Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରୟାଗରାଜ ତ୍ରିବେଣୀ ସଂଗମରେ ସନାତନ ସଂସ୍କୃତିର ଦିବ୍ୟ ଉତ୍ସବ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରୟାଗରାଜ ତ୍ରିବେଣୀ ସଂଗମରେ ସନାତନ ସଂସ୍କୃତିର ଦିବ୍ୟ ଉତ୍ସବ

ପ୍ରୟାଗରାଜ ତ୍ରିବେଣୀ ସଂଗମରେ ସନାତନ ସଂସ୍କୃତିର ଦିବ୍ୟ ଉତ୍ସବ
ପୌଷ ପୂର୍ଣ୍ଣିମା ଅମୃତ ସ୍ନାନରୁ ମହାକୁମ୍ଭର ହେଲା ଶୁଭାରମ୍ଭ
ଶତାବ୍ଦୀର ଅପେକ୍ଷା ପରେ ସାଧନା, ସେବା ଓ ଆତ୍ମଶୁଦ୍ଧିର ପବିତ୍ର ଅବସର
ଭାରତୀୟ ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ସାକ୍ଷୀ ବନିଲେ ବିଦେଶୀ
ଦେଶବାସୀଙ୍କୁ ମହାକୁମ୍ଭର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ସଂଗମ ସ୍ଥଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ

ଅର୍ଗସ ବ୍ୟୁରୋ : ସାଧନା, ସେବା ଓ ଆତ୍ମଶୁଦ୍ଧିର ପବିତ୍ର ଅବସର । ଦୀର୍ଘ ୧୪୪ ବର୍ଷ ପରେ ତୀର୍ଥରାଜ ପ୍ରୟାଗରାଜର ଅମୃତ ଭୂମିକୁ ଫେରିଛି ମହାକୁମ୍ଭର ଶୁଭ ମୁହୂର୍ତ୍ତ । ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଉତ୍ସାହର ବାତାବରଣ ।ପବିତ୍ର ପୌଷ ପୂର୍ଣ୍ଣିମା ବ୍ରାହ୍ମ ମୁହୂର୍ତ୍ତରେ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ କମ୍ପୁଛି ଗଙ୍ଗା ଘାଟ । ପ୍ରାୟ 40 ଲକ୍ଷ ଶ୍ରଦ୍ଧାଳୁ ପୌଷ ପୂର୍ଣ୍ଣିମା ସାହି ସ୍ନାନ କରିଥିବାବେଳେ, ଆସନ୍ତାକାଲି ମକର ସଂକ୍ରାନ୍ତି, ୨୯ ତାରିଖରେ ମୌନି ଅମାବାସ୍ୟା, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ୧୨ରେ ମାଘ ପୂର୍ଣ୍ଣିମା ଏବଂ ଶେଷରେ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀରେ ସଂଗମରେ ସ୍ନାନ କରିବାକୁ ଆସିବେ କୋଟି କୋଟି ଶ୍ରଦ୍ଧାଳୁ । ମହାକୁମ୍ଭରେ ସାମିଲ ହେବାକୁ

ଦେଶବିଦେଶରୁ ଛୁଟିଛି ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ଆଗମନ । ମହାକୁମ୍ଭ ପରିଦର୍ଶନ କରିବା ସହ ବୁଡ଼ ପକାଇଛନ୍ତି ପ୍ରସିଦ୍ଧ ଆମେରିକୀୟ ଉଦ୍ୟୋଗୀ ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲୌରେନ ପାଓ୍ବେଲ ଜବ୍ସ । ଦେଶବାସୀଙ୍କୁ ପୌଷ ପୂର୍ଣ୍ଣିମା ଓ ମହାକୁମ୍ଭ ଉଦ୍ଦେଶ୍ୟରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶ୍ବର ସର୍ବବୃହତ୍ ଧାର୍ମିକ ସମାବେଶକୁ ନେଇ ମହାଆୟୋଜନ କରିଛନ୍ତି କେନ୍ଦ୍ର ସହ ଉତ୍ତରପ୍ରଦେଶ ସରକାର। ଓଡ଼ିଶାରୁ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରୟାଗରାଜକୁ ଗଡ଼ିଛି ୮ଟି ବସ୍।

ମହାକୁମ୍ଭକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ସାରା ଦେଶରୁ ପ୍ରୟାଗରାଜକୁ ୧୩ ହଜାର ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଛି । ଯାତ୍ରୀଙ୍କୁ 24 ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରୟାଗରାଜରେ ଶୁଭାରମ୍ଭ ହୋଇଛି 'କୁମ୍ଭ ୱାର ରୁମ' । ଏଥର 40ରୁ 45 କୋଟି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ସମ୍ଭାବନା ଥିବାରୁ ସୂଚନା କେନ୍ଦ୍ର, ମହାକୁମ୍ଭ ମୋବାଇଲ ଆପ୍, ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା ହୋଇଥିବା କହିଛନ୍ତି ଡିଜିପି ।
ମହାକୁମ୍ଭରେ ସନାତନ ପରମ୍ପରାର ଝଲକ । ବିଦେଶୀ ଅତିଥି ଓ ପର୍ଯ୍ୟଟକଙ୍କୁ ବିସ୍ମିତ କରୁଛି ଏତେ ବିଶାଳ ଆୟୋଜନ । କୁମ୍ଭମେଳାରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ସମର୍ପଣ ଓ ଶ୍ରଦ୍ଧା । ମା ଗଙ୍ଗାଙ୍କ ଭକ୍ତିରେ ନଉଁଛି ଭକ୍ତର ମଥା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World famous mahakumbha festival in prayagraj started from today | Argus News