ପୂର୍ବଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା ଘଟଣା: ୬ ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ: ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ନୂଆପାଲି ଗ୍ରାମର ଯୁବକ ଶ୍ରୀଧର ବେହେରାଙ୍କୁ ହତ୍ୟା ଘଟଣା । ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ । ଗତ ୨୦ ତାରିଖ ବିଳମ୍ବିତ ରାତିରେ ହୋଇଥିଲା ହତ୍ୟାକାଣ୍ଡ । ଗିରଫ ଅଭିଯୁକ୍ତ ହେଲେ ଭୁକ୍ତାପଡ଼ା ଗ୍ରାମର ବିଶ୍ଵାମିତ୍ର ବାଦି ଓ ନୂଆପାଲି ଗ୍ରାମର ସୁବାସ ଦୀପ, ବିଭୀଷଣ ଦୀପ, ସୁରେଶ ଦୀପ, ଲକ୍ଷ୍ମଣ ଦୀପ ଓ ହର୍ଷ ଦୀପ । ସୂଚନା ଅନୁଯାୟୀ ଗତ ୨୦ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ବୌଦ୍ଧ ଥାନା ନୁଆପାଲି ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ତାଙ୍କ ଘର ସାମ୍ନାରେ ଗ୍ରାମର ଅନ୍ୟ ଏକ ପରିବାରର ସଦସ୍ୟ ମାନେ ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ହତ୍ୟାକାଣ୍ଡକୁ ନେଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ନୁଆପାଲି ଗ୍ରାମରେ ପହଞ୍ଚି ତଦନ୍ତ କରିଥିବା ବେଳେ ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଆଉ ଦୁଇ ଜଣ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଜାଣିବାକୁ ପାଇ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।