Videos
|
National

Young Girl Arrested / ଟ୍ରେନରୁ ଗିରଫ ହେଲେ ଏହି ଯୁବତୀ, ଜାଣନ୍ତୁ କଣ ପାଇଁ ହେଲେ ଗିରଫ?

Bikash Mohanty
Browse all articles by Bikash Mohanty
·1 hour ago·3 min read
ଟ୍ରେନରୁ ଗିରଫ ହେଲେ ଏହି ଯୁବତୀ, ଜାଣନ୍ତୁ  କଣ ପାଇଁ ହେଲେ ଗିରଫ?
Neha

Key Points

ଟ୍ରେନରୁ ଗିରଫ ହେଲେ ଯୁବତୀ
ଏସି କୋଚରେ ଦେଢ଼ ଲକ୍ଷ ଟଙ୍କାର ମଦ ସହ ଗିରଫ
ବିହାରର ସମସ୍ତିପୁରର ଘଟଣା

ସମସ୍ତିପୁର,୦୭/୦୯: ସମସ୍ତିପୁର: ଟ୍ରେନରେ ଯାତ୍ରା କରୁଥିଲେ ଜଣେ ଶିକ୍ଷିତ ଯୁବତୀ। ଦେଖିବାକୁ ସାଧାରଣ ଯାତ୍ରୀଙ୍କ ଭଳି ଲାଗୁଥିଲେ। କିନ୍ତୁ ବ୍ୟାଗ ଭିତରେ ଥିଲା ଲକ୍ଷାଧିକ ଟଙ୍କାର ବ୍ରାଣ୍ଡେଡ୍ ବିଦେଶୀ ମଦ। ପୋଲିସର ନଜରରୁ ବଞ୍ଚିବା ପାଇଁ ପ୍ରଥମ ଏସି କୋଚ୍‌କୁ ବାଛିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଶେଷରେ ଆରପିଏଫ୍ ତଲାସୀରେ ଧରାପଡ଼ିଗଲେ ୨୫ ବର୍ଷୀୟ ଜଣେ ଗ୍ରାଜୁଏଟ୍ ଯୁବତୀ। ତାଙ୍କ ସହ ଥିବା ଜଣେ ସମ୍ପର୍କୀୟ ମଧ୍ୟ ଗିରଫ ହୋଇଛନ୍ତି।

ଘଟଣାଟି ଦିଲ୍ଲୀ-ଜୟନଗର ସ୍ୱାଧୀନତା ସେନାନୀ ଏକ୍ସପ୍ରେସ୍‌ରେ ଘଟିଥିବା ଜଣାପଡ଼ିଛି। ଗିରଫ ଯୁବତୀ ହେଉଛନ୍ତି ବିହାରର ସମସ୍ତିପୁର ଜିଲ୍ଲାର ବାରି ଗାଁର ନେହା ଝା। ନେହା ତାଙ୍କ ନିକଟ ସମ୍ପର୍କୀୟ ଇଶାନ କୁମାରଙ୍କ ସହ ପ୍ରଥମ ଏସି କୋଚ୍‌ରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଆରପିଏଫ୍ କର୍ମଚାରୀମାନେ ସନ୍ଦେହରେ ତଲାସୀ କରିଥିଲେ। ତଲାସୀ ବେଳେ ସେମାନଙ୍କ ବ୍ୟାଗରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଣ୍ଡେଡ୍ ବିଦେଶୀ ମଦ ଜବତ ହୋଇଥିଲା।

ମଦ ଜବତ ପରେ ଉଭୟଙ୍କୁ ହେପାଜତକୁ ନିଆଯାଇଥିଲା। ପରେ ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ବେଳେ ସେମାନଙ୍କୁ ସମସ୍ତିପୁର ଜିଲ୍ଲା ଜେଲରେ ରଖାଯାଇଛି।

ଗ୍ରାହକଙ୍କ ତାଲିକାରେ ଡାକ୍ତରଙ୍କଠାରୁ ବ୍ୟବସାୟୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସର ପ୍ରାଥମିକ ତଦନ୍ତରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜବତ ମଦ ଦରଭଙ୍ଗାର କିଛି ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଆଯାଉଥିଲା ବୋଲି ପୋଲିସର ଅଭିଯୋଗ। ଏହି ଗ୍ରାହକଙ୍କ ମଧ୍ୟରେ ଡାକ୍ତର ଏବଂ ବ୍ୟବସାୟୀ ମଧ୍ୟ ଥିବା ତଦନ୍ତକାରୀମାନେ କହିଛନ୍ତି। ପୋଲିସ ଏବେ କେବଳ ମଦ କେଉଁଠୁ ଆସିଥିଲା ତାହା ନୁହେଁ, ଏହା କାହା ପାଖକୁ ଯିବାର ଥିଲା ଏବଂ ଏହା ପଛରେ କେତେ ବଡ଼ ନେଟୱାର୍କ କାମ କରୁଛି, ସେନେଇ ତଦନ୍ତ କରୁଛି। କଥିତ ହୋମ୍ ଡେଲିଭରି ନେଟୱାର୍କର ସନ୍ଧାନ ମଧ୍ୟ ଚାଲିଛି।

ପଢନ୍ତୁ ଏହି ଖବର: TMC ସାଂସଦ ନଦିମୁଲ୍ଲଙ୍କ ଘରେ ED ରେଡ୍ , ୭ଟି ସ୍ଥାନରେ ରେଡ୍

ଉଚ୍ଚଶିକ୍ଷିତ ଯୁବତୀ, ହେଲେ କିପରି ମଦ ନେଟୱାର୍କରେ ସାମିଲ?

ନେହା ଏଲଏନ୍ ମିଥିଳା ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଏକ କଲେଜରୁ ସ୍ନାତକୋତ୍ତର କରିଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ପାଇଁ ସେ ଦରଭଙ୍ଗାରେ ରହୁଥିଲେ। ତଦନ୍ତକାରୀଙ୍କ ଅନୁସାରେ ଏହା ନେହାଙ୍କ ପ୍ରଥମ ଗିରଫଦାରୀ। ତେବେ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ପୂର୍ବରୁ ଅବୈଧ ମଦ ସମ୍ପର୍କିତ ମାମଲା ଥିବା ଦାବି କରିଛି ପୋଲିସ।

ପୋଲିସ କହିଛି ଯେ ନେହାଙ୍କ ବାପା ଓ ଭଉଣୀଙ୍କୁ ପୂର୍ବରୁ ବିହାର ଅବକାରୀ ଏବଂ ନିଷେଧ ଆଇନ ଅନୁସାରେ ଗିରଫ କରାଯାଇଥିଲା। ତାଙ୍କ ସହ ଗିରଫ ଇଶାନ ଜଣେ ବି.ଟେକ୍ ସ୍ନାତକ ଏବଂ ସେ ନେହାଙ୍କ ବଡ଼ ଭଉଣୀଙ୍କ ସ୍ୱାମୀଙ୍କ ଭାଇ ବୋଲି ଜଣାପଡ଼ିଛି।

ପ୍ରଥମ ଏସି କୋଚ୍ କାହିଁକି?

ଏହି ମାମଲାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ନେହାଙ୍କ ଟ୍ରେନ୍ ଯାତ୍ରା। ଜିଆରପି ଇନ୍ସପେକ୍ଟର ବୀରବଲ କୁମାରଙ୍କ କହିବା ଅନୁସାରେ, ପୋଲିସର ଯାଞ୍ଚରୁ ଦୂରେ ରହିବା ପାଇଁ ସେ ପ୍ରଥମ ଏସି କୋଚ୍ ବାଛିଥାଇପାରନ୍ତି। ତଦନ୍ତକାରୀମାନେ ଏହା ମଧ୍ୟ ସନ୍ଦେହ କରୁଛନ୍ତି ଯେ ଏହି କାରବାରରେ ସେ ଦୀର୍ଘ ସମୟ ଧରି ଜଡ଼ିତ ଥାଇପାରନ୍ତି।

ପୋଲିସ ଅନୁସାରେ, ନେହାଙ୍କ ଶାଳକ ବର୍ତ୍ତମାନ ମଧ୍ୟ ଏକ ନିଷେଧ ମାମଲାରେ ଛାପରା ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ଏହାକୁ ଆଧାର କରି ତଦନ୍ତକାରୀମାନେ ପରିବାର ଓ ମଦ ଯୋଗାଣ ନେଟୱାର୍କ ମଧ୍ୟରେ ଥିବା ସମ୍ଭାବ୍ୟ ସମ୍ପର୍କର ଖୋଳତାଡ଼ କରୁଛନ୍ତି।

ବିହାରରେ ମଦ ବିରୋଧୀ ଅଭିଯାନ ଜୋରଦାର

ଉଲ୍ଲେଖଯୋଗ୍ୟ, ବିହାର ୨୦୧୬ ମସିହା ଏପ୍ରିଲ୍‌ରୁ ମଦ ନିଷେଧ ଲାଗୁ ହୋଇଥିବା ରାଜ୍ୟ। ଏହା ସତ୍ତ୍ୱେ ପଡ଼ୋଶୀ ରାଜ୍ୟରୁ ମଦ ଚୋରାଚାଲାଣ ରୋକିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇରହିଛି। ପୋଲିସର ଦାବି ଅନୁସାରେ, ଚୋରା ମଦ ପରିବହନ ପାଇଁ ଟ୍ରେନ୍‌କୁ ମଧ୍ୟ ବ୍ୟବହାର କରାଯାଉଛି।

ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୧ରୁ ୩୧ ମଧ୍ୟରେ ବିହାର ପୋଲିସ ସାରା ରାଜ୍ୟରେ ଅବୈଧ ମଦ ବିରୋଧରେ ପ୍ରାୟ ୧.୧୨ ଲକ୍ଷ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରାୟ ୭.୧୦ ଲକ୍ଷ ଲିଟର ମଦ ଜବତ ହୋଇଥିବା ବେଳେ ପ୍ରାୟ ୧୦ ହଜାର ମାମଲାରେ ୧୧,୩୦୦ ଜଣଙ୍କୁ ଗିରଫ କରାଯାଇଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି।

ଏବେ ନେହା ଓ ଇଶାନଙ୍କ ଗିରଫ ପରେ ତଦନ୍ତକାରୀଙ୍କ ନଜର ରହିଛି ଦରଭଙ୍ଗାର କଥିତ ଗ୍ରାହକ, ମଦ ଯୋଗାଣକାରୀ ଏବଂ ହୋମ୍ ଡେଲିଭରି ନେଟୱାର୍କ ଉପରେ। ଏହି ଦେଢ଼ ଲକ୍ଷ ଟଙ୍କାର ମଦ ପଛରେ ଆଉ କେତେ ବଡ଼ ନେଟୱାର୍କ ଲୁଚିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।