କାମରେ ଆସୁନି ନଳକୂଅ, ବସୁଧାରୁ ମିଳୁନି ପାଣି

ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ଉପରପଡ଼ାରେ ଉତ୍କଟ ପାନୀୟ ଜଳ ସମସ୍ୟା l ଦୁର୍ଗମରେ କାମରେ ଆସୁନି ନଳକୂଅ । ବସୁଧାରୁ ମିଳୁନି ପାଣି l ଏପରି ସ୍ଥିତିରେ ସ୍ଥାନୀୟ ଲୋକଙ୍କ ପାଇଁ ପାଣି ସମସ୍ୟା ଚିନ୍ତାରେ ପକାଇଛି l ପୂର୍ବ ସରକାରରେ ବସୁଧା ଯୋଜନା କେବଳ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି । ୨୪ ବର୍ଷର ସରକାର ଗାଁକୁ ପାଣି ଯୋଗାଇବାରେ ଅସମର୍ଥ ଥିବା ଅଭିଯୋଗ ହୋଇଛି । ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ଉପାନ୍ତବାସୀ । ଗାଁ ନିକଟରେ ରହିଛି ବସୁଧା ଯୋଜନାର ପାଣି ଟାଙ୍କି । ଦୁଇ ବର୍ଷତଳେ କର୍ଲାପାଣି ଉପରପଡାରେ ପାଇପ ପୋତି ପ୍ରତି ଘର ସମ୍ମୁଖରେ ଟ୍ୟାପ ଲଗାଯାଇଥିଲା । ହେଲେ ଆଜି ଯାଏ ଲୋକଙ୍କ ପାଖରେ ପହଁଚି ପାରିନି ପାଣି । ଉପରପଡାର ଗୋଟିଏ ନଳକୂଅ ପିଇବା ଯୋଗ୍ୟ ହୋଇ ନଥିବା ବେଳେ ଗାଁ ରେ ଥିବା ଅନ୍ୟ ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି l
କର୍ଲାପାଣି ଗାଁ ମଝିରେ ଥିବା ଗୋଟିଏ ନଳକୂଅରୁ ପାଣି ସଂଗ୍ରହ ପାଇଁ ଜମେ ମହିଳାଙ୍କ ଭିଡ଼ । କର୍ଲାପାଣିରେ ହୋଇଥିବା ବସୁଧା ଯୋଜନାରେ ପାଇପ ପୋତା କାର୍ଯ୍ୟ ଖାମଖିଆଲି ଭାବେ ହୋଇଥିବା ଅଭିଯୋଗ ହୋଇଛି । ଯେନତେଣ ଭାବେ କାମ ସାରିଦେଇଥିଲେ ପୂର୍ବ ସରକାର l ସେପଟେ ସମସ୍ୟା ସମାଧାନ ପାଇଁ ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ରେ ଉବୁଟୁବୁ ହେଉଛନ୍ତି ଉପରପଡା ବାସିନ୍ଦା । ଆଗକୁ ଖରା ଦିନ ଆସୁଛି । ଖୁବଶୀଘ୍ର ଜିଲ୍ଲାପ୍ରଶାସନ ସମସ୍ୟାର ସମାଧାନ କରିବା ଜରୁରୀ ହୋଇ ପଡିଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର: