Free Electricity / ବିନା ଖର୍ଚ୍ଚରେ ବିଜୁଳି... ୨୮୨ କିଲୋୱାଟ୍ ବିଦ୍ୟୁତ୍ ଉତ୍ପାଦନ, ପରିବାରଙ୍କୁ ନାହିଁ କୌଣସି ଖର୍ଚ୍ଚ

Key Points
୧୪୧ ଘରେ ସୌରଶକ୍ତି, ଗାଁ ଉତ୍ପାଦନ କରୁଛି ୨୮୨ କିଲୋୱାଟ୍ ବିଦ୍ୟୁତ୍
ବିନା ଖର୍ଚ୍ଚରେ ଘରେ ଘରେ ସୋଲାର ବିଜୁଳି, ଖୈରା ଗାଁ ସାଜିଲା ଉଦାହରଣ
ସରକାରୀ ସହଯୋଗ ଓ ମହିଳାଙ୍କ ଉଦ୍ୟମରେ ସୌରଶକ୍ତିରେ ଆତ୍ମନିର୍ଭର ହେଲା ଖୈରା ଗାଁ
ଛତିଶଗଡ଼ର ଏକ ଗାଁ ସୌର ଶକ୍ତି ବ୍ୟବହାର କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏହି ଗାଁର ସମସ୍ତ ପକ୍କା ଘରର ଛାତ ଉପରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମଗଣା ବିଜୁଳି ଯୋଜନା ଅଧୀନରେ ସୋଲାର ପ୍ୟାନେଲ୍ ଲଗାଯାଇଛି । ଫଳରେ ବିଜୁଳି ପାଇଁ ପାରମ୍ପରିକ ବିଦ୍ୟୁତ୍ ଗ୍ରିଡ୍ ଉପରେ ନିର୍ଭରଶୀଳତା କମାଇବା ଦିଗରେ ଏହି ଗାଁ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।
ଏହି ଗାଁଟି ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଅବସ୍ଥିତ। ଗାଁର ନାଁ ହେଉଛି ଖୈରା । ଏଠାରେ ପ୍ରାୟ ୮୮୯ ଜଣ ଲୋକ ବସବାସ କରନ୍ତି । ଗାଁର ପ୍ରତ୍ୟେକ ଘରେ ୨ କିଲୋୱାଟ୍ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମ୍ ଲଗାଯାଇଛି । ଏହାଦ୍ୱାରା ସମଗ୍ର ଗାଁରେ ପ୍ରାୟ ୨୮୨ କିଲୋୱାଟ୍ ସୌର ଶକ୍ତି ଉତ୍ପାଦନ ହେଉଛି ।
ସବୁଠାରୁ ବଡ଼ କଥା ହେଉଛି, ଏହି ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଗାଁର କୌଣସି ପରିବାରକୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡି ପରେ ବଳକା ଖର୍ଚ୍ଚକୁ ଜିଲ୍ଲା ପ୍ରଶାସନ ବିଭିନ୍ନ କମ୍ପାନୀର CSR ଫଣ୍ଡ୍ ମାଧ୍ୟମରେ ପୂରଣ କରିଛି ।
ନେଟ୍ ମିଟରିଂ ଟେକ୍ନୋଲୋଜି ସହ ଯୋଡ଼ା ହୋଇଛି ସୋଲାର ସିଷ୍ଟମ୍
ଖୈରା ଗାଁର ଘରଗୁଡ଼ିକରେ ଲଗାଯାଇଥିବା ସୋଲାର ସିଷ୍ଟମ୍ ନେଟ୍ ମିଟରିଂ ଟେକ୍ନୋଲୋଜି ସହ ଯୋଡ଼ା ହୋଇଛି । ଏହି ବ୍ୟବସ୍ଥା ଅନୁସାରେ ଦିନ ସମୟରେ ସୋଲାର ପ୍ୟାନେଲ୍ରୁ ଉତ୍ପାଦିତ ବିଜୁଳି ପ୍ରଥମେ ଘରର ଆବଶ୍ୟକତା ପୂରଣ କରିବ । ଏହାପରେ ଯଦି ବିଜୁଳି ବଳକା ରହେ, ତେବେ ସେହି ବିଜୁଳି ସିଧାସଳଖ ବିଦ୍ୟୁତ୍ ଗ୍ରିଡ୍କୁ ପଠାଯିବ । ଏହାଦ୍ୱାରା ବିଜୁଳିର ସଠିକ୍ ବ୍ୟବହାର ସହ ପାରମ୍ପରିକ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳତା ମଧ୍ୟ କମିବ । ଏହି ଅଭିଯାନକୁ ସଫଳ କରିବାରେ ପଦ୍ମଶ୍ରୀ ପୁଲବାସନ ବାଇ ଯାଦବ ଏବଂ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।
PM ଆବାସ ଯୋଜନାରେ ନିର୍ମିତ ଘରକୁ ମଧ୍ୟ ମିଳିଲା ଲାଭ
ଖୈରା ଗାଁରେ ମୋଟ ୧୪୧ଟି ସୋଲାର ସଂଯୁକ୍ତ ଘର ରହିଛି । ସେଥିମଧ୍ୟରୁ ୯୩ଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମାଣ ହୋଇଥିବା ଘର । ଏହି ଘରଗୁଡ଼ିକୁ ମଧ୍ୟ ସୌର ଶକ୍ତି ସହ ଯୋଡ଼ାଯାଇଛି । ଏହା ବ୍ୟତୀତ ଗାଁର ୨୧ଟି ଅନୁସୂଚିତ ଜନଜାତି (ST) ଏବଂ ୪ଟି ଅନୁସୂଚିତ ଜାତି (SC) ପରିବାର ମଧ୍ୟ ଏହି ଯୋଜନାରୁ ଉପକୃତ ହୋଇଛନ୍ତି ।
ମହିଳାଙ୍କ ଉଦ୍ୟମରେ ସଫଳ ହେଲା ଅଭିଯାନ
ଏହି ଅଭିଯାନରେ 'ସୂର୍ଯ୍ୟ ସଖୌ' ଏବଂ 'ସୂର୍ଯ୍ୟ ସଭା' ମାଧ୍ୟମରେ ମହିଳାମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ । ସୋଲାର ପ୍ୟାନେଲ୍ ଲଗାଇବାର ଖର୍ଚ୍ଚ, ରକ୍ଷଣାବେକ୍ଷଣ ଏବଂ ଏହାର ଉପଯୋଗିତାକୁ ନେଇ ଗ୍ରାମବାସୀଙ୍କ ମନରେ ଥିବା ଆଶଙ୍କା ଦୂର କରିବାରେ ମହିଳାମାନେ ସହଯୋଗ କରିଥିଲେ ।
କଲେକ୍ଟର କ'ଣ କହିଛନ୍ତି ?
ମିଡିଆ ରିପୋର୍ଟ ଅନୁସାରେ, ରାଜନନ୍ଦଗାଓଁର କଲେକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ସୋଲାର ସିଷ୍ଟମ୍ ଲଗାଇବା ପାଇଁ କୌଣସି ପରିବାରକୁ ନିଜ ପକେଟରୁ ଟଙ୍କା ଦେବାକୁ ପଡ଼ିନାହିଁ । ଏହି କାର୍ଯ୍ୟରେ ଗ୍ରାମର ସରପଞ୍ଚ ମଧ୍ୟ ସହଯୋଗ କରିଛନ୍ତି । ଏବେ ଖୈରା ଗାଁର ପ୍ରତ୍ୟେକ ପକ୍କା ଘର ନିଜ ଛାତରୁ ବିଜୁଳି ଉତ୍ପାଦନ କରିବା ଦିଗରେ ଆଗେଇଛି । ସରକାରୀ ଯୋଜନା, ପ୍ରଶାସନର ସହଯୋଗ, କମ୍ପାନୀଗୁଡ଼ିକର CSR ଫଣ୍ଡ୍ ଏବଂ ମହିଳାଙ୍କ ସକ୍ରିୟ ଭାଗିଦାରୀ ଯୋଗୁଁ ଖୈରା ଗାଁ ସୌର ଶକ୍ତି ବ୍ୟବହାର କ୍ଷେତ୍ରରେ ଏକ ଉଦାହରଣ ପାଲଟିଛି ।
📱 Get Argus News App
✨Related Topics
Explore more stories