ଆପଣ ଜାଣନ୍ତି କି ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ପରିସର କେତେ?

Key Points
ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା
ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ପରିସର କେତେ?
ପୂର୍ବପଟ ମେଘନାଦ ପାଚେରୀର କେତେ ବ୍ୟବଧାନରେ ରହିଛି ସ୍ନାନମଣ୍ଡପ ?
ପାଖେଇ ଆସିଲାଣି ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏବେଠି ପୁରୀରେ ଭକ୍ତଙ୍କ ସମାଗମ। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରିଥାନ୍ତି। ଏହାସହ ଅନ୍ୟ ସମୟରେ ଠାକୁରଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ସ୍ନାନମଣ୍ଡପରେ କରାଯାଇଥାଏ।
ଆଜି ଆମେ ଜାଣିବା ସ୍ନାନମଣ୍ଡପ ବିଷୟରେ କିଛି ଅଜଣା କଥା। ସ୍ନାନମଣ୍ଡପ ଶ୍ରୀମନ୍ଦିର ବେଢ଼ାର ଉତ୍ତର-ପୂର୍ବ କୋଣରେ ଓ ଆନନ୍ଦ ବଜାର ପରିସରରେ ଅବସ୍ଥିତ । ଏହା ପୂର୍ବପଟ ମେଘନାଦ ପାଚେରୀର ପ୍ରାୟ ୧୦ ଫୁଟ୍ ବ୍ୟବଧାନରେ ରହିଛି। ଏହି ମଣ୍ଡପର ଲମ୍ୱ-ଓସାର ପ୍ରତ୍ୟେକ ୫୫ ଫୁଟ୍ ଏବଂ ଉଚ୍ଚତା ଦକ୍ଷିଣପଟରେ ୬ ଫୁଟ୍ ୩ ଇଞ୍ଚ ଓ ବାମ ପଟରେ ୬ ଫୁଟ ୬ଇଞ୍ଚ। ବର୍ଗାକୃତି ମଣ୍ଡପର ୪ଟି ପାହାଚ ପରେ ୫ମ ପହାଚ ଉପରେ ଶ୍ରୀଜୀଉଙ୍କର ଆସ୍ଥାନ ବିଦ୍ୟମାନ। ସେହି ଆସ୍ଥାନ ପାଇଁ କଳାମୁଗୁନି ପଥରର ବର୍ତ୍ତୁଳାକାର ପିଣ୍ଡି ୩ଟି ରହିଛି। ପ୍ରତି ପିଣ୍ଡିର ଉଚ୍ଚତା ପ୍ରାୟ ୧ ଫୁଟ।
ଶ୍ରୀଜଗନ୍ନାଥଙ୍କ ପିଣ୍ଡିର ବ୍ୟାସ ୩୯ ଇଞ୍ଚ ଓ ଗୋଲାକାର ଆୟତନ ସାଢ଼େ ୯ଫୁଟ, ସୁଭଦ୍ରାଙ୍କ ପିଣ୍ଡିର ବ୍ୟାସ ୨୪ ଇଞ୍ଚ ଓ ଗୋଲେଇ ଆୟତନ ୬ ଫୁଟ ୫ ଇଞ୍ଚ ଏବଂ ବଳଭଦ୍ରଙ୍କ ପିଣ୍ଡିର ବ୍ୟାସ ସାଢ଼େ ୨୭ ଇଞ୍ଚ ଓ ଗୋଲେଇ ମାପ ୭ଫୁଟ ୩ ଇଞ୍ଚ। ମଣ୍ଡପ ଉପରେ ଥିବା ପ୍ରତ୍ୟେକ ପାହାଚର ଓସାର ୨୬ ଫୁଟ ୪ ଇଞ୍ଚ। ପ୍ରଥମ ପାହାଚର ଓସାର ୩ଫୁଟ ୫ ଇଞ୍ଚ, ଦ୍ୱିତୀୟ ପାହାଚ ୫ ଫୁଟ ୮ ଇଞ୍ଚ, ତୃତୀୟ ପାହାଚ ୩ ଫୁଟ, ଚତୁର୍ଥ ପାହାଚର ଓସାର ୩ ଫୁଟ ୩ଇଞ୍ଚ ଏବଂ ଶ୍ରୀଜୀଉଙ୍କର ଆସ୍ଥାନ ମଣ୍ଡପର ଉଚ୍ଚତା ୬ ଫୁଟ ୩ ଇଇଞ୍ଚ। ମଣ୍ଡପ ଉପରକୁ ଆନନ୍ଦ ବଜାରରୁ ଯିବାକୁ ଉତ୍ତରପଟେ ୯ଟି ଓ ଦକ୍ଷିଣ ଦିଗରେ ୭ଟି ପାହାଚ ଶ୍ରେଣୀ ରହିଛି।
ପ୍ରଭୁଙ୍କର ମୂଳ ଆସ୍ଥାନ ମଣ୍ଡପ ପଛପଟ କାନ୍ଥଠାରୁ ପାହାଚ ଆରମ୍ଭ ପର୍ଯ୍ୟନ୍ତ ସମୁଦାୟ ଅଂଶର ଉଚ୍ଚତା ୨୫ ଫୁଟ ୩ ଇଞ୍ଚ। ଆସ୍ଥାନବେଦୀର ଦକ୍ଷିଣପଟ କୋଣେ ସ୍ନାନଜଳ ଯିବା ପାଇଁ ଛୋଟ ନଳାଟିଏ ଅଛି। ମଣ୍ଡପଟି ସମ୍ପୂର୍ଣ୍ଣ ଧଳା ବଉଳାମାଳା ପଥରରେ ଆଚ୍ଛାଦିତ। ଚିତ୍ରକାରମାନେ ସ୍ନାନବେଦୀ କାନ୍ଥରେ ପଦ୍ମ ଓ ଓଲଟ ପଦ୍ମ ଚିତ୍ରରେ ଚିତ୍ରିତ କରିଥାନ୍ତି। ବିଗ୍ରହମାନେ ଯେତେବେଳେ ଏ ମଣ୍ଡପରେ ବିରାଜମାନ କରିଥାନ୍ତି, ଲକ୍ଷାଧିକ ଭକ୍ତ ସିଂହଦ୍ୱାର ସମ୍ମୁଖରେ ବଡଦାଣ୍ଡରେ ଠିଆ ହୋଇ ଦର୍ଶନ କରିଥାନ୍ତି। ସ୍ନାନଯାତ୍ରାର ସ୍ନାନମଣ୍ଡପରେ ଯେଉଁମାନେ ଭକ୍ତି ସହକାରେ ଦର୍ଶନ କରନ୍ତି, ସେମାନେ ବହୁ ପୁଣ୍ୟଲାଭ କରନ୍ତି।