ପୁଣି ଫେରିଲା ବ୍ଲାକରୋଜ ମାମଲା

Key Points
- ପୁଣି ଫେରିଲା ବ୍ଲାକରୋଜ ମାମଲା
- ବବିଙ୍କର ବଢିଲା ଟେନସନ୍
ଅର୍ଗସ ବ୍ୟୁରୋ: ପୁଣି ଫେରିଲା ବ୍ଲାକରୋଜ ମାମଲା । ଏଥର ସରକାର ନୁହେଁ ବରଂ ହାଇକୋର୍ଟରେ ପହଞ୍ଚିଲା ଘଟଣା । କାରଣ କୋର୍ଟରେ ସିବିଆଇ ସତ୍ୟପାଠ ଦାଖଲ କରିଛି । ଏଥିରେ ସ୍ପଷ୍ଟ ବି କରିଛି କି ରାଜ୍ୟ ସରକାରଙ୍କୁ ସିବିଆଇ ୨ ଥର ଅନୁରୋଧ କରିଛି ତଦନ୍ତ ପାଇଁ । ହେଲେ ତଦନ୍ତ କାହିଁକି ହେଲାନି ? ପ୍ରକୃତରେ ଜାହାଜର ମାଲିକାନା କାହା ପାଖରେ ଅଛି ? ଏବେବି ପୂରା ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ହାଇକୋର୍ଟରେ ମାମଲା ପହଞ୍ଚିଥିବାରୁ ଏବେ ଦୋଷୀ ଦଣ୍ଡ ପାଇବେ ବୋଲି ଅନୁମାନ କରାଯାଉଛି । ହେଲେ କୁହାଯାଉଛି କି ଜାହାଜର ସମ୍ପର୍କ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ରହିଛି । ତେଣୁ ମାମଲାକୁ ଆଗକୁ ବଢାଇବାକୁ ଚାହୁଁନି ରାଜ୍ୟ ସରକାର ।
୨୪ ନିର୍ବାଚନ ପୂର୍ବରୁ ପୁଣି ଫେରିଲା ବ୍ଲାକରୋଜ ମାମଲା । ଆଜକୁ ଠିକ୍ ୧୨ ବର୍ଷ ତଳେ ପାରାଦ୍ଵୀପ ସମୁଦ୍ରରେ ବୁଡ଼ିଥିଲା ଜାହାଜ । ସୂଚନା ଅନୁସାରେ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପ୍ରାୟ ୨୪ ହଜାର ମେଟ୍ରିକଟନ୍ ଲୁହାପଥର ନେଇ ଯାଉଥିବା M.V ବ୍ଲାକରୋଜ ଜାହାଜଟି ପାରାଦ୍ଵୀପଠାରୁ ୫ କିଲୋମିଟର ଦୂର ସମୁଦ୍ରରେ ବୁଡି ଯାଇଥିଲା । ସେତେବେଳେ ବିରୋଧୀ ରାଜନୈତିକ ଦଳ ଅଭିଯୋଗ କରିଥିଲେ ଯେ ଜାଲ କାଗଜପତ୍ର କରି ବେଆଇନ ଭାବେ ଲୁହାପଥର ଚୋରାଚାଲାଣ କରାଯାଉଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା କୁହାଗଲା । ହେଲେ କେମିତି ତଦନ୍ତ ହେଲା ? ସେନେଇ କାହା ପାଖରେ ବି କିଛି ଖବର ନାହିଁ ।
ସେପଟେ , ବ୍ଲାକରୋଜ ବୁଡ଼ିବା ଘଟଣାରେ ଆରଟିଆଇରେ ତଥ୍ୟ ମଗାଯାଇଥିଲା । ହେଲେ ତଥ୍ୟରେ କୁହାଯାଇଥିଲା ରାଜ୍ୟ ସରକାରଙ୍କ ଅସହଯୋଗରୁ ତଦନ୍ତ ଅଗ୍ରସର ହୋଇପାରିନଥିଲା । ହେଲେ ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ କହିଥିଲେ, ୨୦୦୯ ମସିହାରେ ୨୩,୮୪୭ ମେଟ୍ରିକ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ ଟନ୍ ଫରନେସ ତେଲ ନେଇ ଚୀନ ଅଭିମୁଖେ ଯାଉଥିବା ଏମଭି ବ୍ଲାକରୋଜ୍ ଜାହାଜ ପାରାଦୀପ ବନ୍ଦରଠାରୁ ୫ କିମି ଦୂରରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା । ନକଲି କାଗଜପତ୍ର ପ୍ରସ୍ତୁତ କରି ବେଆଇନ ଭାବେ ଏହି ଲୁହାପଥର ଚୋରାଚାଲାଣ କରାଯାଉଥିଲା । ଏହାରି ଭିତରେ ୧୨ ବର୍ଷ ବିତିଗଲାଣି ହେଲେ ଦୋଷୀ ଧରାପଡିଲା ନାହିଁ, ତେଣୁ ଏବେ ପୁଣି ଥରେ ମାମଲା ହାଇକୋର୍ଟରେ ପହଞ୍ଚିଥିବାରୁ ଚର୍ଚ୍ଚା ଜୋର ଧରିଛି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂରା ମାମଲାରେ ସିବିଆଇ ସବୁ ତଥ୍ୟ ଜାଣିବା ପାଇଁ ଏ ସଂକ୍ରାନ୍ତ ମାମଲାର ସମସ୍ତ ଦସ୍ତାବିଜ ଦେବାକୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟ ସରକାର କିନ୍ତୁ ଏହି ତଦନ୍ତକୁ ଚାପି ରଖିବା ନିମନ୍ତେ କୌଣସି ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିନଥିଲେ । ତେଣୁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ସିବିଆଇ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରିନଥିଲା ଓ ଏହି ମାମଲାକୁ ବନ୍ଦ କରିବା ନିମନ୍ତେ ବାଧ୍ୟ ହୋଇଥିଲା । ହେଲେ ଏବେ ମାମଲାର ଖୋଳତାଡ଼ ହେବ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି ।