World Earth Day / ବିଶ୍ଵ ପୃଥିବୀ ଦିବସ: ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ

Key Points
ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ
ଚଳିତ ବର୍ଷର ଥିମ୍- ପ୍ଲାଟେନ୍ ଭର୍ସେସ୍ ପ୍ଲାଷ୍ଟିକ୍ସ
ପ୍ଲାଷ୍ଟିକମୁକ୍ତ ପରିବେଶ ପାଇଁ ସଂକଳ୍ପ ନେବାର ବେଳ
ବିଶ୍ବ ତାପନକୁ କମାଇବା ପାଇଁ ପଦକ୍ଷେପ ଜରୁରୀ
ପୃଥିବୀ ହେଉଛି ଆମର ଏକମାତ୍ର ବାସସ୍ଥାନ । କିନ୍ତୁ କ୍ରମାଗତ ଭାବେ ବଢୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଯୋଗୁଁ ଆଜି ଆମର ଏହି ସୁନ୍ଦର ଧରିତ୍ରୀ ବିପଦରେ । ଆଜି ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ ହୋଇଛି । ଏହା କେବଳ ଏକ ଉତ୍ସବ ପାଳନ ନୁହେଁ, ବରଂ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଦୃଢ଼ ସଙ୍କଳ୍ପ ନେବାର ବେଳ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
୧୯୭୦ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା 'ବିଶ୍ୱ ପୃଥିବୀ ଦିବସ' ଆଜି ଏକ ବିଶ୍ୱସ୍ତରୀୟ ଜନ-ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ବିଶେଷ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବା ଥିମ୍ ରହିଛି 'Planet vs Plastics' ଅର୍ଥାତ ଗ୍ରହ ବନାମ ପ୍ଲାଷ୍ଟିକ ।
ଓଡ଼ିଶା ହେଉଛି ପ୍ରକୃତିର ବରଦାନ । ଆମର ଘଞ୍ଚ ଜଙ୍ଗଲ, ସୁନ୍ଦର ଚିଲିକା ହ୍ରଦ ଏବଂ ବିସ୍ତୀର୍ଣ୍ଣ ସମୁଦ୍ର କୂଳ ଆମ ରାଜ୍ୟର ପରିଚୟ। କିନ୍ତୁ ଗତ କିଛି ବର୍ଷ ହେବ ଓଡ଼ିଶାର ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଉଛି । ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହ ଏବଂ ବାରମ୍ବାର ଆସୁଥିବା ସାମୁଦ୍ରିକ ବାତ୍ୟା ସୂଚାଉଛି ଯେ ଆମର ପରିବେଶ ଏବେ ଅସନ୍ତୁଳିତ ।
ଗତ କିଛି ଦଶନ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ଏକ ଭୟଙ୍କର ରୂପ ଧାରଣ କରିଛି । ଅତ୍ୟଧିକ ଜଙ୍ଗଲ କ୍ଷୟ ଓ କାର୍ବନ ନିର୍ଗମନ ଯୋଗୁଁ ଅଦିନିଆ ବର୍ଷା, ପ୍ରଳୟଙ୍କରୀ ବାତ୍ୟା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଭଳି ସମସ୍ୟା ବାରମ୍ବାର ଦେଖାଦେଉଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।
ବିଶେଷ କରି ମୟୂରଭଞ୍ଜର ଜୈବ-ବିବିଧତା ସମ୍ପନ୍ନ ଶିମିଳିପାଳ ଅଭୟାରଣ୍ୟରେ ବାରମ୍ବାର ଜଙ୍ଗଲ ନିଆଁ ପରିବେଶ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଆଜିର ଦିନଟି ଆମକୁ ମନେ ପକାଇ ଦିଏ ଯେ, ଆମେ ପ୍ରକୃତିର ମାଲିକ ନୁହେଁ ବରଂ ଏହାର ଏକ ଅଂଶ । ଯଦି ଆମେ ପରିବେଶକୁ ନଷ୍ଟ କରିବା, ତେବେ ପୃଥିବୀ ଆମକୁ କେବେ କ୍ଷମା କରିବ ନାହିଁ ।
ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ
ଜଙ୍ଗଲ ସୁରକ୍ଷା ଓ ନୂତନ ଗଛ ଲଗାଇବା
'ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ'କୁ ସଂପୂର୍ଣ୍ଣ ବାରଣ
ପଲିଥିନ ବ୍ୟବହାର ବନ୍ଦ କରି କପଡ଼ା ବ୍ୟାଗ୍ ଆପଣାଇବା
ବର୍ଷା ଜଳ ଅମଳ ଓ ନଦୀର ସ୍ୱଚ୍ଛତା ବଜାୟ ରଖିବା
ବନ୍ୟ ଜୀବଜନ୍ତୁଙ୍କ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା
ଜୈବ-ବିବିଧତାର ସନ୍ତୁଳନ ରକ୍ଷା କରିବା
ପୃଥିବୀ ଆମକୁ ସବୁକିଛି ଦେଇଛି, କିନ୍ତୁ ପ୍ରତିବଦଳରେ ଆମେ ଏହାକୁ କେବଳ ପ୍ରଦୂଷଣ ଉପହାର ଦେଉଛୁ । ମନେରଖନ୍ତୁ, କେବଳ ଗୋଟିଏ ଦିନର ସଚେତନତା ପୃଥିବୀକୁ ରକ୍ଷା କରିପାରିବ ନାହିଁ, ବରଂ ପ୍ରତିଦିନ ଆମକୁ ପରିବେଶ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
📱 Get Argus News App
✨Related Topics
Explore more stories