Videos
|
National

Husband Builds Temple / ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ମାଗିଥିଲେ ଭିକ୍ଷା, ପତ୍ନୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ସ୍ୱାମୀ

Rashmita Mishra
Browse all articles by Rashmita Mishra
·48 mins ago·2 min read
ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ମାଗିଥିଲେ ଭିକ୍ଷା, ପତ୍ନୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ସ୍ୱାମୀ
Husband Builds Temple

Key Points

ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ମାଗିଥିଲେ ଭିକ୍ଷା,
ପତ୍ନୀଙ୍କ ପାଇଁ ମନ୍ଦିର ନିର୍ମାଣ କରୁଛନ୍ତି ସ୍ୱାମୀ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ କେବଳ ସାତ ଜନ୍ମର ବନ୍ଧନ ନୁହେଁ, ବରଂ ଏହା ପ୍ରେମ, ତ୍ୟାଗ ଓ ସମର୍ପଣର ଏକ ଅତୁଟ କାହାଣୀ । ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧରାରୁ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ଦିବଙ୍ଗତ ପତ୍ନୀଙ୍କ ତ୍ୟାଗ ଓ ଭଲପାଇବାକୁ ଅମର କରି ରଖିବା ପାଇଁ ନିଜ ଚାଷଜମିରେ ତାଙ୍କର ମନ୍ଦିର ନିର୍ମାଣ କରୁଛନ୍ତି ।

୬୫ ବର୍ଷୀୟ ବାବୁଭାଇ ଲିମ୍ବା ନିଜ ପତ୍ନୀ ସୁଂଘାଡ଼ିବେନଙ୍କୁ ଭଗବାନଙ୍କ ସମାନ ମାନନ୍ତି । କାରଣ ଦୀର୍ଘ ୧୯ ବର୍ଷ ପୂର୍ବେ ଏକ ଭୟଙ୍କର ଦୁର୍ଘଟଣାରେ ସ୍ୱାମୀଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ ପତ୍ନୀ ନିଜର ସବୁକିଛି ବାଜି ଲଗାଇ ତାଙ୍କ ଜୀବନ ବଞ୍ଚାଇଥିଲେ ।

ସ୍ୱାମୀଙ୍କ ଚିକିତ୍ସା ପାଇଁ ମାଗିଥିଲେ ଭିକ୍ଷା

୨୦୦୭ ମସିହାରେ ଚାଷଜମିରେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାରେ ବାବୁଭାଇଙ୍କ ବାମ ହାତ କଟିଯାଇଥିଲା । ସେତେବେଳେ ୬ ଜଣ ପିଲାଙ୍କ ପରିବାରରେ ସେ ହିଁ ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ । ଏଭଳି ସ୍ଥିତିରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା ।

କିନ୍ତୁ ସୁଂଘାଡ଼ିବେନ ହାର ମାନି ନଥିଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ପ୍ରଥମେ ଘରର ବାସନକୁସନ ବିକ୍ରି କରିଦେଇଥିଲେ । ଏଥିରେ ମଧ୍ୟ ଟଙ୍କା ନିଅଣ୍ଟ ହେବାରୁ ସେ ଲୋକଙ୍କ ଦୁଆରକୁ ଯାଇ ଭିକ୍ଷା ମାଗିଥିଲେ । ଏପରିକି ସ୍ୱାମୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ଦୌଡ଼ିଥିଲେ । ଶେଷରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗ ଯୋଗୁଁ ବାବୁଭାଇଙ୍କ ଜୀବନ ବଞ୍ଚିଯାଇଥିଲା ।

ପତ୍ନୀଙ୍କ ସ୍ମୃତିରେ ନିର୍ମାଣ ହେଉଛି ମନ୍ଦିର
ଗତବର୍ଷ ସୁଂଘାଡ଼ିବେନଙ୍କ ଦେହାନ୍ତ ହୋଇଥିଲା । ପତ୍ନୀଙ୍କୁ ହରାଇବା ପରେ ବାବୁଭାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ତାଙ୍କର ନିଃସ୍ୱାର୍ଥପର ପ୍ରେମ ଓ ତ୍ୟାଗକୁ ଆଗାମୀ ପିଢ଼ି ପାଇଁ ମନେ ରଖିବାକୁ ସେ ନିଜ ଚାଷଜମିରେ ପତ୍ନୀଙ୍କ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି । ତାଙ୍କର ୧୫ ଜଣିଆ ଯୌଥ ପରିବାର ମଧ୍ୟ ଏହି ମହତ୍ କାର୍ଯ୍ୟରେ ସାଥ୍ ଦେଉଛନ୍ତି ।

'ପତ୍ନୀ ନଥିଲେ ମୁଁ ବଞ୍ଚି ନଥାନ୍ତି'
ପତ୍ନୀଙ୍କ କଥା ମନେ ପଡ଼ିଲେ ବାବୁଭାଇ ଭାବବିହ୍ୱଳ ହୋଇ କାନ୍ଦି ପକାନ୍ତି । ସେ କହନ୍ତି, 'ମୋର ଖରାପ ସମୟରେ ଯଦି ମୋ ପତ୍ନୀ ମୋ ସହିତ ନଥାନ୍ତେ, ତେବେ ମୁଁ କେବେଠାରୁ ମରିସାରନ୍ତି ।' ବାସ୍ତବରେ ଏହି ମନ୍ଦିର କେବଳ ଇଟା ଓ ପଥରର ନିର୍ମାଣ ନୁହେଁ, ଏହା ଜଣେ ନାରୀଙ୍କ ଅସୀମ ତ୍ୟାଗ, ଭଲପାଇବା ଓ ସମର୍ପଣର ଏକ ଅମର ସ୍ମୃତି ହୋଇ ରହିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: