ଓ୍ବକଫ୍ କାହାକୁ ଅଡୁଆ, କାହିଁକି ବଢିଆ ?

ଓ୍ବକଫ୍ ବିଲ୍କୁ ନେଇ ଏବେ ରାଜ୍ୟରେ ଭାଗଭାଗ ହୋଇଯାଇଛି ବିଜେଡି। ରାଜ୍ୟରେ ଓ୍ବକଫ୍ ସମର୍ଥନ ଓ ବିରୋଧରେ ବିଜେଡି ରାଜ୍ୟସଭା ସାଂସଦଙ୍କ ମତମନ୍ତବ୍ୟକୁ ନେଇ ଦୋହଲୁଛି ଦଳ। ଘଡିକେ ଘୋଡା ଛୁଟିଲା ଭଳି ପୃଥକ ପୃଥକ ମେଳି କରୁଛନ୍ତି ବିଜେଡି ଛାମୁଆ ନେତା। କିଛି ବିଜେଡି ନେତା କେନ୍ଦ୍ର ସରକାରଙ୍କର ଏହି ମହତ୍ତ ଉଦ୍ଦେଶ୍ୟର ସପକ୍ଷରେ ଥିବା ବେଳେ କିଛିନେତା ଦଳୀୟ ରାଜନୀତି ପାଇଁ ବିରୋଧ କରୁଛନ୍ତି। ସେ ଯାହାବି ହେଉ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସଂଶୋଧିତ ଓ୍ପକଫ୍ ୨୦୨୪ ଆଇନ୍ ରେ ପରିଣତ ହୋଇଛି।
ଜାଣନ୍ତୁ କାହିଁକି ସଂଶୋଧନ ହେଲା ଓ୍ବକଫ ଆଇନ୍। ଆଉ ନିଶ୍ଚିନ୍ତ ହୁଅନ୍ତୁ ଦେଶ ପାଇଁ ଓ୍ବକଫ୍ ଅଡୁଆ ନା ବଢିଆ ?
ଓ୍ବକଫ୍ ଅଡୁଆ ନା ବଢିଆ ତାହା ଜାଣିବାକୁ ହେଲେ ପ୍ରଥମେ ଆମକୁ ବୁଝିବାକୁ ପଡିବ ଓ୍ବାକଫ୍ କ'ଣ ? ଇସଲାମିକ ପରମ୍ପରାରେ ଓ୍ୱକଫ ବ୍ୟବସ୍ଥା ରହିଛି। ଯାହା ଅଧିନରେ ଜଣେ ମୁସଲମାନ ବ୍ୟକ୍ତି ନିଜ ସମ୍ପତ୍ତିକୁ ଧାର୍ମିକ ଓ ସାମାଜିକ କଲ୍ୟାଣ ପାଇଁ ଦାନ କରି ପାରିବ। ଭାରତରେ ପ୍ରତ୍ୟେକ ରାଜ୍ୟରେ ଓ୍ୱକଫ ବୋର୍ଡ ରହିଛି, ଯାହା ଓ୍ବକଫ୍ ସମ୍ପତ୍ତିକୁ ପରିଚାଳନା କରେ। ଯାହା ୧୯୯୫ ରୁ ଚାଲି ଆସିଛି। ଏବେ ଏହା ସଂଶୋଧିତ ହୋଇଛି ଓ୍ୱକଫ୍ ସଂଶୋଧନ ଆଇନ୍ ୨୦୨୪ ହୋଇଛି। ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇ ସାରିଥିଲେ ବି, ତାତି ଥମିନି ?
ବିରୋଧୀଙ୍କ ସ୍ବର କେବଳ ଗୋଟିଏ ସରକାର ମୁସଲମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି। ମୁସଲମାନ ସମ୍ପ୍ରଦାୟକୁ ହଇରାଣ କରୁଛନ୍ତି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୯୫ ଓ୍ବକଅଫ ଆଇନ୍ ଯୋଗୁ ମୁସଲମାନ ମାନେ ହିଁ ସୁବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଯାହାର ସ୍ବର ସୀମିତ ହୋଇପାରେ, ହେଲେ ଉଦାହରଣ ଅନେକ
ସରକାରୀ ତଥ୍ୟ କହୁଛି ଏବେ ଅତି କମରେ ୫୮,୮୮୯ ୱାକଫ ସମ୍ପତ୍ତି ଜବରଦଖଲ କରାଯାଇଛି, ତା ବିରୋଧରେ ୧୩ ହଜାରରୁ ଅଧିକ ମାମଲା ଦାୟର ହୋଇଛି। ୪,୩୫,୦୦୦ ରୁ ଅଧିକ ସମ୍ପତ୍ତିର ସ୍ଥିତି ଅଜଣା ରହିଛି। ଓ୍ବକଫ୍ ଜମିର ବେଆଇନ୍ ଦଖଲ, ପରିଚାଳନା ଏବଂ ମାଲିକାନା ବିବାଦ, ସମ୍ପତ୍ତି ପଞ୍ଜୀକରଣ ଏବଂ ସର୍ବେକ୍ଷଣରେ ବିଳମ୍ବ ଭଳି ମାଳମାଳ ଅଭିଯୋଗ ରହିଛି ମନ୍ତ୍ରଣାଳୟ ପାଖରେ। ଆଇନର ଆଢୁଆଳେ କେତେକ ରାଜ୍ୟର ଓ୍ବକଫ୍ ବୋର୍ଡ ସେମାନଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି, ଯାହା ଗୋଷ୍ଠୀ ଓ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିଛି। ଓ୍ବକଫ୍ ଆଇନ୍ ଧାରା ୪୦ର ଅପବ୍ୟବହାର ହୋଇ ଘରୋଇ ସମ୍ପତ୍ତିକୁ ଓ୍ବକଫ୍ ସମ୍ପତ୍ତି ଘୋଷଣା କରାଯାଇଥିବା ପ୍ରମାଣ ସାମ୍ନାକୁ ଆସିଛି।
ଯେଉଁଥିରେ ସଂସ୍କାର ଆଣିବା ପାଇଁ ୮ ଅଗଷ୍ଟ ୨୦୨୪ରେ ଓ୍ବକଫ୍ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଓ ଓ୍ବକଫ୍ ସମ୍ପତ୍ତିରେ ଦକ୍ଷ ପରିଚାଳନା ଶୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଦୁଇଟି ବିଲ୍ ଲୋକସଭାରେ ଉପସ୍ଥାପିତ କରାଯାଇଥିଲା। ଗୋଟେ ହେଉଛି ଓ୍ବକଫ୍ ସଂଶୋଧନ ବିଲ୍ ୨୦୨୪ ଓ ଅନ୍ୟଟି ହେଉଛି ଓ୍ୱକଫ ବିଲ୍ ୧୯୯୫ର ଉଚ୍ଛେଦ।
📱 Get Argus News App
✨ଓ୍ବକଫ୍ ବିଲ୍ ଲୋକସଭାରେ ଉପସ୍ଥାପନା କରିବା ପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ପରାମର୍ଶ ନେଇଥିଲା। ଜନ ପ୍ରତିନିଧି , ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ଅଭିଯୋଗକୁ ବିଚାରକୁ ନିଆଯାଇଥିଲା। ଯେଉଁଥିରେ ସ୍ପଷ୍ଟ ହୋଇଥିଲା ବିଭିନ୍ନ ଗଳାବାଟ ଦେଇ ଆଇନର ଅପବ୍ୟବହାର ହୋଇଛି। ମନ୍ତ୍ରଣାଳୟ ମଧ୍ୟ ଏନେଇ ରାଜ୍ୟ ଓ୍ବକଫ୍ ବୋର୍ଡ ଗୁଡିକ ସହିତ ପରାମର୍ଶ କରିଥିଲା। ରାଜ୍ୟ ବୋର୍ଡ ଗୁଡିକ ଆଇନର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଥିଲେ।
ପରେ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିଲା ଓ୍ବକଫ୍ ବିଲ୍ ୧୯୯୫ରେ ଥିବା ବ୍ୟବସ୍ଥା ଗୁଡିକର ସମୀକ୍ଷା। ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ପାଇଁ ୨୦ ଜୁଲାଇ ୨୦୨୩ ରେ ଦିଲ୍ଲୀରେ ଓ ପରେ ୨୪ ଜୁଲାଇ ୨୦୨୩ ରେ ଲକ୍ଷ୍ନୌରେ ପୃଥକ ପୃଥକ ବୈଠକ କରାଯାଇଥିଲା। ଏଥିରେ ବ୍ୟବସ୍ଥାକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ପ୍ରଭାବିତ ଅଂଶୀଦାରମାନଙ୍କ ସମସ୍ୟାର ସମାଧାନ ପାଇଁ ଆଇନରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଆଉ ନିଷ୍ପତ୍ତି ହୋଇଥିଲା କେନ୍ଦ୍ରୀୟ ଓ୍ବକଫ୍ ବୋର୍ଡ ସି.ଡବ୍ଲୁ.ସି ଏବଂ ରାଜ୍ୟ ଓ୍ବକଫ୍ ବୋର୍ଡ ଏସ.ଡବ୍ଲୁ.ବିର ମୂଳଦୂଆକୁ ସମ୍ପ୍ରସାରିତ କରିବା। ଟ୍ରିବ୍ୟୁନାଲ ଗୁଡିକର ପୁନର୍ଗଠନ କରିବା, ପଞ୍ଜିକରଣ ପ୍ରକ୍ରିୟାରେ ଉନ୍ନତି କରିବା, ଶୀର୍ଷକ ଘୋଷଣା, ଓ୍ବକଫ୍ ସମ୍ପତ୍ତିର ସର୍ଭେ, ଓ୍ବକଫ୍ ସମ୍ପତ୍ତିର ପରିବର୍ତ୍ତନ, ମୁତଓ୍ବାଲୀମାନଙ୍କ ଦ୍ବାରା ଆକାଉଣ୍ଟ ଦାଖଲ କରିବା, ବାର୍ଷିକ ଆକାଉଣ୍ଟ ଦାଖଲ କରିବାରେ ସଂସ୍କାର, ଉଚ୍ଚଷଦ ସମ୍ପତ୍ତି, ସୀମା ଅଧିନିୟମ ସମ୍ବନ୍ଧୀୟ ବ୍ୟବସ୍ଥା ଗୁଡିକର ସମୀକ୍ଷା ଆଦି କରିବା।
ଭାରତରେ ଲାଗୁ ପୂର୍ବରୁ ଥିବା ଓ୍ୱକଫ୍ ଆଇନ୍ ୧୯୯୫ ନିୟମ ଠାରୁ ଅନ୍ୟଦେଶ ଗୁଡିକ ଓ୍ବକଫ୍ ସମ୍ପତ୍ତି ପରିଚାଳନା ଭିନ୍ନ। ସାଉଦି ଆରବ, ଇଜିପ୍ଟ, କୁଏତ, ଓମାନ, ପାକିସ୍ତାନ, ବାଲାଂଦେଶ ଏବଂ ତୁର୍କୀରେ ପରିଚାଳନା ନେଇ ଅନୁଧ୍ୟାନ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ହୋଇଛି ଓ୍ୱକଫ୍ ସମ୍ପତ୍ତି ସାଧାରଣତଃ ସରକାରଙ୍କ ଦ୍ବାରା ଏବଂ ଅନୁଷ୍ଠାନ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ୨୦୨୪ ଓ୍ବକଫ ଅଧିନିମୟରେ, ୧୯୯୫ ଅଧିନିୟମରେ ଥିବା ବହୁ ତୃଟିକୁ ସୁଧାରୀ ଦିଆଯାଇଛି।
ଏବେ ନୂତନ ଅଧିନିୟମ ଅନୁସାରେ, ଓ୍ବକଫ ସମ୍ପତ୍ତି ପରିଚାଳନା ସ୍ବଚ୍ଛ କରିବା ପାଇଁ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଓ୍ବକଫ ବୋର୍ଡରେ ଦୁଇଜଣ ଅଣ ମୁସଲମାନ ସଦସ୍ୟଙ୍କୁ ସାମିଲ କରାଯିବ। ପୂର୍ବରୁ କେବଳ ମୁସଲମାନ ସଦସ୍ୟ ରହୁଥିଲେ। ସେହିଭଳି ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଅନୁଷ୍ଠାନ ଗୁଡିକୁ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତି ଅଡିଟରଙ୍କ ଦ୍ବାରା ଅଡିଟ୍ କରିବାକୁ ପଡିବ।
ସାମାଜିକ ଆବଶ୍ୟକତା ପୂରଣ କରିବାରେ ଓ୍ୱକଫ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଅବହେଳିତଙ୍କ ପାଇଁ। ତେବେ ଓ୍ବକଫ୍ ସଂଶୋଧନ ୨୦୨୪ ଗରିବଙ୍କୁ ବହୁ ମାତ୍ରାରେ ଉପକୃତ କରିବ ବୋଲି ଆଶା କରାଯାଉଛି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ପାଇଁ ଡିଜିଟାଇଜେସନ କରାଯିବ। ଯେଉଁ ପୋର୍ଟାଲ ଓ୍ବକଫ୍ ସମ୍ପତ୍ତି ଉପରେ ନଜର ରଖିବ। ଶିକ୍ଷା, ସ୍ବାସ୍ଥ୍ୟ, ଜୀବୀକା, ସହାୟତା ପାଇଁ ପାଣ୍ଠି ଆବଣ୍ଟନ କରାଯିବ, ଯେଉଁଥିରେ ଆର୍ଥିକ ଦୁର୍ବଳ ବର୍ଗ ସିଧାସଳଖ ଉପକୃତ ହେବେ। ବିଧବା, ଗରିବ, ଅସହାୟ ମହିଳାଙ୍କୁ ସହାୟତା ମିଳିବ। ଓ୍ବାକଫ୍ ପରିଚାଳନାରେ ମହିଳା ପ୍ରତିନିଧି ରହିବେ । ରାଜ୍ୟ ଓ୍ବାକଫ୍ ବୋର୍ଡରେ ଦୁଇ ଜଣ ମୁସଲିମ୍ ମହିଳା ସଦସ୍ୟ ରହିବେ । କେନ୍ଦ୍ରୀୟ ଓ୍ବାକଫ୍ କାଉନସିଲରେ ଦୁଇଜଣ ମୁସଲିମ୍ ମହିଳା ସଦସ୍ୟ ରହିବେ । ମହିଳା ଉତ୍ତରାଧିକାରୀଙ୍କୁ ଓ୍ବାକଫ୍ ବୋର୍ଡରୁ ସମ୍ପତ୍ତି ମିଳିବ । ସରଳ ଭାଷାରେ କହିବାକୁ ଗଲେ ଓ୍ବକଫ୍ ୨୦୨୪, ଓ୍ବକଫ ନାମରେ ଦୁର୍ନୀତି ବଢାଉଥିବା କିଛି ମୁଷ୍ଟିମେୟ ଲୋକଙ୍କ କାର୍ଯ୍ୟରେ ବ୍ରେକ୍ ଲଗାଇବ। ଦାନ ସମ୍ପତ୍ତି ସମାଜ କଲ୍ୟାଣରେ ସ୍ବଚ୍ଛତାର ସହ ବିନିଯୋଗ ହେବ ।