Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ ବର୍ଷରେ ମୁନିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୨ ଶିଶୁ ହରାଇଛନ୍ତି ପ୍ରାଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨ ବର୍ଷରେ ମୁନିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୨ ଶିଶୁ ହରାଇଛନ୍ତି ପ୍ରାଣ

ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶିଶୁମାନଙ୍କ ପାଇଁ ପାଲିଟିଛି ମୃତ୍ୟୁ ଯନ୍ତା। ବାପାମାଆ ନିଜ ଶିଶୁକୁ ଏଠାକୁ ଆଣିଲେ ଜୀବିତ ଫେରିବେ କି ନାହିଁ ତାହା କହିବା ମୁସକିଲ। କାରଣ ପ୍ରତି ୩ ଦିନରେ ଏଠାରେ ଜଣେ ଶିଶୁର ମୃତ୍ୟୁ ହେବାଟା ଥୟ। ଆଉ ଏହି ସାଂଘାତିକ ସତକୁ ଲୁଚାଇ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗ। ମୁନିଗୁଡ଼ାରେ ପଡ଼ିଥିଲା ଶିଶୁ ମଡକ ଆଉ ଚୁପ୍ ବସିଥିଲେ ବିଜେଡି ଶାସକ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହି ଡାକ୍ତରଖାନାରେ ଗତ ୨ ବର୍ଷରେ ହୋଇଥିବା ଶିଶୁ ମୃତ୍ୟୁ ନେଇ ହୋଇଛି ସାଂଘାତିକ ଖୁଲାସା। ନଜର ପକାନ୍ତୁ ଏହି ତଥ୍ୟ ଉପରେ ୨୦୨୨-୨୩ ବର୍ଷରେ ଏହି ଡାକ୍ତରଖାନାରେ ୧୦୫ ଜଣ ଶିଶୁ ଆଖିବୁଜିଥିବା ବେଳେ । ୨୦୨୩-୨୪ରେ ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଶହଶହ ମାଆବାପାଙ୍କ କୋଳ ଶୂନ୍ୟ କରିଦେଇଛି ଏହି ଡାକ୍ତରଖାନା। ଖାଲି ସେତିକି ନୁହେଁ ଗତ ଦୁଇ ବର୍ଷରେ ୪ ଜଣ ପ୍ରସୂତୀ ମଧ୍ୟ ଏଠାରେ ପ୍ରାଣ ହରାଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିଶୁ ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ଦେଇଥିଲେ ବି ମୃତ୍ୟୁର କାରଣ ନେଇ କୌଣସି ସୂଚନା ଦେଇନାହାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗ। କାଳେ ତତକାଳୀନ ନବୀନ ସରକାର ବଦନାମ ହେବେ ସେଥିପାଇଁ ଏତେବଡ଼ ସାଂଘାତିକ ଘଟଣାକୁ ଚାପିଦିଆଯାଇଥିଲା କି ? ଗୋଟେପଟେ ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର କମିଥିବା ନେଇ ଡିଣ୍ଡିମ ପିଟୁଥିଲେ ନବୀନ ସରକାର। ଏପଟେ ତିନି ଦିନରେ ଜଣେ ଶିଶୁ ଆଖିବୁଜୁଥିଲେ ମୁନିଗୁଡ଼ା ହସପିଟାଲରେ। ଦୁଇ ବର୍ଷରେ ୨୨୨ ଶିଶୁ ଓ ୪ ପ୍ରସୂତୀଙ୍କ ମୃତ୍ୟୁ ଏହା ସ୍ପଷ୍ଟ କରୁଛି ଯେ ଏହି ଅଞ୍ଚଳରେ ପୁଷ୍ଟି ହୀନତା ଚରମ ସୀମାରେ।

ଏବେ ପ୍ରଶ୍ନଉଠୁଛି ଶହଶହ ଶିଶୁ ମୃତ୍ୟପଛର କାରଣକୁ କାହିକି ସାର୍ବଜନୀନ କରୁନାହାନ୍ତି ମୁନିଗୁଡା ଗୋଷ୍ଠୀସ୍ବାସ୍ଥ କେନ୍ଦ୍ର ଅଧିକାରୀ ? ଏହା ଜଣାନପଡ଼ିବା ଯାଏ ଶିଶୁ ମୃତ୍ୟୁକୁ ରୋକିବା ସମ୍ଭବ ନୁହେଁ। ଏବେ ରାଜ୍ୟରେ ସରକାର ବଦଳିଛି। ବର୍ତ୍ତମାନର ସ୍ବସ୍ଥ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ତଥ୍ୟକୁ ଚାପି ରଖିଥିବା ଅଧିକାରୀଙ୍କ ବିରୋଧରେ ନେବେ କି କାର୍ଯ୍ୟାନୁଷ୍ଠାନ ? ଏଥିସହ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରି ତାର ପ୍ରତିକାର ପାଇଁ ନେବେ କି ତ୍ବରିତ ପଦକ୍ଷେପ ?


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
222 children have lost their lives at Muniguda Health Center in 2 years | Argus News