ବନବିଭାଗର ନିଦ ହଜାଇଲାଣି ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିବା ବାଘୁଣୀ ଜିନ୍ନତ୍

ଅର୍ଗସ ବ୍ୟୁରୋ: ବନବିଭାଗର ନିଦ ହଜାଇଲାଣି ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିବା ବାଘୁଣୀ ଜିନ୍ନତ୍ । ଜିନ୍ନତ୍ ଏବେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ଜିଲ୍ଲା ବାନ୍ଦଓ୍ବାନରେ ପହଞ୍ଚିଯାଇଛି। ବିସ୍ତୀର୍ଣ୍ଣ ଜଙ୍ଗଲ ଦେଇ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରୁଛି ଜିନ୍ନତ । ଏବେ ଓଡ଼ିଶା ଠାରୁ ପ୍ରାୟ ୧୩୦କିମି ଦୂରରେ ଏହାର ଅବସ୍ଥିତି ରହିଛି । ଏବଂ ବାଘୁଣୀଟି ଦିନକୁ ୨୫ରୁ ୩୦ କିମି ବାଟ ଅତିକ୍ରମ କରୁଛି। ବାଘୁଣୀଟି ଏବେ ଭୋର ସମୟରେ ଆଗକୁ ବଢୁଥିବା ବେଳେ ମଧ୍ୟାହ୍ନରେ ବିଶ୍ରାମ କରୁଛି। ପୁଣି ସନ୍ଧ୍ୟାରେ କିଛି ସମୟ ଜଙ୍ଗଲରେ ଗତି କରିବା ପରେ ରାତିରେ ବିଶ୍ରାମ କରୁଛି ବୋଲି ଜିପିଏସ୍ ଲୋକେସନରୁ ଜଣାପଡ଼ିଛି।
ଚଳିତ ମାସ ୮ ତାରିଖ ରାତିରେ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ୧୧ ଦିନ ବିଚରଣ କରିଥିଲା ଜିନ୍ନତ୍। ୧୯ ତାରିଖ ରାତିରେ ଝାଡ଼ଖଣ୍ଡ ସୀମା ଡେଇଁ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ପଶିଥିଲା। ରବିବାର ଏହାକୁ ପ୍ରଥମେ ପଶ୍ଚିମ ମେଦିନାପୁର ଓ ପରେ ପୁରୁଲିଆ ଜିଲ୍ଲାର ବାନ୍ଦଓ୍ବାନ ରେ ଠାବ କରାଯାଇଛି । ଯେକୌଣସି ସମୟରେ ଜିନ୍ନତ ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ବନବିଭାଗ ସହଯୋଗ ରେ ଏହାକୁ ଟ୍ରଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗୀନାନି। ୧୩୦ ଜଣ କର୍ମଚାରୀ ବାଘୁଣୀ ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ଜିନ୍ନତ୍ ଭୟରେ ପଶ୍ଚିମବଙ୍ଗର ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଉଛି।