ଓଡିଶାରେ ଆହୁରି ଅଧିକ ହେବ ଶିକ୍ଷାର ବିକାଶ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ । କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ବି କହିଛନ୍ତି, ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ୧୦୦ ବର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରିଛି, ଯାହା ଏକ ବଡ ଉପଲବ୍ଧି । ନାକ୍ ଅଧିସ୍ବୀକୃତି ପାଇଁ ଆବେଦନ କରିବା ପାଇଁ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ଚାରିବର୍ଷିଆ ଇଣ୍ଟିଗ୍ରଟେଡ୍ ଟିଚର୍ ଏଜ୍ୟୁକେସନ ପ୍ରୋଗ୍ରାମ ଆରମ୍ଭ ହେବ ।
ପୂର୍ବ ସରକାର ଶିକ୍ଷକ ଅଭାବ ଓ ନିଯୁକ୍ତିର ବାହାନା ଦେଖାଇ ଏହି ପ୍ରତିଷ୍ଠାନକୁ ବନ୍ଦ କରି ଅନ୍ୟ କଲେଜ ସହ ମିଶାଇ ଦେବା ପାଇଁ ଯୋଜନା କରିଥିଲେ । ରାଜ୍ୟରେ ବିଇଡି ପାଠ୍ୟକ୍ରମ ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ । ଶିକ୍ଷାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ସ୍କୁଲରେ ଡ୍ରପ ଆଉଟ ହାର ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦାୟିତ୍ବ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଶତବାର୍ଷିକୀ ସମାରୋହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ ।