ସ୍ୱାମୀଙ୍କୁ ପିଠିରେ ବସାଇ ୧୫୦ କିଲୋମିଟରର କାଉଡି ଯାତ୍ରା କଲେ ସ୍ତ୍ରୀ

Key Points
ସ୍ତ୍ରୀ କାନ୍ଧରେ ବସି କାଉଡି ଯାତ୍ରା କଲେ ସ୍ୱାମୀ
ଦାରିଦ୍ର୍ୟତା ଥିଲା କିନ୍ତୁ ଭୋଳାନାଥଙ୍କ ପ୍ରତି ତାଙ୍କର ଭକ୍ତି ଓ ଭଲପାଇବା କମି ନ ଥିଲା
ଦମ୍ପତିଙ୍କ ସହିତ ତାଙ୍କର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି
କୁହାଯାଏ ଯେ ସ୍ତ୍ରୀ ସ୍ଵାମୀର ଅର୍ଦ୍ଧାଙ୍ଗିନୀ। ସ୍ଵାମୀର ଦୁଃଖ ସୁଖ ଭଲ ମନ୍ଦରେ ଭାଗୀଦାର ହୋଇଥାଏ ସ୍ତ୍ରୀ । " ତୁମେ ଚାଲି ନ ପାରିଲେ କ'ଣ ହେଲା , ମୁଁ ତୁମକୁ କାନ୍ଧରେ ନେଇ ଗଙ୍ଗା ସ୍ନାନ କରାଇ ଆଣିବି."। ଏହି କଥା କିଛି ଛୋଟ କଥା ନୁହେଁ ବରଂ ଜଣେ ସ୍ତ୍ରୀ ତା'ର ସ୍ୱାମୀ ପ୍ରତି ଥିବା ଅସୀମ ଭଲପାଇବାର କଥା । ଉତ୍ତର ପ୍ରଦେଶର ମୁଜାଫରନଗରରୁ ଏପରି ଏକ ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଯେଉଁଠାରେ ଆଶା ନାମକ ଜଣେ ମହିଳା ନିଜର ଦିବ୍ୟାଙ୍ଗ ସ୍ୱାମୀ ସଚିନଙ୍କୁ ପିଠିରେ ବସାଇ ପ୍ରାୟ ୧୫୦ କିଲୋମିଟରର କାଉଡି ଯାତ୍ରା କରିଛନ୍ତି।
ସଚିନ, ଯିଏକି ପୂର୍ବରୁ ପ୍ରତିବର୍ଷ ନିଜ ପାଦରେ ଚାଲି ଚାଲି କାଉଡି ଯାତ୍ରା କରୁଥିଲେ । ଲଗାତାର ୧୩ ବର୍ଷ ହେଲା ସେ ଏହି ବୋଲବମ୍ ଯାତ୍ରା କରନ୍ତି। କିନ୍ତୁ ଗତ ବର୍ଷ ଅଣ୍ଟା ଅସ୍ତ୍ରୋପଚାର ପରେ ତାଙ୍କ ଶରୀର ପାରାଲାଇଜ ହୋଇଗଲା। ସେ ଚାଲିବାରେ ଅସମର୍ଥ ହେଲେ । ଘରର ଏକମାତ୍ର ରୋଜଗାରିଆ ମଣିଷର ରୋଜଗାର ବନ୍ଦ ହୋଇଗଲା । ଦୁଇ ପୁଅକୁ ନେଇ ବହୁତ ଅଭାବ ଅନାଟନ ଭିତରେ ଗତି କରୁଛି ସଚିନ୍ଙ୍କ ପରିବାର । କିନ୍ତୁ ଦାରିଦ୍ର୍ୟତା ସତ୍ତ୍ୱେ ଭୋଳାନାଥଙ୍କ ପ୍ରତି ତାଙ୍କର ଭକ୍ତି ଓ ଭଲପାଇବା କମି ନ ଥିଲା । ସଚିନଙ୍କ ମନ ବହୁତ ଦୁଃଖ ହେଉଥିଲା ଯେ ସେ କାଉଡି ଯାତ୍ରାରେ ଯାଇପାରୁନାହାନ୍ତି । ସ୍ୱାମୀଙ୍କର ଏହି ଅସହାୟତାକୁ ଦେଖି ପତ୍ନୀ ଆଶା ନିଷ୍ପତ୍ତି ନେଲେ ଯେ ସେ ନିଜେ ସ୍ୱାମୀଙ୍କୁ କାଉଡି ଯାତ୍ରା କରାଇବେ। ସେ ହରିଦ୍ୱାରରୁ ଗଙ୍ଗାଜଳ ଭରି ନିଜ ସ୍ୱାମୀଙ୍କୁ ପିଠିରେ ବସାଇ ମୋଦିନଗର ଅଭିମୁଖେ ଯାଇଛନ୍ତି ।
ଏହି ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଥିବା ପ୍ରେମ, ସେବା ଏବଂ ଅତୁଟ ବିଶ୍ୱାସର ଏକ ଉଦାହରଣ । ରାସ୍ତାରେ ଯାଉଥିବା ଲୋକମାନେ ଏହି ଭକ୍ତି ଏବଂ ସାହସକୁ ଦେଖି ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ହାତ ଯୋଡି ସଲାମ କରୁଛନ୍ତି । କେହି କେହି ତାଙ୍କୁ 'କଳିଯୁଗର ସାବିତ୍ରୀ' ବୋଲି ମଧ୍ୟ କହୁଛନ୍ତି । ତାଙ୍କ ପତ୍ନୀ କହିଛନ୍ତି ଯେ ଭୋଳାନାଥଙ୍କ ଆଶୀର୍ବାଦରୁ ତାଙ୍କ ସ୍ୱାମୀ ପୁଣିଥରେ ସୁସ୍ଥ ହୋଇ ନିଜ ପାଦରେ ଚାଲିବେ ।
ଏହି ଯାତ୍ରାରେ ଦମ୍ପତିଙ୍କ ସହିତ ତାଙ୍କର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି । ଯେଉଁଠି ବର୍ତ୍ତମାନର ସମାଜରେ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରିଦେଉଛି ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀକୁ ମଧ୍ୟ ମାରିଦେଉଛି । ସେହିଭଳି ପରିସ୍ଥିତିରେ ଆଶାଙ୍କ ଏହି ତ୍ୟାଗ ଏବଂ ସମର୍ପଣର କାହାଣୀ ଆଜିର ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି ।