲା PBOC , କୁହାଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଜିତିବା ପରେ ଚୀନକୁ ଛନକା ପଶିଛି। ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଘୋଷଣା କରିଥିଲେ, ଚୀନରୁ ଆସୁଥିବା ସାମଗ୍ରୀ ଉପରେ ଅଧିକ କର ଲଗାଇବାକୁ, ଯାହାଦ୍ବାରା ଚୀନର କମ୍ପାନୀ ମାନେ ପ୍ରଭାବିତ ହେବେ। ଏବେ ତାକୁ ନେଇ ଏକ ବିକଳ୍ପ ବାଟ ବାହାର କରିଛି ଚୀନ । ବିଦେଶୀ ମୁଦ୍ରା ଡଲାର ଉପରେ ନିର୍ଭର ନ କରି ସୁନାରେ କ୍ଷତି ଭରଣା କରିବାକୁ ବ୍ୟବସ୍ଥା କରୁଛି ଚୀନ।

ଆପଣଙ୍କୁ ଆଉ ଗୋଟେ କଥା ମଧ୍ୟ ଆଶ୍ଚର୍ଯ୍ୟ କରିପାରେ, ଚୀନରେ ଏବେ ଯୁବ ପୀଢି ଟଙ୍କା ବଦଳରେ ଗୋଲଡ ବିନସ କିଣୁଛନ୍ତି। ଯାହା ଦେଖିବାକୁ ଗୋଟେ ପ୍ରକାର ସୁନାର ଗୁଲି ଭଳି। ଗୋଟେ ବିନସ ଗୋଟେ ଗ୍ରାମ , ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୫୦୦୦ ରୁ ୮୦୦୦ ଟଙ୍କା । ଚାକିରିଆ, ବ୍ୟବସାୟୀ ଚାଇନା ଟଙ୍କା ବା ୟୁଆନ ବଦଳରେ ସୁନା କିଣି ସେଭିଂ କରୁଛନ୍ତି।

ଯାହା ତାଙ୍କୁ ଆଗକୁ ଅଧିକ ଲାଭ ଦେବ। ଡଲାର ତୁଳନାରେ ୟୁଆନ ମୂଲ୍ୟ ଯେବେ ଅଧିକ ହ୍ରାସ ହେବ। ସେମାନେ ସଞ୍ଚିତ ବିନସର ଉପଯୋଗ କରିବେ। ଗତ ନେଭମ୍ବରରୁ ( PBOC ) ପୁଣି ସୁନା କିଣିବା ଆରମ୍ଭ କରିବାରୁ ଏପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣା ପରିମାଣ ବଢାଇ ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ନଭେମ୍ବର ମାସରେ ୮ ଟନ ସୁନା କିଣିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁଇ ତିନିଟି କାରଣ ପାଇଁ ସୁନା ଦର ବଢୁଛି। ଏକ ଦେଶଗୁଡିକ ପରସ୍ପର ସହ ପ୍ରତିଯୋଗିତା କରି ଅଧିକ ସୁନା କିଣିବାରେ ମାତିଛନ୍ତି । ଦୁଇ - ଯୁଦ୍ଧ । ଗତ ଅକ୍ଟୋବରରେ ଇରାନ, ଇସ୍ରାଏଲ ଉପରେ ମିସାଇଲ ମାଡ କରିବା ପରେ ପରେ ତତକ୍ଷଣାତ ବିଶ୍ବ ବଜାରରେ ବଢିଯାଇଥିଲା ସୁନା ଦର ।

୨୦୨୨ ଫେବୃୟାରୀରେ ଋଷ ୟୁକ୍ରେନ ବିବାବ ବି ସୁନାର ଭାଉ ବଢାଇ ଦେଇଥିଲା । ଆମେରିକୀୟ ଫେଡେରାଲ ରିଜର୍ଭର ମୁଦ୍ରା ନୀତି ମଧ୍ୟ ସୁନା ଦର ଅନ୍ୟତମ କାରଣ। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ସିଧାସଳଖ ସୁନା ଦରରେ ପ୍ରଭାବ ପକାଏ । ଟଙ୍କା ତୁଳନାରେ ଡଲାର ଯେତେ ଶକ୍ତିଶାଳୀ ହୁଏ ସୁନାର ମୂଲ୍ୟ ସେତେ ଅଧିକ ବଢେ


ୱାର୍ଲ୍ଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ଦ୍ୱାରା ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ଭାରତୀୟ ଲୋକମାନଙ୍କ ପାଖରେ ୨୫ ହଜାର ଟନ୍ ସୁନା ଥାଇପାରେ। ଏହି ସୁନା ଯଦି ବଜାରକୁ ଆସେ ତାହେଲେ ସୁନା ଆମଦାନୀ ଓ ଦର ଉଭୟ ହ୍ରାସ ପାଇଯିବ କିନ୍ତୁ ଆମର ଏ ଧାତୁ ପ୍ରତି ଥିବା ଆକର୍ଷଣକୁ ଦେଖିଲେ ଏହା ସମ୍ଭବ ଲାଗୁନି।

ବିବାହ ଋତୁ, ଅକ୍ଷୟ ତୃତୀୟା, ଧନତେରସ, ଦୀପାବଳିରେ ସୁନାର ଚାହିଦା ସବୁଠୁ ଅଧିକ। ୨୦୨୪ ଧନତେରସରେ ତ ଭାରତରେ ୩୫ ଟନ ସୁନା ବିକ୍ରି ହୋଇଥିଲା । ସେୟାର ବଜାରରେ ନିବେଶରେ ରିସ୍କ ରହୁଥିବାରୁ ଅନେକ ସୁନାରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି। ଯାହା ଦର ବୃଦ୍ଧିର ଅନ୍ୟତମ କାରଣ


ଆସନ୍ତୁ ବିଗତ କିଛି ବର୍ଷର ସୁନା ଦରର ପରିସଂଖ୍ୟାନ ଉପରେ ନଜର ପକାଇବା। ୧୯୬୪ରେ ସୁନା ଦର ୧୦ ଗ୍ରାମ ପିଛା ୬୩ ଟଙ୍କା ଥିବାବେଳେ ୧୯୭୪ରେ ଏହା ୫୦୬ ଟଙ୍କାକୁ ବୃଦ୍ଧି ପାଇଥିଲା। ୮୪ରେ ୧୯୭୦, ୯୪ରେ ୪୬୦୦, ୨୦୦୪ରେ ୫୮୫୦ , ୨୦୧୪ରେ ୨୮ ହଜାର ଟଙ୍କାରେ ପହଞ୍ଚିଥିଲା ସୁନା ଦର।

ତାପରେ ଏହା ଆଶାତୀତ ଭାବେ ବୃଦ୍ଧି ପାଇ ୨୦୨୪ ବେଳକୁ ୭୭ ହଜାର ୯୨୦ ଟଙ୍କାରେ ପହଞ୍ଚିଥିଲା। ଆଉ ଏବେ ଏହା ୭୯ ହଜାର୨୦୦ ଟଙ୍କା। ଏସବୁ ଦର ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ଦର। ଏ ଧାରା ଯଦି ଆଗକୁ ଜାରି ରହେ ତାହେଲେ ଦୁଇତିନି ବର୍ଷ ଭିତରେ ଏ ଚିକିମିକିଆ ହଳଦିଆ ଧାତୁର ଦର ଲକ୍ଷେ ଡେଇଁଯିବା କିଛି ଅସମ୍ଭବ ନୁହେଁ

Related Topics

Explore more stories

Sponsored
Why is gold price rising? | Argus News