India vs Bangladesh / ବାଂଲାଦେଶରୁ ଚେତାବନୀ ! ଭାରତର ଚିକେନ୍ ନେକ୍ କାଟିଦେବୁ, ୭ ସିଷ୍ଟର୍ସଙ୍କୁ ଅଲଗା କରିଦେବୁ

Key Points
ବିଗୁଡ଼ୁଛି ଭାରତ-ବାଂଲାଦେଶ ସମ୍ପର୍କ । ଦିନକୁ ଦିନ ଅଧିକ ହେଉଛି ତିକ୍ତ । ବାଂଲାଦେଶୀ ନେତାମାନେ ସଭା ମଞ୍ଚରେ ଭାରତକୁ ଦେଉଛନ୍ତି ଖୋଲା ଧମକ । କହୁଛନ୍ତି ଭାରତର ଚିକେନ୍ ନେକ୍କୁ କାଟି ଅଲଗା କରିବୁ । ଭାରତର ୭ ସିଷ୍ଟରକୁ ଭାରତରୁ ଅଲଗା କରିଦେବୁ । ଏଭଳି ଧମକ ଦେଇଛନ୍ତି ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନ୍ସିପି) ନେତା ହସନତ ଅବଦୁଲ୍ଲା । ତାଙ୍କର ଏହି ଉତ୍ତେଜକ ଭାଷଣ ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି । ଢାକାର କେନ୍ଦ୍ରୀୟ ସହିଦ ମିନାରରେ ଇନ୍କିଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧନ କରୁଥିବା ବେଳେ ଭାରତକୁ ଏଭଳି ଧମକ ଦେଇଛନ୍ତି ଅବଦୁଲ୍ଲା ।
ସେ ନିଜ ଭାଷଣରେ କହିଛନ୍ତି ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଚେଷ୍ଟା କରିବ, ତେବେ ପରିସ୍ଥିତି ଭୟଙ୍କର ହେବ । ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ । ଭାରତର ସମଗ୍ର ଉତ୍ତର ପୂର୍ବ ଅଂଚଳ ବିଚ୍ଛିନ୍ନ କରିଦିଆଯିବ ବୋଲି ଅବ୍ଦୁଲ୍ଲା ଧମକ ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଭାରତ କ'ଣ ସତରେ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ? ଏଥିରୁ ଭାରତକୁ ମିଳିବ କି ଫାଇଦା ?
ଅନ୍ୟପଟେ ହସନତ ଅବଦୁଲ୍ଲା ସିଧାସଳଖ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ବାଂଲାଦେଶର ସାର୍ବଭୌମତ୍ୱ, ଭୋଟ୍ ଅଧିକାର ଏବଂ ମାନବିକ ଅଧିକାରକୁ ସମ୍ମାନ ଦେଉନଥିବା ଶକ୍ତିକୁ ଆଶ୍ରୟ ଦିଆଯାଏ, ତେବେ ବାଂଲାଦେଶ ମଧ୍ୟ ଏହାର ଜବାବ ଦେବ। ବାଂଲାଦେଶରେ ଅସ୍ଥିରତାର ନିଆଁ କେବଳ ସୀମାରେ ସୀମିତ ରହିବ ନାହିଁ ବରଂ ସମଗ୍ର ଅଂଚଳରେ ବ୍ୟାପିପାରେ। ଏନ୍ସିପି ନେତା ଅଭିଯୋଗ କରିଛନ୍ତି, ଦେଶରେ ଅରାଜକତା ସୃଷ୍ଟି କରିବା, ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ଆମ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିବାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଭାରତର ସମର୍ଥନ ରହିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସୀମାରେ ବାଂଲାଦେଶୀ ନାଗରିକଙ୍କ ହତ୍ୟାରେ ଭାରତୀୟ ଏଜେନ୍ସି ସମ୍ପୃକ୍ତ ରହିଛି।
ଭାରତର ଭୂମିକାକୁ ସମାଲୋଚନା କରି ହସନତ କହିଛନ୍ତି ଯେ ସ୍ୱାଧୀନତାର ୫୪ ବର୍ଷ ପରେ ମଧ୍ୟ ବାଂଲାଦେଶ ଶାଗୁଣା ଭଳି ଶକ୍ତିର ସମ୍ମୁଖୀନ ହେଉଛି, ଯେଉଁମାନେ ଦେଶ ଉପରେ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ବାଂଲାଦେଶକୁ ଦୁର୍ବଳ କରିବାକୁ ଚାହୁଛି ଏବଂ ଏହାକୁ ଏକ ବିବାଦୀୟ ଦେଶରେ ପରିଣତ କରିବାକୁ ଚାହୁଁଛି। ଅବଦୁଲ୍ଲା ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଭାରତ ସହ ହାତ ମେଳାଇ ହସିନା ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେଉଛନ୍ତି । ତାଙ୍କ ସମର୍ଥକଙ୍କ ଦ୍ୱାରା ଲୋକଙ୍କୁ ଉସକାଇ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି ।
ଅନ୍ୟପଟେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସୀନାଙ୍କୁ ଶରଣ ଦେଇଛି ଭାରତ । ଆଉ ଏଇଥିପାଇଁ ଭାରତ ଉପରେ ଅଧିକ ଚିହିଁକି ଉଠିଛି ୟୁନୁସଙ୍କ ଅନ୍ତରୀଣ ସରକାର । ୟୁନୁସ ସରକାର ସେଖ୍ ହସୀନାଙ୍କୁ ନିକଟ ଅତୀତରେ ଦେଶ ଦ୍ରୋହୀ ବୋଲି କୋର୍ଟରେ ପ୍ରମାଣିତ କରିଛି । ଯାହାଫଳରେ କୋର୍ଟ ତାଙ୍କୁ ଫାସୀ ଦଣ୍ଡ ଘୋଷଣା କରିଛନ୍ତି ।
ଶେଖ ହାସିନା ଅଗଷ୍ଟ ୨୦୨୪ରେ ଦେଶ ଛାଡିବା ପରେ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଛନ୍ତି। ଭାରତରେ ଥାଇ ଗତ ମାସରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ଇମେଲ୍ ସାକ୍ଷାତକାର ଦେଇଥିଲେ ସେଖ ହସୀନା । ସେଥିରେ ସେ କହିଥିଲେ, ବାଂଲାଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସ, ଭାରତ ସହିତ ସମ୍ପର୍କ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଚରମପନ୍ଥୀ ତତ୍ୱମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍ତରୀଣ ସରକାରଙ୍କ ସହିତ ତାଙ୍କ ବୈଦେଶିକ ନୀତିକୁ ତୁଳନା କରି, ସେ କହିଛନ୍ତି ଯେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ଥିବା "ବିସ୍ତୃତ ଏବଂ ଗଭୀର" ସମ୍ପର୍କ, ୟୁନୁସଙ୍କ ମୂର୍ଖତା ପାଇଁ ବିଗିଡ଼ୁଛି । ତେଣୁ ଏହାକୁ ଦୃଢ଼ ଭାବରେ ପ୍ରତିହତ କରିବା ଉଚିତ।
📱 Get Argus News App
✨Related Topics
Explore more stories