ଭାରତରେ କାହିଁକି ବଢୁଛି ଡିଭୋର୍ସର ସଂଖ୍ୟା

Key Points
ଝିଅ ତମ ବାହାଘର ହେଇନି କି ?
ଏଜ୍ କେତେ ହେଲାଣି ?
ଏତେ ଏଜ୍ ହେଲାଣି ବାହା ହେଇନ ?
ପୁଅ ମିଳୁ ନାହାନ୍ତି ?
ନା କେଉଁଠି ଚକ୍କର ଚାଲିଛି ?
ଆଜିକା ସମୟରେ ଝିଅକୁ ୩୦ କି ୩୨ ହେଇଗଲେ, ଏମିତି କିଛି ପ୍ରଶ୍ନ ନିହାତି ସାମ୍ନା କରିବାକୁ ପଡୁଛି। ସହରରେ ରହୁଥିଲେ ଗୋଟେ ପ୍ରକାର ଗାଁକୁ ଆସିଲେ ମୁଣ୍ଡ ଜାମ୍ । କେବେ ବାହା ହେବ କେବେ ମା ହେବ, ତାକୁ ନେଇ ଲମ୍ବା ପ୍ରଶ୍ନର ତାଲିକା।
ପୂର୍ବରୁ ୩୦ ବର୍ଷ ଭିତରେ ଝିଅ ବାହା ନହୋଇଥିଲେ ତାକୁ ଗୋଟେ ହୀନ ଦୃଷ୍ଟିରେ ଦେଖାଯାଉଥିଲା। ଭାଗ୍ୟର ବିଡମ୍ବନା ବୋଲି କୁହାଯାଉଥିଲା। ହେଲେ ଏବେ ସମୟ ବଦଳିଛି। ଝିଅଙ୍କୁ ସ୍ବାଧୀନତା ମିଳିଛି। ଶୀଘ୍ର ବିବାହ କରି ପାରିବାରିକ ବନ୍ଧନରେ ବାନ୍ଧି ହେବା ଅପେକ୍ଷା ବ୍ୟକ୍ତିଗତ ବିକାଶ, ଆର୍ଥିକ ସ୍ୱାଧୀନତା ଏବଂ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି।
ତେବେ ଏହାରି ଭିତରେ ଆଉ ଗୋଟେ କଥା ମଧ୍ୟ ଲକ୍ଷ କରାଯାଉଛି, ପୂର୍ବ ଅପେକ୍ଷା ଏବେ ବିବାହ ବିଚ୍ଛେଦ ବଢିଛି। କୋଡିଏ ୨୫ ବର୍ଷ ତଳେ ୧୦୦୦ ବିବାହରୁ ମାତ୍ର ୭ ଟି ବିବାହ ବିଚ୍ଛେଦ ହେଉଥିଲା। ହେଲେ ଏବେ ୧୦୦ରେ ଗୋଟିଏ ବିବାହ ବିଚ୍ଛେଦ ହେଉଛି। ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍। କାରଣ ଆମେରିକା, ସ୍ବିଡେନ୍,ଋଷରେ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବିବାହ ବିଚ୍ଛେଦ ହୁଏ। ଅର୍ଥାତ୍ ସେଠି ଯଦି ୧୦୦ ଟି ବାହାଘର ହେଉଛି, ସେଥିରୁ ୪୦ ରୁ ଅଧିକ ଡିଭୋର୍ସ ହେଉଛି। ଆମ ଦେଶରେ ଏହା ବହୁତ କମ୍। ମାତ୍ର ୧ ପ୍ରତିଶତ। ତଥାପି ଏହା ଆମ ଦେଶ ପାଇଁ ଚିନ୍ତା ଜନକ। କାରଣ ଆମ ସଂସ୍କୃତି ଆମ ପରମ୍ପରାରେ ବିବାହ ବିଚ୍ଛେଦକୁ ସହଜରେ ଗ୍ରହଣ କରାଯାଏ ନାହିଁ।
ସେପଟେ ବିଶେଷଜ୍ଞ ମାନେ ମତ ରଖୁଛନ୍ତି, ବ୍ୟକ୍ତି ସ୍ବାଧୀନତା ପାଇଁ ଏବେ ବିବାହ ବିଚ୍ଛେଦ ଅଧିକ ବଢୁଛି। ବିଶେଷ କରି ମହିଳାମାନେ ଆର୍ଥିକ ସ୍ବାଧୀନତା ପାଇବାରୁ, ଛୋଟଛୋଟ କଥାକୁ ସମାଧାନ ନକରି ବିବାହ ବିଚ୍ଛେଦ ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଗାଁ ଅପେକ୍ଷା ଡିଭୋର୍ସ ବେଶି ଭାରତର ବଡବଡ ସହରରେ ହେଉଛି।
ଆର୍ଥିକ ଅଗ୍ରସର ଓ ଶିକ୍ଷିତ ଦମ୍ପତି ଚୁପ୍ ଚାପ୍ ସହିବା ପରିବର୍ତ୍ତେ ସମ୍ପର୍କ ଶେଷ କରିବାର ନିଷ୍ପତି ନେଉଛନ୍ତି। ଅତୀତରେ ହିନ୍ଦୁ ବିବାହ କେବଳ ବଂଶ ରକ୍ଷା ପାଇଁ ହେଉଥିଲା । ସେଠି ଛାଡପତ୍ର ଭଳି ପ୍ରଥା କି ପରମ୍ପରା ନଥିଲା। ମତାନ୍ତର ଓ ମନାନ୍ତର ହେଲେ ପରିବାରର ମୁରବୀ ମାନେ ବସି ତାର ସମାଧାନ କରୁଥିଲେ। ହେଲେ ଏବେ ବଡବଡ ସେଲିବ୍ରିଟି, ବ୍ୟବସାୟୀ, କ୍ରୀଡାବିତ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନେ ଜୀବନ ସାଥି ବଦଳାଉଛନ୍ତି।
ନିକଟରେ ଛାଡପତ୍ର ନେଇଛନ୍ତି ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମା। ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କର ବାହାଘରର ୨୦ ବର୍ଷ ପରେ ବିବାହ ବିଚ୍ଛେଦ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଅଭିନେତା ଗୋବିନ୍ଦାଙ୍କର ମଧ୍ୟ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିଲା। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏଆର ରେହମାନ୍ଙ୍କ ବିବାହର ୨୯ ବର୍ଷ ପରେ ପତ୍ନୀ ସାୟରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି।
📱 Get Argus News App
✨କାହିଁକି ହେଉଛି ଡିଭୋର୍ସ -
ବୁଝାମଣାର ଅଭାବ - ପୂର୍ବଅପେକ୍ଷା ବର୍ତ୍ତମାନର ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେଉଛି। ସହନଶୀଳତାର ଅଭାବ ଯୋଗୁ ଏକାଠି ରହିବାରେ ସମସ୍ୟା ହେଉଛି। ଯେଉଁଥିପାଇଁ ଉଚ୍ଚ ଶିକ୍ଷିତ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ଡିଭୋର୍ସ ନେବାକୁ ନିଷ୍ପତ୍ତି ନେଉଛନ୍ତି।
ସମ୍ପତ୍ତି ଲୋଭ- ସମ୍ପତ୍ତି ଲୋଭ ମଧ୍ୟ ଛାଡପତ୍ରର ଏକ କାରଣ ବୋଲି କୁହାଯାଉଛି। ବାଙ୍ଗାଲୋର, ଦିଲ୍ଲୀ ଏବଂ ଦେଶର ପ୍ରମୁଖ ସ୍ଥାନରୁ ବଡବଡ ସେଲିବ୍ରିଟିଙ୍କର ଛାଡପତ୍ର ପରେ ଭରଣପୋଷଣ କଥା ଦେଖିଲେ, ସମ୍ପତ୍ତି ପାଇଁ ବାହା ହୋଇ କିଛିଦିନ ବିତାଇବା ପରେ ଛାଡପତ୍ର ନେଇ ଏକ ସ୍ବାଧୀନ ଜୀବନ ବଞ୍ଚିବା ପାଇଁ ଛାଡପତ୍ର ନିଆଯାଉଥିବା କୁହାଯାଉଛି।
ପରସ୍ପରକୁ ସମୟ ନଦେବା - ପରସ୍ପରକୁ ସମୟ ନଦେଇ ପାରିବାରୁ ଏବେ ଅଧିକାଂଶ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। କର୍ମକ୍ଷେତ୍ରରେ ଅଧିକ ସମୟ ଦେଉଥିବାରୁ ସାଥିଙ୍କୁ ସମୟ ଦେଇ ହେଉନି। ଯେଉଁଥିପାଇଁ ଅଧିକରୁ ଅଧିକ ବ୍ୟକ୍ତି ଛାଡପତ୍ର ନେବାକୁ ନିଷ୍ପତ୍ତି ନେଉଛନ୍ତି।
ପରକୀୟା ପ୍ରିତି- ଛାଡପତ୍ର ପାଇଁ ଏକ ପ୍ରମୁଖ କାରଣ ହେଉଛି, ପରକୀୟା ପ୍ରିତି। ବର୍ତ୍ତମାନ ସମୟରେ ସର୍ବାଧିକ ବିବାହ ବିଚ୍ଛେଦ ପରକୀୟା ପ୍ରିତି ପାଇଁ ହେଉଛି
ସିନେମା ଓ ଭିଡିଓର ପ୍ରଭାବ - ସାଧାରଣତ ଆମେ ସିନେମା କିମ୍ବା ଓ୍ବେବ ସିରିଜ୍ ଆଦି ଦେଖିବା ବେଳେ କାହାଣୀ ଭିତରେ ହଜିଯାଉ । ଯାହାକୁ ନିଜ ଜୀବନ ସହ ମଧ୍ୟ ବେଳେବେଳେ ଯୋଡି ଦେଉ। ଯାହା ପରିବର୍ତ୍ତୀ ସମୟରେ ଆମକୁ ସେମିତି କିଛି ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ।
ତେବେ ଏଠି କେବଳ ଏତିକି କୁହା ଯାଇପାରେ, ସମ୍ପର୍କ ବୁଝାମଣା ଭିତରେ ଚାଲିଲେ ଯେତେ ବାଧା ଆସିଲେ ବି ତାହା କେବେ ତୁଟିବନି। ଶରୀରରେ ଜୀବନ ଥିବା ଯାଏଁ ଅତୁଟ ହୋଇ ରହିବ।