ଅଚାନକ ଥମିଗଲା ସମୟର ଚକ

ଅର୍ଗସ ବ୍ୟୁରୋ: ନିରବି ଗଲେ ଦଶକ ଦଶକ ଧରି ରାଜନୀତି ଓ ସରକାରର ଖଣ୍ଡାଧାରରେ ଚାଲି ସବୁଠୁ ଶୀର୍ଷରେ ପହଞ୍ଚି ବି ବେଦାଗ ରହିଥିବା ମନମୋହନ ସିଂହ । ଯୋଡ଼ ତୋଡ଼ ରାଜନୀତିର ଅନୁଭୂତି ନ ଥାଇ ବି 10 ବର୍ଷ ଧରି ମେଣ୍ଟ ସରକାର ଚଳାଇଥିବା କଂଗ୍ରେସର ଅସରଦାର ସରକାର ଦୁନିଆକୁ ଅଲବିଦା କହିଦେଲେ । ଆଉ ଫେରି ଆସିବେ ନାହିଁ ଦେଶର କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟର ବେଡ଼ିରୁ ମୁକ୍ତ କରିଥିବା ଅର୍ଥଶାସ୍ତ୍ରୀ ମନମୋହନ । ଏବେର ଭାରତର ବଜାର ଓ ବ୍ୟବସାୟର ଚିତ୍ରକୁ ନବେ ଦଶକରେ ଗଢ଼ିଥିବା ଆଉ ଦେଶର ଭୁଶୁଡ଼ିପଡୁଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିଥିବା ବଜୀର ମନମୋହନଙ୍କ ଶ୍ବାସ ଥମିଗଲା । ଗୁରୁବାର ରାତି 9.51ରେ ଡକ୍ଟର ମନମୋହନ ସିଂହଙ୍କର ନିଧନ ହେଲା ।
92 ବର୍ଷର ତାଙ୍କ ଜୀବନ ଏକ ଶୂନ୍ୟରେ ସମାହିତ ହୋଇଗଲା । ମନମୋହନଙ୍କ ବିୟୋଗରେ ଶୋକ ପାଳନ କରୁଛି ସାରା ଦେଶ । ନୂଆଦିଲ୍ଲୀ ମୋତିଲାଲ ନେହେରୁ ବାସଭବନରେ ଦୁଇ ଥରର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଦଗୀପ ଧନଖଡ଼ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରି ପିଏମ୍ ମୋଦି କହିଛନ୍ତି ମନମୋହନ ସିଂଙ୍କ ନିଧନ ଏକ ରାଷ୍ଟ୍ରୀୟ କ୍ଷତି । ଜଣେ ସଚ୍ଚୋଟ ମଣିଷ, ଜଣେ ବିଦ୍ବାନ ଅର୍ଥଶାସ୍ତ୍ରୀ ଆଉ ରିଫର୍ମ ପ୍ରତି ସମର୍ପିତ ନେତା ଭାବେ ତାଙ୍କୁ ସର୍ବଦା ମନେ ପକାଯିବ।
📱 Get Argus News App
✨() ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବାଚସ୍ପତି ଓମ୍ ବିର୍ଲା, କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ଲୋକେ ଡକ୍ଟର ମନମୋହନ ସିଂହଙ୍କର ପାର୍ଥିବ ଶରୀରରେ ପୁଷ୍ପ ଅର୍ପଣ କରିଛନ୍ତି ।
() ଏପଟେ ଭୁବନେଶ୍ବର ଲୋକସେବା ଭବନରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଭୁବନେଶ୍ବରସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶୋକସଭା ପାଳନ କରଯାଇଛି ।
() ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର ସରକାର 7 ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ସମୟରେ ତ୍ରିରଙ୍ଗା ଅର୍ଧନମିତ ରହିବ । ରାଷ୍ଟ୍ରପତି ଭବନ, ସଂସଦ ଭବନ ପରିସରରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଆଜିର ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଫିସରେ ଅଧା ଦିନର ଛୁଟି ରହିବ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନମୋହନଙ୍କର ଶେଷକୃତ୍ୟ । କାଲି ସକାଳ 9.30ରେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ ମନମୋହନ ସିଂହଙ୍କର ଅନ୍ତିମ ଯାତ୍ରା । ସକାଳ 8ଟାରେ ପାର୍ଥିବ ଶରୀରକୁ ଘରୁ କଂଗ୍ରେସ ମୁଖ୍ୟାଳୟ ନିଆଯିବ । ଯେଉଁଠି କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନେତା ଶ୍ରଦ୍ଧାଞ୍ଜଳି ଦେବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: