ଓଡ଼ିଶା ଆସୁଛନ୍ତି ପିଏମ୍, ରାଷ୍ଟ୍ରପତିଙ୍କ ପରି ଶୀର୍ଷ ସୁରକ୍ଷା ପ୍ରାପ୍ତ ନେତା

Key Points
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଜୋରଦାର
ଅତିଥୀଙ୍କ ସ୍ବାଗତ, ସତ୍କାରରେ କୌଣସି ଅଭାବ ନରଖିବାକୁ ସଜାଗ ସରକାର
ଓଡ଼ିଶା ଆସୁଛନ୍ତି ପିଏମ୍, ରାଷ୍ଟ୍ରପତିଙ୍କ ପରି ଶୀର୍ଷ ସୁରକ୍ଷା ପ୍ରାପ୍ତ ନେତା
ଭୁବନେଶ୍ବର ଇତିହାସର ସବୁଠୁ କଡ଼ା ସୁରକ୍ଷା ପାଇଁ ହେଉଛି ବ୍ୟବସ୍ଥା
ପ୍ରବାସୀ ଭାରତୀୟ ସମ୍ମିଳନୀ ଉତ୍କର୍ଷ ଓଡ଼ିଶ ପାଇଁ ବାଟ ଫିଟାଇବ
ଶିଳ୍ପ ବିକାଶ ସହ ରୋଜଗାର ସୃଷ୍ଟି ପାଇଁ ଓଡ଼ିଶାକୁ ବଡ଼ ସୁଯୋଗ ମିଳିବ
ଅର୍ଗସ ବ୍ୟୁରୋ: ଜୁନାଆରୀ ୮ ରୁ ୧୦ ଯାଏ ରାଜଧାନୀ ଭୁବନେଶ୍ବରରେ ରହିବେ ଦେଶର ଶୀର୍ଷ ସୁରକ୍ଷା ପ୍ରାପ୍ତ ନେତାଙ୍କ ସମେତ ବିଦେଶରୁ ଆସୁଥିବା ବହୁ ଭିଭିଆଇପି ଅତିଥୀ। ଭୁବନେଶ୍ବର ଇତିହାସରେ ସୁରକ୍ଷା ଦୃଷ୍ଟିରୁ ସବୁଠୁ ଆହ୍ବାନ ପୂର୍ଣ୍ଣ ହେବ ଏହି ତିନି ଦିନ। ସୁରକ୍ଷାରେ ଯେପରି ସାମାନ୍ୟମାତ୍ର ବ୍ୟତିକ୍ରମ ନହୁଏ ସେଥିପାଇଁ ପୂରା ସଜାଗ ଓଡ଼ିଶା ପୋଲିସ। ସେଥିପାଇଁ ସମ୍ମିଳନୀ ସ୍ଥଳ ଜନତା ମଇଦାନରେ କରାଯାଇଛି ମକ୍ ଡ୍ରିଲ୍। ଆତଙ୍କବାଦୀ ଆକ୍ରମଣ ରୋକିବା ଓ ପ୍ରତିରୋଧ କରିବାକୁ ଅଭ୍ୟାସ କରିଛନ୍ତି ଓଡ଼ିଶା ପୋଲିସର ସଶସ୍ତ୍ର ସୁରକ୍ଷା କର୍ମୀ। ମକ ଡ୍ରିଲରେ ଏସଓଜି କମାଣ୍ଡୋ, ଏସପିଜି କମାଣ୍ଡୋ, ଓଡ୍ରାଫ, ଅଗ୍ନୀଶମ କର୍ମଚାରୀ ଓ କେ୯ ସ୍କ୍ବାର୍ଡ ଓ ବୋମା ନିଷ୍କ୍ରିୟ କାରି ଦଳ ସାମିଲ ହୋଇଥିଲେ।
ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୮୦ ପ୍ରତିଶତ କାର୍ଯ୍ୟ ସରିଛି। ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ପୋଲିସ ଡିଜି ଜନତା ମଇଦାନ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେପଟେ ରାଜଧାନୀକୁ ନବବଧୁ ବେଶରେ ସଜା ଚାଲିଛି। ସହରର ପରିମଳ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୩୫୦୦ ପ୍ରବାସୀ ଭାରତୀୟ ରେଜିଷ୍ଟ୍ରେସନ୍ କରଛନ୍ତି। ଆଗକୁ ଏହି ସଂଖ୍ୟା 7 ହାଜରରୁ ଅଧିକ ବି ହୋଇପାରେ। ପ୍ରବାସୀ ଭାରତୀୟ ଯେପରି ଓଡ଼ିଶାରୁ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ସବୁ ବ୍ୟବସ୍ଥା ଉପରେ ଟିନିକିନି ଧ୍ୟାନ ରଖାଯାଉଛି। ଓଡ଼ିଶାକୁ ଉତ୍କର୍ଷ ପଥରେ ନେବା ପାଇଁ ଏହି ସମ୍ମିଳନୀ ଏକ ବଡ଼ ସୁଯୋଗ। ଓଡିଶାର ପର୍ଯ୍ୟଟନ ଓ କଳାକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଏକ ପ୍ରକୃଷ୍ଟ ମୌକା ଆଣି ଦେଇଛି ଏହି ସମ୍ମିଳନୀ। ତାସହିତ ଓଡ଼ିଶାରେ ପୁଞ୍ଜି ନିବେଶର ବାଟ ପ୍ରସସ୍ତ କରି ଶିଳ୍ପ ଓ ରୋଜଗାର ପାଇଁ ବଡ଼ ସମ୍ଭାବନା ତିଆରି କରିବ ପ୍ରବାସୀ ଭାରତୀୟ ସମ୍ମିଳନୀ।
ଓଡ଼ିଶାର କଳା ସଂସ୍କୃତି ସହ ବିଦେଶରୁ ଆସୁଥିବା ଅତିଥୀମାନେ ଯେପରି ପରିିଚିତ ହେବେ ସେଥିପାଇଁ ଆଜିଠାରୁ ପଥ ଉତ୍ସବ ଆରମ୍ଭ ହେଇଛି। ଉଭୟ କଟକ ଓ ଭୁବନେଶ୍ବରରେ ଆୟୋଜିତ ପଥଉତ୍ସବରେ ଦୈତ ନଗରୀବାସୀ ଢେର ଉତ୍ସାହ ଦେଖାଇଥିଲେ। ପ୍ରବାସୀ ଭାରତୀଙ୍କ ସତ୍କାର ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସେଥିପାଇଁ ପରିସ୍କାର ପରିଚ୍ଛନତା ଓ ସହରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବାକୁ ଟ୍ବିନ ସିଟି ବାସୀଙ୍କୁ ନିବେଦନ କରିଛନ୍ତି।
ପ୍ରବାସୀ ଭାରତୀୟ ଭୁବନେଶ୍ବର, କଟକ, ପୁରୀ ଏବଂ କୋଣାର୍କର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବେ । ଏନେଇ ପୁରୀରେ ବିଭିନ୍ନ ମହୋତ୍ସବର ଆୟୋଜନ ମଧ୍ୟ କରାଯାଉଛି । ପ୍ରବାସୀଙ୍କୁ ଗାଇଡ଼ କରିବା ସହ ଶ୍ରୀମନ୍ଦିରରେ ଯେଭଳି ସହଜ ଦର୍ଶନ କରିପାରିବେ ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଯାଆସ ପାଇଁ ଡବଲ ଡେକର ବସର ବ୍ୟବସ୍ଥା ହୋଇଛି। ୮ ତାରିଖରେ ୫୦୦ ପ୍ରବାସୀ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିରେ ଇନଭେଷ୍ଟମେଣ୍ଟ ସହ ଓଡିଶାରେ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଦିଆଯିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: