ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକ୍ ଲିଙ୍କର ଫିଟୁଛି ଗୁମର

Key Points
ପାକ୍ ଲିଙ୍କର ଫିଟୁଛି ଗୁମର
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକ୍ ଲିଙ୍କ୍
ଅପରେସନ ସିନ୍ଦୂରର ଦିନକ ପୂର୍ବରୁ ଡାନିସଙ୍କୁ ଦିଲ୍ଲୀରେ ଭେଟିଥିଲେ
ପାକ୍ ହାଇକମିଶନର କର୍ମଚାରୀ ଥିଲେ ଡାନିସ
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକ୍ ଲିଙ୍କର ଫିଟୁଛି ଗୁମର । ଏପରିକି ଅପରେସନର ସିନ୍ଦୂରର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ହାଇକମିଶନ କର୍ମଚାରୀ ଡାନିସଙ୍କୁ ଦିଲ୍ଲୀରେ ଭେଟିଥିଲେ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ସହ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ ହୋଇଯାଇଥିଲା । ପୁରା ଉତ୍ତରଭାରତରେ ଜାରି ହୋଇଥିଲା ହାଇ ଆଲର୍ଟ । ଏହି ସମୟରେ ଜ୍ୟୋତି ଡାନିସଙ୍କ ସହ ଯୋଗାଯୋଗରେ ରହିଥିଲା । ଜ୍ୟୋତି ପାକିସ୍ତାନକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇଥିବା ଅଭିଯୋଗ ରହିଛି। ଏନେଇ ଜ୍ୟୋତିଙ୍କୁ ଗିରଫ କରିଛି ହରିଆନା ପୋଲିସ ।
ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତା। ୨୧ ସେପ୍ଟେମ୍ବର ୨୦୨୪ରେ ପୁରୀ ଆସିଥିଲେ ଜ୍ୟୋତି । ଶ୍ରୀମନ୍ଦିର ସମ୍ମୁଖରେ ଏକ ହୋଟେଲରେ ରହିବା ସହ ଶ୍ରୀମନ୍ଦିର ସମେତ ପୁରୀ ଓ କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଭିଡିଓ କରିଥିଲା। ଜ୍ୟୋତିର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ହାଣ୍ଡଲରଙ୍କ ସହ ଲଗତାର ସମ୍ପର୍କରେ ଥିବା ନେଇ ସୂଚନା ଦେଇଛି ହିସାର ପୋଲିସ।
ପାକିସ୍ତାନ ଦୂତାବାସର ନିଷ୍କାସିତ ଅଧିକାରୀ ଡାନିସ ସହ ଥିଲା ଜ୍ୟୋତିର ବନ୍ଧୁତା। ଜ୍ୟୋତି ଘରୁ ଜବତ ମୋବାଇଲ ଫୋନ୍ ସମେତ ଇଲେକ୍ଟୋନିକ୍ସ ଗ୍ୟାଜେଟଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି ପୋଲିସ। ୩ ଥର ପାକସ୍ତାନ ଗସ୍ତରେ ଯାଇଥିଲା ଜ୍ୟୋତି। ତାର ସମସ୍ତ ଗସ୍ତ ଖର୍ଚ୍ଚ ରହିବା ବୁଲିବା ବ୍ୟବସ୍ଥା ISI କରୁଥିବା ଜଣାପଡ଼ିଛି। ତେବେ ରବିବାର ପୋଲିସ ପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପଚରାଉଚୁରା କରିଛି। ଏପରିକି ଇଣ୍ଟେଲିଜେନ୍ସ ବ୍ୟୁରୋ ବି ପୁରୀ ପୋଲିସ ସହ ଯୋଗାଯୋଗରେ ଅଛି। ପ୍ରିୟଙ୍କାଙ୍କୁ ପୁରୀ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିର୍ଦ୍ଦୋଶ ଥିବା ନେଇ ଦେଇଛନ୍ତି ସଫେଇ। କିନ୍ତୁ ପ୍ରିୟଙ୍କାର ଇନଷ୍ଟାଗ୍ରାମ ପୋଷ୍ଟ ସହ ଅବିକଳ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ସୌମିତ ଶାହ। କେମିତି ଏହା ସମ୍ଭବ ? ସୌମିତ ଓ ପ୍ରିୟଙ୍କାଙ୍କ ମଧ୍ୟରେ ରହିଛି କି ଲିଙ୍କ୍ ? ନା ଜ୍ୟୋତି ମାଲହୋତ୍ରାଙ୍କ ନେତୃତ୍ବରେ କାମ କରୁଥିଲା ବିଭିନ୍ନ ରାଜ୍ୟର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କର ପୂରା ଏକ ଟିମ୍ ? ଏମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ରିମୋଟ ଆଉ କାହା ହାତରେ ନାହିଁତ ?ଜ୍ୟୋତିଙ୍କ ସହ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା ସେନାପତି ।
ସେପଟେ ସାମ୍ନାକୁ ଆସିଛି ପ୍ରିୟଙ୍କା ଓ ଜ୍ୟୋତିଙ୍କ ପହଲଗାମରେ ବୁଲିବାର ଭିଡିଓ। ଗତ ଜାନୁଆରୀରେ ସେମାନେ ପହଲଗାମ ଯାଇଥିବା ଜଣାପଡ଼ିଛି। ମାର୍ଚ୍ଚରେ ଜ୍ୟୋତି ପାକିସ୍ତାନ ଯାଇଥିଲେ ଏବଂ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏସବୁ ଖିଅକୁ ତଦନ୍ତ ପରିସର ଭୁକ୍ତ କରିଛି ମାମଲାର ତଦନ୍ତ କରୁଥିବା ହରିୟାଣା ହିସାର ପୋଲିସ।