ଉପାନ୍ତରୁ ଉପକୂଳ ରାତି ସହ ବଢିଲା ଦିନର ତାପମାତ୍ରା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଏବେ ଉପରମୁହାଁ ପାରଦ । ଉପାନ୍ତରୁ ଉପକୂଳ ରାତି ସହ ବଢିଲା ଦିନର ତାପମାତ୍ରା । ଦିନ ଅପେକ୍ଷା ରାତିର ତାପମାତ୍ରା ଅଧିକ ବୃଦ୍ଧି ପାଇଛି । ଦୁଇ ଦିନ ମଧ୍ୟରେ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଛି । ଗତ କାଲି ଚାନ୍ଦବାଲିରେ ରାତି ତାପମାତ୍ରା ୨୦ ଦଶମିକ ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୦ ତାରିଖରେ ୧୪.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଯାହା ୬ ଡିଗ୍ରୀ ବୃଦ୍ଧି ପାଇଛି । ସେହିପରି ୨୦ ତାରିଖ ଦିନ ପୁରୀରେ ତାପମାତ୍ରା୧୭.୨ ଡିଗ୍ରୀ ରହିଥିବା ବେଳେ କାଲି ୨୦ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୨୦ ତାରିଖ ସକାଳ ୫ଟା ୩୦ରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୧୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୨୦ ତାରିଖରେ ୯ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ୧୩ ଦଶମିକ ୨ ଡିଗ୍ରୀକୁ ବୃଦ୍ଧି ପାଇଛି l
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ବିଶେଷ କରି ଘନ କୁହୁଡି ନେଇ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହୋଇପାରେ । ତେଣୁ ରାତି ଦୁଇଟାରୁ ସକାଳ ୯ଟି ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ସତର୍କତାର ସହ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଉତ୍ତର-ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତିଘନ କୁହୁଡ଼ି ଦୃଶ୍ୟମାନ ସହ ଯାତାୟତରେ ବାଧାସୃଷ୍ଟି ହୋଇଛି l ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି l