Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Youth Suicide / କାହିଁକି ଆତ୍ମହତ୍ୟା କରୁଛନ୍ତି ଯୁବପିଢୀ, ରିପୋର୍ଟରେ ଆସିଲା ଏହି ସବୁ କାରଣ

Swoyang prajna Mishra
Browse all articles by Swoyang prajna Mishra
·11 months ago·3 min read
କାହିଁକି ଆତ୍ମହତ୍ୟା କରୁଛନ୍ତି ଯୁବପିଢୀ, ରିପୋର୍ଟରେ ଆସିଲା ଏହି ସବୁ କାରଣ
India Mental Health News

Key Points

ପ୍ରତିଦିନ ରାଜ୍ୟରେ ବଢୁଛି ଆତ୍ମହତ୍ୟା, ଆତ୍ମହତ୍ୟା କରୁଥିବା ମଧ୍ୟରେ ୭୦ ପ୍ରତିଶତ ଯୁବପିଢୀ, କାହିଁକି ହେଉଛନ୍ତି ଧୈର୍ଯ୍ୟହରା
କେଉଁ କାରଣ ସର୍ବାଧିକ କରୁଛି ପ୍ରଭାବିତ

ଛାତ୍ର ଆତ୍ମହତ୍ୟା, ବା ଛାତ୍ରୀ ଆତ୍ମହତ୍ୟା । କିଛି ବର୍ଷ ଧରି ଏହା ରାଜ୍ୟରେ ବଢିବାରେ ଲାଗିଛି । ଯଦି ଏନସିଆରବି ରିପୋର୍ଟକୁ ଦେଖାଯାଏ ତେବେ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଆତ୍ମହତ୍ୟା କରୁଛନ୍ତି । ସେଥିରେ ୩୦ ବର୍ଷରୁ କମ ବୟସର ପିଲା ଅଧିକ ରହିଛନ୍ତି । ସେହିପରି ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଛନ୍ତି ।

ଆତ୍ମହତ୍ୟାର ଏକ ମୁଖ୍ୟ କାରଣ ହେଉଛି ମାନସିକ ଅଶାନ୍ତି । ଯେତେବେଳେ ପିଲାଟି ନିଜ ପରିବାର ତଥା ନିଜର ବନ୍ଧୁ ପରିଜନ କିମ୍ବା ନିଜ ପ୍ରିୟ ଲୋକଙ୍କ ପାଖରୁ ନିରାଶ ହୁଏ, ସେତେବେଳେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ । କେଉଁ କାରଣ ପାଇଁ ମାନସିକ ଶାନ୍ତି ହରାଇ ବସେ, ଆଉ ଏହାର ବିଶେଷ ନିରାକରଣ କ'ଣ ତାହା ଆସନ୍ତୁ ଜାଣିବା ।

ମାନସିକ ଅଶାନ୍ତି ମୁଖ୍ୟ କାରଣ ଗୁଡିକ ହେଉଛି, ପାଠପଢାରେ ବିଫଳତା, ପରିବାରରେ ଅଶାନ୍ତି, ପ୍ରେମରେ ବିଫଳତା, ଅତ୍ୟଧିକ ନିଶା ଦ୍ରବ୍ୟ, ଅନଲାଇନ ଗେମ୍ , ବୃତ୍ତିଗତ ସମସ୍ୟା ।

ପାଠପଢାରେ କେଉଁ ଛାତ୍ର ଅଧିକ ଆଗ୍ରହୀ ଥାଆନ୍ତି, ତ ପୁଣି କେଉଁ ଛାତ୍ର ଯେତେ ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳତା ହାସଲ କରିପାରିନଥାନ୍ତି । ସେହି ସମୟରେ ପରୀକ୍ଷାରେ ନମ୍ବର କମ କାରଣରୁ ପରିବାର ବନ୍ଧୁ ସାଙ୍ଗଙ୍କ ଠାରୁ ଅନେକ ଟାହି ଟାପରା ଶୁଣିବାକୁ ମିଳେ । ସେମାନେ ପିଲାର ମାନସିକ ସ୍ଥିତି ବୁଝିବା ପରିବର୍ତ୍ତେ, କେଉଁ କାରଣରୁ ସେ ପାଠରେ ପଛାଉଛି, ତାର କୌଣସି ନିରାକରଣ ନକରି ତାକୁ ମାନସିକ ଚାପ ଦେଇଥାନ୍ତି ।

ଯେଉଁ କାରଣରୁ ପିଲାଟି ଆଗକୁ ମଦେଇ ପାଠପଢିବାକୁ ଚେଷ୍ଟା କରିବା ପରିବର୍ତ୍ତେ ନିଜର ଖରାପ ନମ୍ବର ପାଇଁ ଅତ୍ୟଧିକ ଅନୁତାପ କରିଥାଏ । ଆଉ ଏହି ବିଫଳତା ଧିରେ ଧିରେ ମନରେ ଏକ ପ୍ରକାର ବିଷାଦ ଚିନ୍ତା ସୃଷ୍ଟି କରିଥାଏ । କାହାକୁ ନିଜ ମନର ଚିନ୍ତା ଜଣାଇ ନପାରି, ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ ।

ରିପୋର୍ଟରୁ ଜଣା ପଡିଛି, ଆତ୍ମହତ୍ୟା କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧.୪ ପ୍ରତିଶତ ପିଲା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ଯୋଗୁଁ ଆତ୍ମହତ୍ୟା କରିଥାନ୍ତି ।

ପରିବାରରେ ଅଶାନ୍ତି ଆତ୍ମହତ୍ୟାର ଏକ ମୁଖ୍ୟ କାରଣ ବୋଲି ପ୍ରମାଣିତ ହୋଇଛି । ମୋଟ ଆତ୍ମହତ୍ୟା ଘଟଣାର ୩୩.୬ ଶତାଂଶ କେବଳ ପାରିବାରିକ ହିଂସା ଓ କନ୍ଦଳ ହେତୁ ଘଟୁଛି । ପରିବାରରେ ସ୍ଵାମୀ , ସ୍ତ୍ରୀ ମଧ୍ୟରେ ଝଗଡା, କିମ୍ବା କୌଣସି ଛୋଟ ରଗ ରୁଷାରୁ ଆରମ୍ଭ ହୋଇଥାଏ ବଡ କଳହ ।

ଆଉ ଏଥିରେ ଧୈର୍ଯ୍ୟହରା ହୋଇ ରାଗରେ ଆତ୍ମହତ୍ୟାର ରାସ୍ତା ଆପଣାଇଥାନ୍ତି । କିମ୍ବା ବିଭିନ୍ନ ପ୍ରକାରର ରୋଗ ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଏମିତି ୮ ଶତାଂଶ ଆତ୍ମହତ୍ୟା ଘଟୁଥିବା ସୂଚନା ରହିଛି ।

ଅଧିକାଂଶ ଯୁବକ ଯୁବତୀ ପ୍ରେମରେ ବିଫଳତାକୁ ନେଇ ମଧ୍ୟ ଆତ୍ମହତ୍ୟା କରିଥାନ୍ତି । ପ୍ରେମରେ ଜଣେ ଅନ୍ୟ ଜଣଙ୍କ କଥା ବୁଝି ନପାରିଲେ , ଜଣେ ଅନ୍ୟ ଜଣଙ୍କୁ ଧୋକା ଦେଲେ, କିମ୍ବା ଯଦି ପରିବାର ପକ୍ଷରୁ ଅଲଗା କରିବାର ବାଧ୍ୟ ବାଧକତା ଥାଏ, ତେବେ ସେ କ୍ଷେତ୍ରରେ ହଠାତ ଏପରି ନିଷ୍ପତ୍ତି ନିଅନ୍ତି ଯୁବପିଢୀ । ଯାହା ଦେଖାଯାଏ, ପ୍ରେମରେ ବିଫଳତା କାରଣରୁ ୪.୪ ପ୍ରତିଶତ ଯୁବକ ଯୁବତୀ ଆତ୍ମହତ୍ୟା କରିଥାନ୍ତି ।

ସେହିପରି ନିଶା ଦ୍ରବ୍ୟରେ ଆସକ୍ତ ହୋଇ ୬ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି । ବୃତ୍ତିଗତ କାରଣ ମଧ୍ୟ ଆତ୍ମହତ୍ୟାର ଏକ ମୁଖ୍ୟ କାରଣ । ଯେତେବେଳେ ଆୟ କମେ ଆଉ ବ୍ୟୟ ବଢିଯାଏ , ସେତେବେଳେ ବ୍ୟକ୍ତି ମୁଣ୍ଡରେ କିଛି ଏଭଳି ଚିନ୍ତାଧାରା ଜନ୍ମ ନେଇଥାଏ । ବେଳେବେଳେ ଅଫିସ୍‌ରେ ବସ୍‌ର ପ୍ରେସରକୁ ମଧ୍ୟ ସହି ନପାରି ହଠାତ ରାଗ ଏବଂ କ୍ରୋଧରେ କିଛି କର୍ମଚାରୀ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନିଅନ୍ତି ।

ଆତ୍ମହତ୍ୟାର ମୁଖ୍ୟ କାରଣ ମନରେ ରାଗ ଏବଂ କ୍ରୋଧ ଅଚାନକ ବଢିଯିବା । କ୍ଷଣିକ ଉତ୍ତେଜନାରେ ବଶୀଭୁତ ହୋଇ ଏପରି ନିଷ୍ପତ୍ତି ନେଉଛନ୍ତି ।

ଯଦି କେହି ଡିପ୍ରେସନରେ ରହୁଥିବା, କିମ୍ବା ଏକୁଟିଆ ରହିବା, କାହାସହ ବିଶେଷ କଥାବାର୍ତ୍ତା ନକରିବାକୁ ପସନ୍ଦ କରୁଛନ୍ତି, ତେବେ ତାଙ୍କ ସହ ପ୍ରଥମେ ପରିବାର କିମ୍ବା ତାଙ୍କର ଆତ୍ମୀୟ ସ୍ବଜନ କଥା ହେବା ଆବଶ୍ୟକ ।

ତାଙ୍କ ସହ ବନ୍ଧୁ ଭଳି ବ୍ୟବହାର କରି , ତାଙ୍କ ମନକଥା ମନ ଖୋଲି ପ୍ରକାଶ କରିବା ପାଇଁ ତାଙ୍କୁ ସାହାସ ଦେବା । ବିଶେଷ ଭାବେ ବ୍ୟକ୍ତିର ମାନସିକ ଚାପର କାରଣ ଜାଣିଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ।

ଏଥିସହ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଦରକାର । ମାନସିକ ସାନ୍ତ୍ଵନା ହିଁ ଆତ୍ମହତ୍ୟା କରୁଥିବା ଲୋକର ମନ ପରିବର୍ତ୍ତନ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Are Young People Committing Suicide? Report Reveals Key Reasons | Argus News