କାଙ୍ଗାଳ କରୁଛି ଅନଲାଇନ୍ ଗେମ୍

ଅନଲାଇନ୍ ଗେମ୍ ପାଇଁ ଦିଗହରା ଯୁବପିଢି। ଅନଲାଇନ୍ ଗେମ୍ ଖେଳି କୋଟିକୋଟି ଟଙ୍କା ଲାଭ କରିବା ଆଶାରେ କିଏ କାଙ୍ଗାଳ ହୋଇ ଯାଉଛି ତ ଆଉ କାହାର ଯାଉଛି ଜୀବନ। ବର୍ତ୍ତମାମାନ ଆଇପିଏଲ୍ ଚାଲିଥିବାରୁ ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି ବହୁ ଅନଲାଇନ୍ ବେଟିଂ ଆପ୍। ଗତ ସପ୍ତାହରେ କେନ୍ଦୁଝର ଜିଲାରୁ ଆସିଥିବା ଏକ ଖବର ସମସ୍ତଙ୍କୁ ତାଜୁବ କରି ଦେଇଥିଲା। କେନ୍ଦୁଝରର ଅନୀଲ ନାମକ ଜଣେ ଯୁବକ ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କା ଜିତିଥିବା ଖବର ଆସିବା ପରେ ଆହୁରି ଚଳଚଞ୍ଚଳ ହୋଇଯାଇଛି ଅନଲାଇନ୍ ଗେମ୍ ଆପ ଗୁଡିକ। ନିମିଶକେ ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ଏବେ ଅନଲାଇନ୍ ଗେମକୁ ଏକ ପ୍ରଫେସନ ଭାବେ ନେଇଯାଇଛନ୍ତି କିଛି ଯୁବକ ଯୁବତୀ। କମ୍ ସମୟରେ କୋଟିପତି ହେବା ଆଶାରେ ଲଗାଇ ଦେଉଛନ୍ତି ଲକ୍ଷଲକ୍ଷ ଟଙ୍କା।
ଭୁବନେଶ୍ବରରେ ଜଣେ ୨୩ ବର୍ଷୀୟ ଯୁବକ ଏହି ଅନଲାଇନ୍ ଗେମରେ ୭ ଲକ୍ଷ ଟଙ୍କା ହାରିବା ପରେ ଶେଷରେ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ହେଉଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର ବିରଞ୍ଚି ନାୟକଙ୍କ ପୁଅ ବିକାଶ। ସେ ଧାର କରଜ କରି ୭ ଲକ୍ଷ ଟଙ୍କା ଖେଳି ହାରି ସାରିଛନ୍ତି। ଏବେ ଧାର କରଜ ସୁଝିବା ପରିସ୍ଥିତି ନଥିବାରୁ ମାନସିକ ଭାରସ୍ୟାମ ହରାଇ ଜୀବନ ହାରିଛନ୍ତି। ସେହିଭଳି ବାଲେଶ୍ବର ଜଳେଶ୍ବର ଅଞ୍ଚଳର ଜଣେ ଯୁବକ ୫ ଲକ୍ଷ ଟଙ୍କା ହରାଇବାରୁ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେ ଚେନ୍ନାଇରୁ ଚାକିରି ଛାଡି ଆସି ଘରେ ରହି ଟ୍ୟୁସନ କରି ଚଳୁଥିଲେ। କମ୍ ସମୟରେ ଅଧିକ ଟଙ୍କା ଆଶାରେ ଅନଲାଇନ୍ ଗେମ୍ ଖେଳୁଥିଲେ। ଏବେ ୫ ଲକ୍ଷରୁ ଅଧିକ ଟଙ୍କା ହାରିବା ପରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।
📱 Get Argus News App
✨ଆଇପିଏଲ ଆରମ୍ଭ ପୂର୍ବରୁ ଗୋଟିଏ ମ୍ୟାଚରେ ୧ ନଂ ବିଜେତାଙ୍କୁ ୩ କୋଟି ମିଳୁଥିଲା। ଏବେ ଲୋକେ ଏହି ଅନଲାଇନ୍ ଜୁଆ ପ୍ରତି ଆକର୍ଷିତ ହେଉଥିବାରୁ କମ୍ପାନୀ ପ୍ରଥମ ବିଜେତାଙ୍କ ପାଇଁ ଅର୍ଥରାଶି ୩ କୋଟିରୁ ୪ କୋଟିକୁ ବୃଦ୍ଧି କରିଛି। ଯାହାକି ଏହି ଅନଲାଇନ୍ ଜୁଆ ପ୍ରତି ଲୋକଙ୍କ ଆଗ୍ରହ ବଢାଉଛି। ସାଧାରଣତ ଗୋଟିଏ ମ୍ୟାଚରେ କୋଟିଏ ୨୫ ଲକ୍ଷରୁ ଅଧିକ ଲୋକ ଭାଗ ନିଅନ୍ତି। ଜଣେ ଗୋଟିଏ ଟିମ୍ ପାଇଁ ୪୯ ଟଙ୍କା ଦେଉଥିବା ବେଳେ, ରାଙ୍କ୍ ୧ ପାଇଁ ୪ କୋଟି, ରାଙ୍କ ୨ ପାଇଁ ୧୦ ଲକ୍ଷ, ରାଙ୍କ ୩ ପାଇଁ ୫ ଲକ୍ଷ, ରାଙ୍କ ୪ ପାଇଁ ୨ଲକ୍ଷ ୫୦ ହଜାର, ରାଙ୍କ ୫ ଓ ୬ ପାଇଁ ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ ୭ ଓ ୮ ପାଇଁ ୫୦ ହଜାର ପାଆନ୍ତି।
ବେଳେବେଳେ ଖେଳ ପ୍ରତି ଅଧିକ ଲୋକଙ୍କୁ ଆକର୍ଷିତ କରିବାକୁ କମ୍ପାନୀମ ମ୍ୟାଚ୍ ପ୍ରବେଶ ମୂଲ୍ୟ କମ୍ କରିଥାନ୍ତି। ଗୋଟିଏ ମ୍ୟାଚରେ ୧ କୋଟି ୨୯ ଲକ୍ଷ ୩୪ ହଜାର ୭୫୧ ଟି ସ୍ପଟ୍ ରହିଥିବା ବେଳେ ପ୍ରବେଶ ଶୁଳ୍କ ୪୯ ଟଙ୍କା। କମ୍ପାନୀ ପ୍ରବେଶ ୪୯ ଟଙ୍କା ଉପରେ ରିହାତି ଦେଇ ୨୯ ଟଙ୍କାରେ ସମସ୍ତ ସ୍ପଟ୍ ବିକ୍ରି କଲେ ୩୭ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ କରିବ। ଆଉ ୧ ରୁ ରାଙ୍କ ୧୦ ଭିତରେ ଖର୍ଚ୍ଚ କରିବ ମାତ୍ର ୫ କୋଟିରୁ କମ୍ ଟଙ୍କା। ଅନଲାଇନ୍ ଜୁଆ ଖେଳ ପାଇଁ ଅଧିକ ଟ୍ରେଣ୍ଡରେ ଥିବା ଏକ ଆପ୍ଲିକେସନ ତଥ୍ୟ ଅନୁସାରେ ସେହି ଆପ୍ରେ ୪୯ ଟଙ୍କାରେ ମ୍ୟାଚ୍ ଖେଳି ଆଜି ପର୍ଯ୍ୟନ୍ତ ୧୫୭୬ ଜଣ କୋଟିପତି ହୋଇଥିବା ବେଳେ ୧ ଲକ୍ଷ ୬ ହଜାରରୁ ଅଧିକ ଲୋକ ଲକ୍ଷପତି ହୋଇଛନ୍ତି। କିନ୍ତୁ ସେହି ମ୍ୟାଚ୍ ଖେଳି ଆଜି ପର୍ଯ୍ୟନ୍ତ କେତେ ଲୋକ ସର୍ବସ୍ବ ହରାଇଛନ୍ତି ଆଉ କିଏ ଜୀବନ ହାରିଛି ତାହାର ତଥ୍ୟ କାହା ପାଖରେ ନାହିଁ। ଜୁଆ କାହା କାହାକୁ ରଙ୍କରୁ ରାଜା କରିଦେଉଛି ତ ଆଉ କାହାକୁ ରାଜାରୁ କାଙ୍ଗାଳ କରି ଦେଉଛି। ତେଣୁ ଜୁଆ ଖେଳରୁ ନିବୃତ୍ତ ରହିବା ନିଜ ଓ ପରିବାର ପାଇଁ ଭଲ ହେବ।