Videos
|
Odisha

କେମିତି ଉଠିବ ଧାନ ତାକୁ ନେଇ ବଢିଲା ଚାଷୀଙ୍କ ଚିନ୍ତା

Rashmita Mishra
Browse all articles by Rashmita Mishra
·1 year ago·2 min read
 କେମିତି ଉଠିବ ଧାନ ତାକୁ ନେଇ ବଢିଲା ଚାଷୀଙ୍କ ଚିନ୍ତା

ଅର୍ଗସ ବ୍ୟୁରୋ: ବିଲରେ ପାଚିଲା ଧାନ କେଣ୍ଡା । ଅମଳକ୍ଷମ ହୋଇଛି ଏକର ଏକର ଫସଲ । ଦିନେ ୨ ଦିନ ଭିତରେ ଚାଷୀ ଧାନ କାଟି ଘରକୁ ନେବାକୁ ସଜବାଜ ହେଉଥିଲା । ଏହି ସମୟରେ ସବୁ କିଛି ଉଜାଡ଼ି ଦେଇଛି ଅଦିନିଆ ବର୍ଷା । କେଉଁଠି ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କେଉଁଠି ଖଳାରେ । ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତ ଆସେଲି ଗାଁରେ ନଷ୍ଟ ହୋଇଛି ଏକର ଏକର ଫସଲ ।


ଖୋର୍ଦ୍ଧା ଭଳି ଗଞ୍ଜାମ, ଗଜପତିରେ ସ୍ଥିତି । ଦିନକ ପରେ ଗଞ୍ଜାମରେ ମଣ୍ଡି ଖୋଲିଥାଆନ୍ତା । ଧାନବିକ୍ରି କରି ଚାଷୀ ଦୁଇ ପଇସା ପାଇଥାଆନ୍ତା । ହେଲେ ଲଘୁଚାପ ବର୍ଷା ଯୋଗୁ ସବୁ କିଛି ଉଜାଡ଼ି ଦେଇଛି । ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ବି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି ଅଦିନିଆ ବର୍ଷା । ସେହିପରି ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକର ଅନେକ ଗାଁରେ ଧାନ ଚାଷ ନଷ୍ଟ ହୋଇଛି । କେହି କେହି ଧାନ ଉଠାଇ ଖଳାରେ ପକାଇ ଥିବା ବେଳେ, ଅନେକଙ୍କ ଧାନ ଚାଷ ଜମିରେ ପଡ଼ିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଦ୍ରକ, ଜଗତସିଂହପୁର, ବାଲେଶ୍ବରରେ ବି ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା । ଭଦ୍ରକ ବ୍ଲକର କଲେଇ ପଞ୍ଚାୟତର ବିଭୁତିପୁର ଅଞ୍ଚଳରେ କଟା ଯାଇଥିବା ଧାନ ବିଲରେ ପଡ଼ି ରହିଛି । ଚାଷୀମାନେ ଋଣ କରି ଧାନ ଚାଷ କରିଥିବା ବେଳେ ଏବେ ଅଦିନିଆ ବର୍ଷା ଦାଉ ସାଧୁଛି । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି । ଗତ ଦୁଇଦିନ ଧରି କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିବାରୁ, ପାଚିଲା ଧାନକୁ କିଭଳି ଅମଳ କରିବ ସେଥିପାଇଁ ଅଣ୍ଟା ଭିଡ଼ିଛି ଚାଷୀ ।


ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି, ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ । ମଣ୍ଡିରେ ଜରିପାଲର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍‌ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଏନେଇ କୃଷି ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । କିପରି ନିଜର ଅମଳ ଫସଲକୁ ସୁରକ୍ଷିତ ରଖିବେ ସେନେଇ ଚାଷୀଙ୍କୁ ଦିଆଯାଇଛି ପରାମର୍ଶ । ସେପଟେ ୨୪ ଘଣ୍ଟା ଯାଏ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ, କାଲିଠାରୁ ପାଗରେ ଆସିବ ପରିବର୍ତ୍ତନ । ଲେଉଟିବ ଶୀତ, କମିବ ରାତିର ତାପମାତ୍ରା ।



Farmers' concerns grew over how the rice would grow. | Argus News