ନିର୍ବାଚନ ପୂର୍ବରୁ ସମସ୍ତଙ୍କର ବଢିବ ଦରମା !

Key Points
- ନିର୍ବାଚନ ପୂର୍ବରୁ ସମସ୍ତଙ୍କର ବଢିବ ଦରମା !
- ଫ୍ରି ସ୍କିମ ପରେ ଦରମା ବଢିଲା
- ବାବୁଙ୍କୁ ଖୁସି କରିବାରେ ସରକାର ବ୍ୟସ୍ତ
ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସମସ୍ତଙ୍କର ଦରମା ବଢାଇ ଦେବେ କି ସରକାର ? କାରଣ ଗତ କିଛିଦିନ ହେଲାଣି ଯେମିତି ସରକାର ଗୋଟିଏ ବିଭାଗ ପରେ ଗୋଟିଏ ବିଭାଗର ଦରମା ବଢାଉଛନ୍ତି ତାହାକୁ ଦେଖିଲେ ତ କିଛି ଏମିତି ମନେ ହେଉଛି । ପ୍ରଥମେ ତ ନିର୍ବାଚନକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଦେଢମାସ ଭିତରେ ୩୦ରୁ ଅଧିକ ଯୋଜନା କଲେ । ଆଉ ତାହା ସହ ବିଭାଗର ସବୁ ଦରମା ବଢାଇଦେଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ଆଗେ ଆଗେ ଫ୍ରି ସ୍କିମ ସବୁ ଘୋଷଣା ହେଲା । ଏବେ ଦରମା ବଢା ପର୍ବ ଆରମ୍ଭ ହେଲା । ମଙ୍ଗଳବାର ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଖୁସ୍ କରିଥିଲେ ଆଉ ଗତାକଲି ଥିଲା ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି । ସରପଞ୍ଚଙ୍କ ଦରମା ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର । ଖାଲି ମେୟର ନୁହେଁ ଏହାରି ଭିତରେ ଅଙ୍ଗନୱା଼ଡ଼ି, ଆଶା, ସ୍ୱଚ୍ଛ ସାଥୀ, କୃଷକ ସାଥୀଠୁ ନେଇ ଲ' ଅଫିସର, ନିର୍ମାଣ ଶ୍ରମିକ,ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଏମିତିକି ଠିକା ଓ ଆଉଟ୍ ସୋର୍ସିଂ କର୍ମଚାରୀ ଯାଏଁ ପ୍ରାୟ ସମସ୍ତଙ୍କର- କାହାକୁ ଦରମା ତ କାହାର ପେନ୍ସନ୍ ଅବା ପ୍ରୋତ୍ସାହନ ରାଶି,କିଛି ନା କିଛି ବଢ଼ି ସାରିଲାଣି । ସେହିପରି ପଦ୍ମ ସମ୍ମାନରେ ସମ୍ମାନିତଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପେନସନ୍ ରାଶି ସାଙ୍ଗକୁ ରାଜ୍ୟର ଭାଗବତ ଟୁଙ୍ଗି ଗୁଡ଼ିକ ପାଇଁ ବି ୫୦ ହଜାର ଟଙ୍କା ଘୋଷଣା ହୋଇଛି। ଅର୍ଥାତ୍ ଭୋଟ୍ ପୂର୍ବରୁ ସବୁ ବର୍ଗକୁ ଫଳେ ପୁଷ୍ପେ ସନ୍ତୁଷ୍ଟ କରିବାରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର ।
ନିର୍ବାଚନ ପୂର୍ବରୁ ରାଜସ୍ଵର ଭଣ୍ଡାର ଖୋଲି ଦେଲେ ନବୀନ ସରକାର । ପ୍ରାୟତଃ ସମସ୍ତଙ୍କର ବଢିଲା ଦରମା । ହେଲେ ଏତେ ସବୁ ଦାବି ପରେ ହଠାତ୍ ନିର୍ବାଚନ ପୂର୍ବରୁ ହିଁ କାହିଁକି ଦରମା ବଢିଲା ତାହାକୁ ନେଇ ଚର୍ଚ୍ଚା ଜୋର । କୁହାଯାଉଛି କି, ୨୪ ବର୍ଷର ଲମ୍ବା ଶାସନ ପରେ ବି କାଳେ କିଛି ଗଡ଼ ବଡ଼ ହେଇଯିବ, ତେଣୁ କାହାରିକୁ ଅସନ୍ତୁଷ୍ଟ ରଖିବାକୁ ଚାହୁଁନାହାନ୍ତି । ତେଣେ ବଜେଟରେ ବ୍ୟବସ୍ଥା ଥାଉ କି ନଥାଉ, ରାଜ୍ୟର ଆର୍ଥିକ ସ୍ଥିତି ଏକକାଳୀନ ଏତେସବୁ ମାଗଣା ସ୍କିମ୍, ଦରମା-ପେନ୍ସନ୍-ପାରିତୋଷିକ ବୃଦ୍ଧି ଭାରକୁ ସମ୍ଭାଳିବାରେ ସକ୍ଷମ ହେଉ କି ନହେଉ- ସେଥିପ୍ରତି ବିଲକୁଲ୍ ନିଘା ନାହିଁ ଯେମିତି। ତେବେ ସମୟ କହିବ ମେଣ୍ଟ ଗତି ଯାଉଛି କୁଆଡ଼େ ?
📱 Get Argus News App
✨