Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକଙ୍କ ଉପରେ ପଡ଼ିଲା ବିପତ୍ତି, ଭୁବନେଶ୍ୱର ଛାଡ଼ିଲେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଲୋକଙ୍କ ଉପରେ ପଡ଼ିଲା ବିପତ୍ତି, ଭୁବନେଶ୍ୱର ଛାଡ଼ିଲେ ସରକାର

Key Points

ଲୋକଙ୍କ ଉପରେ ପଡ଼ିଲା ବିପତ୍ତି, ଭୁବନେଶ୍ବର ଛାଡ଼ିଲେ ସରକାର
ଖୋଦ୍ ମୁଖ୍ୟମନ୍ତ୍ରୀ ପହଞ୍ଚିଲେ ଗାଁ ଗଣ୍ଡାରେ, ଉଜୁଡ଼ା ଧାନ କ୍ଷେତରେ 
ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଅଧିକାଂଶ ସଦସ୍ୟ ବି ଗ୍ରାଉଣ୍ଡ ଜିରୋରେ
କାନ୍ଦ ଓ କୋହରେ ଅଦିନିଆ ବର୍ଷା ଦେଇଥିବା ଦୁର୍ଦ୍ଦଶା ଜଣାଇଲେ ଚାଷୀ
ମିଳିବ ସଠିକ୍ କ୍ଷତିପୂରଣ, ଜନପ୍ରତିନିଧିଙ୍କ ଉପସ୍ଥିତି ବଢ଼ାଇଲା ଆଶା

ଅର୍ଗସ ବ୍ୟୁରୋ:  ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଚାଷୀଙ୍କୁ ମିଳିବ ଉପଯୁକ୍ତ କ୍ଷତିପୂରଣ। ଏଥିପାଇଁ ତ ସରକାର ଦେଇସାରିଛନ୍ତି ନିର୍ଭର ପ୍ରତିଶ୍ରୁତି। ଗ୍ରାଉଣ୍ଡରେ ସର୍ଭେ ଚାଲିଛି, କିନ୍ତୁ ଚାଷୀଙ୍କୁ ଆଶ୍ବସ୍ତ କରିବାକୁ, ଅନ୍ନାଦାତାଙ୍କ ମନରେ ସାହସ ଭରିବାକୁ, ବିପତ୍ତି କାଳରେ ପାଖରେ ଛିଡ଼ା ହେବାକୁ ପହଞ୍ଚିଛନ୍ତି ଖୋଦ୍ ସରକାର। ଭୁବନେଶ୍ବର ଛାଡ଼ି ଗାଁ ଦାଣ୍ଡରେ ଉଜୁଡ଼ା ଧାନ କ୍ଷେତରେ ପହଞ୍ଚିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଅଧିକାଂଶ ସଦସ୍ୟ। ଆଜି ସକାଳେ ପ୍ରଥମେ ନୟାଗଡ଼ ରଣପୁର ବ୍ଲକ୍ କାଣ୍ଡପଡ଼ାରେ ପହଁଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାଙ୍ଗରେ ଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବାଚସ୍ପତି ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀ ଧାନ ବିଲ ବୁଲିଲେ, ଚାଷୀଙ୍କ ସହ କଥା ହେଲେ । ବିଲରେ ଗଜା ହୋଇଯାଇଥିବା ଧାନ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଲେ ଚାଷୀ। କାଣ୍ଡପଡ଼ା ସ୍କୁଲ ପଡିଆରେ ମହିଳାଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ଆଶ୍ବାସନା ଦେଲେ ।

ନୟାଗଡ଼ ପରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଗୁରାଣ୍ଡି ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ସହ କଥା ହୋଇ ସେମାନଙ୍କୁ କ୍ଷତିପୂରଣ ମିଳିବା ନେଇ ଦେଲେ ନିର୍ଭର ପ୍ରତିଶ୍ରୁତି । ତା ପରେ ଗଞ୍ଜାମ ରଙ୍ଗେଇଲୁଣ୍ଡା, ଛତ୍ରପୁର ଓ ଗୋପାଳପୁରକୁ ଯାଇ କ୍ଷତିଗ୍ରସ୍ତ ଧାନ ବିଲ ବୁଲି ଦେଖିବା ସହ ଚାଷୀ ଓ ସରକାରୀ ଅଧିକାରୀଙ୍କ ଆଲୋଚନା କରିଛନ୍ତି ।

ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ପାଖରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଧାମନଗର ବ୍ଲକ୍ ଭଗବାନପୁର ପଞ୍ଚାୟତର ପଳିକିରି, ଜୟକୃଷ୍ଣପୁର, ଅନହରପୁର ଆଦି ଗାଁକୁ ଯାଇ ଫସଲର ବାସ୍ତବ ସ୍ଥିତି ଦେଖିବା ସହ ଚାଷୀଙ୍କ ସମସ୍ୟା ଶୁଣିଥିଲେ । କାନ୍ଦି କାନ୍ଦି ଦୁର୍ଦ୍ଦଶା ବଖାଣିଥିଲେ ଚାଷୀ। ତା ପରେ ବନ୍ତ ବ୍ଲକ୍ ଛାୟାଳସିଂ ପଞ୍ଚାୟତକୁ ଯାଇ କ୍ଷତି ଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ପରେ ଭଦ୍ରକ ଫେରି ନୂତନ ସର୍କିଟ ହାଉସରେ କରିଥିଲେ ସମୀକ୍ଷା ବୈଠକ। ସରକାର ଆବଶକୀୟ ସହାୟତା ଯୋଗାଇ ଦେବେ ପ୍ରଭାତୀ ଦେଇଛନ୍ତି ଦୃଢ଼ ପ୍ରତିଶ୍ରୁତି।

ଭଦ୍ରକ ପରେ ବାଲେଶ୍ବର ଜିଲ୍ଲାରେ ପହଞ୍ଚି କ୍ଷୟକ୍ଷତି ହୋଇଥିବା ଚାଷ ଜମିର ଅନୁଧ୍ୟାନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କଟକ ଓ ଜଗତସିଂହପୁର ଜିଲ୍ଲାରେ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । କଟକ ନିଆଳିରେ ଧାନ, ପାନ ଓ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଜି ଜଲ୍ଲାରପୁରରେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଉପ.ମୁଖ୍ୟମନ୍ତ୍ରୀ । ଗଜାଧାନ ଓ ନଷ୍ଟ ହୋଇଥିବା ପାନକୁ ଦେଖାଇ କାନ୍ଦି କାନ୍ଦି କୃଷିମନ୍ତ୍ରୀଙ୍କ ଆଗରେ ବୟାନ କରିଛନ୍ତି ଦୁର୍ଦ୍ଦଶା।
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରି ଦେଇଛନ୍ତି ଆଶ୍ବାସନା। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା, ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନ ବୁଲି ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।


ଆସନ୍ତାକାଲି ସୁଦ୍ଧା ସୁଦ୍ଧା ସଂପୂର୍ଣ୍ଣ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଗତାକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଫସଲ ବୀମା କରି ନ ଥିଲେ ବି କ୍ଷତିପୂରଣ ମିଳିବ ବୋଲି ଦେଇଥିଲେ ପ୍ରତିଶ୍ରୁତି। ଆଉ ଏହାର ଦିନ ପରେ କେବଳ ପ୍ରଶାସନିକ ଅଧିକାରୀଙ୍କ ଭରସାରେ ନ ରହି ନିଜ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। କେହି ଜଣେ ବି କ୍ଷତିଗ୍ରସ୍ତ ଯେମିତି ବଂଚିତ ହେବେ ନାହିଁ ସେଥି ପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନପ୍ରତିନିଧିଙ୍କ ଉପସ୍ଥିତି ସଠିକ କ୍ଷତିପୂରଣ ମିଳିବା ନେଇ ଚାଷୀଙ୍କ ଆଶା ବଢାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored