ଶଙ୍ଖ ଭବନରେ ନାରୀ ନେତ୍ରୀ ହାତାହାତି

Key Points
ଇପ୍ପିତାଙ୍କୁ ନିର୍ଧୁମ ଛେଚିଲେ
ଶଙ୍ଖ ଭବନରେ ନାରୀ ନେତ୍ରୀ ହାତାହାତି
ଯୁବ ନେତ୍ରୀଙ୍କୁ ପିଟିଲେ ବରିଷ୍ଠ ନେତ୍ରୀ
ଅର୍ଗସ ବ୍ୟୁରୋ: ଏବେ ବିଜେଡି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ପ୍ରତିଷ୍ଠା ଦିବସରେ ଆଗ ଧାଡ଼ିର ଯୁବ ନେତ୍ରୀଙ୍କୁ ଶଙ୍ଖ ଭବନରେ ଧୁମ୍ ପିଟିଲେ ବିଜେଡି ନେତ୍ରୀ । ଚାପୁଡ଼ା ପରେ ଚାପୁଡ଼ା ଥୋଇ ଚାଲିଲେ । ଆଜି ପ୍ରଥମେ ପ୍ରତିଷ୍ଠା ଦିବସରେ ସଭା ମଞ୍ଚରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ଦଳକୁ ଦଳ ଭିତରୁ ଫମ୍ପା କରାଯାଉଥିବା କହିଥିଲେ । ଆଉ ଏହାର କିଛି ସମୟ ପରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଏମିତି ସ୍ଥିତି ।
ନିର୍ବାଚନରେ ପରାଜୟ ପରେ ବିଜେଡି ସ୍ଥିତି ଏବେ ଅଣାୟତ । କେହି କାହାକୁ ଛାଡ଼ିବାକୁ ନାରାଜ । ଯାହାର ପରିଣାମ ଦେଖିବାକୁ ମିଳିଛି ଶଙ୍ଖ ଭବନରେ । ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ସାମ୍ନାରେ ହାତାହାତି ହୋଇଛନ୍ତି ଦଳର ଦୁଇ ନେତ୍ରୀ। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ କରାଯାଇଛି ଆକ୍ରମଣ । ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା ଦେଇଥିବା ବେଳେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ସେହି ସମାନ ସଭାସ୍ଥଳରେ ।
📱 Get Argus News App
✨ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଛନ୍ତି ଆଉ ଜଣେ ମହିଳା ନେତ୍ରୀ। ତେବେ ଚେୟାର ପକାକୁ ନେଇ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ମୁଖପାତ୍ର ଦଳର କିଛି ବରିଷ୍ଠ ନେତାଙ୍କ ପାଇଁ ଚେୟାର ପକାଉଥିବା ସମୟରେ ଏହି ପରିସ୍ଥିତି ଉପୁଜିଥିଲା। ପଛରେ ବସିଥିବା କିଛି ମହିଳା ନେତ୍ରୀଙ୍କ ସମ୍ମୁଖରେ ଈପ୍ସିତା କିଛି ଚେୟାର ପକାଇଥିଲେ। ଏହି ଘଟଣାକୁ ନେଇ ଜଣେ ମହିଳା ନେତ୍ରୀ ଈପ୍ସିତାଙ୍କୁ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି।
ଅନ୍ୟପଟେ ଆଜି ଶଙ୍ଖ ଭବନରେ ନବୀନ କହିଥିଲେ ଏକାଠି ରୁହ। ବିରୋଧୀଙ୍କୁ ସାମନା କର। ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ବିଶୃଙ୍ଖଳାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବିଜେଡି ମୁଖପାତ୍ର ଇପ୍ସିତା କିମ୍ବା ତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଦଳ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ଅଧିକ ପଢ଼ନ୍ତୁ ରାଜନୀତି ଖବର: