Gangster / ବିଦେଶରେ ବସି ଭାରତରେ ଗ୍ୟାଙ୍ଗ ଚାଳାଉଛନ୍ତି ଗ୍ୟାଙ୍ଗଷ୍ଟର

Key Points
''ଆଜି ସମସ୍ତେ ଜାଣିବା ଉଚିତ, ଆମେ କାହାକୁ ଭୁଲି ନଥାଉ । ଏଥିରେ କିଛି ସମୟ ଲାଗିପାରେ, କିନ୍ତୁ ଦିନେ ନା ଦିନେ ସମସ୍ତଙ୍କ ପାଳି ପଡ଼ିବ । ଯେଉଁମାନେ ଆମ ଫୋନ୍କୁ ଅଣଦେଖା କରନ୍ତି କିମ୍ବା ଆମ କଥାକୁ ଇଗ୍ନୋର କରିବାକୁ ଚେଷ୍ଟା କରନ୍ତି, ଏଭଳି ସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ ।"
ରାଜସ୍ଥାନର କୁଚମନ ସିଟି ହତ୍ୟାକାଣ୍ଡ ଘଟଣାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ରୋହିତ ଗୋଦରା ଗ୍ୟାଙ୍ଗର ସଦସ୍ୟ ବୀରେନ୍ଦ୍ର ଚରଣ ଏକ ସୋସିଆଲ ମିଡିଆ ପୋଷ୍ଟରେ ବାଇକ୍ ଏଜେନ୍ସି ଅପରେଟର ରମେଶ ରୁଲାନିଆଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି। ପୋଷ୍ଟରେ ବୀରେନ୍ଦ୍ର ଚରଣ ଲେଖିଛନ୍ତି, "ଆମେ ଏହି ହତ୍ୟା କରାଇଛୁ। ଆମେ ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ତାଙ୍କୁ ଫୋନ୍ କରିଥିଲୁ। ସେ ସେତେବେଳେ ଆମକୁ ଅପମାନିତ କରିଥିଲେ । ତା'ପରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ, 'ମୁଁ ତୁମକୁ ୧୦୦ ଟଙ୍କାର ନୋଟ ମଧ୍ୟ ଦେବି ନାହିଁ ।'
''ଆଜି ସମସ୍ତେ ଜାଣିବା ଉଚିତ, ଆମେ କାହାକୁ ଭୁଲି ନଥାଉ । ଏଥିରେ କିଛି ସମୟ ଲାଗିପାରେ, କିନ୍ତୁ ଦିନେ ନା ଦିନେ ସମସ୍ତଙ୍କ ପାଳି ପଡ଼ିବ । ଯେଉଁମାନେ ଆମ ଫୋନ୍କୁ ଅଣଦେଖା କରନ୍ତି କିମ୍ବା ଆମ କଥାକୁ ଇଗ୍ନୋର କରିବାକୁ ଚେଷ୍ଟା କରନ୍ତି, ଏଭଳି ସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ ।"
ଜିମ୍ରେ ପଶି ମାରିଥିଲେ
ମଙ୍ଗଳବାର ସକାଳେ କୁଚାମନ ସହର (ଡିଡୱାନା)ର ଷ୍ଟେସନ ରୋଡ୍ରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ରମେଶ ରୁଲାନିଆ ସବୁଦିନ ପରି ଓ୍ୱର୍କଆଉଟ୍ କରିବାକୁ ଜିମ୍ ଆସିଥିଲେ। ସେତିକିବେଳେ ଦୁଇଟି ସ୍କୋର୍ପିଓ କାରରେ ବସି ତିନି ଜଣ ମୁଖାପିନ୍ଧା ଅପରାଧୀ ପହଞ୍ଚିଥିଲେ । ଆଉ ଦ୍ୱିତୀୟ ମହଲାରେ ଥିବା ଜିମ୍ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ରମେଶ ରୁଲାନିଆଙ୍କ ଉପରେ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ଅପରାଧୀମାନେ ତୁରନ୍ତ ଫେରାର ହୋଇଯାଇଥିଲେ । ଏପଟେ ଗୁରୁତର ରମେଶ ରୁଲାନିଆଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା।
ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା ଗ୍ୟାଙ୍ଗଷ୍ଟର ବୀରେନ୍ଦ୍ର ଚରଣର ମଧ୍ୟ ଏକ ଭୟଙ୍କର ରେକର୍ଡ ରହିଛି। ବୀରେନ୍ଦ୍ର ହେଉଛି ସେହି ଗ୍ୟାଙ୍ଗଷ୍ଟର ଯିଏ ପୂର୍ବରୁ ରାଜସ୍ଥାନରେ କରଣୀ ସେନା ସଭାପତିଙ୍କୁ ହତ୍ୟା କରିଥିଲା। ସେହି ଘଟଣା ପରେ ହିଁ, ସେ ରୋହିତ ଗୋଦାରା ସହିତ ପର୍ତ୍ତୁଗାଲ ପଳାଇ ଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ଏହି ଦୁଇ ଗ୍ୟାଙ୍ଗଷ୍ଟର ବିଦେଶରେ ରହି ଭାରତରେ ବଡ଼ ଅପରାଧ ଘଟାଉଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରି, ପୋଲିସ ଏବଂ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି।
ପୋଲିସ ଉପରେ ପ୍ରଶ୍ନ: କାହିଁକି ହଟାଯାଇଥିଲା ସୁରକ୍ଷା
ଏହି ହତ୍ୟାକାଣ୍ଡ ପୋଲିସ ପ୍ରଶାସନର ଭୂମିକା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ମୃତକ ରମେଶ ରୁଲାନିଆଙ୍କୁ ଗତ ବର୍ଷ ରୋହିତ ଗୋଦାର ଗ୍ୟାଙ୍ଗ ପକ୍ଷରୁ ଦାଦାବଟି ଆଦାୟ ଧମକ ମିଳିଥିଲା। ଧମକ ପରେ, ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା, କିନ୍ତୁ ପରେ ଏହି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଲୋକମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଯଦି ପୋଲିସ ସୁରକ୍ଷା ପ୍ରତ୍ୟାହାର କରିନଥାନ୍ତା କିମ୍ବା ପୂର୍ବ ଧମକକୁ ଗମ୍ଭୀରତାର ସହିତ ନେଇ ନଥାନ୍ତା, ତେବେ ଏଭଳି କାଣ୍ଡ ଘଟିନଥାନ୍ତା।
ଗତ ବର୍ଷ କୁଚାମନର ପାଞ୍ଚ ଜଣ ବ୍ୟବସାୟୀଙ୍କୁ ଗୋଦାର ଏବଂ ବୀରେନ୍ଦ୍ର ଚରଣ ଗ୍ୟାଙ୍ଗରୁ ଧମକ ମିଳିଥିଲା। ହତ୍ୟା ଖବର ପାଇ ପୋଲିସ ଅଧୀକ୍ଷକ ରିଚା ତୋମର ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁରା ଜିଲ୍ଲାରେ ନାକାବନ୍ଦୀ କରାଯାଇଥିଲା ଏବଂ ଅପରାଧୀଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।
ଏହି ହତ୍ୟା ଘଟଣାକୁ ନେଇ ସାରା ସହରରେ ଉତ୍ତେଜନା ଏବଂ ଅସନ୍ତୋଷ ଦେଖାଯାଇଛି । ପ୍ରତିବାଦରେ ଘରୋଇ ସ୍କୁଲ, କଲେଜ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ କୁଚମନ ବନ୍ଦ ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ ପୋଲିସ ହତ୍ୟାକାରୀକୁ ଗିରଫ ନକରିବା ପର୍ଯ୍ୟନ୍ତ ମୃତ ରମେଶ ରୁଲାନିଆଙ୍କ ଶେଷକୃତ୍ୟ କରାଯିବ ନାହିଁ। ଏମିତି ରାସ୍ତା ଅବରୋଧ ରହିବ ।
ବ୍ୟବସାୟୀମାନେ ଏବେ ଏକାଠି ହୋଇ ଚେତାବନୀ ଦେଇଛନ୍ତି ଯେ, ଯଦି ପୋଲିସ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଏହି ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ। ପୋଲିସ ଏବେ ଏହି ମାମଲାକୁ ଦାଦାବଟି, ସୋସିଆଲ ମିଡିଆ ଅପମାନ ଏବଂ ଗ୍ୟାଙ୍ଗ ୱାର ସହିତ ଯୋଡୁଛି । ଏହାସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।