ମାର୍ଚ୍ଚ ଆରମ୍ଭରୁ ୩୮ ଡିଗ୍ରୀ ଡେଇଁଲା ପାରଦ; ଭୁବନେଶ୍ଵରରେ ୩୬ ପାର୍

ଭୁବନେଶ୍ଵର: ବସନ୍ତରେ ଅସମ୍ଭାଳ ତାତି । ତତଲା ହେଉଛି ଫାଲ୍ଗୁନ । ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ଖରା । ଆଜି ରବିବାର ରାଜ୍ୟର ୧୦ ସହରରେ ପାରଦ ୩୭ ଡିଗ୍ରୀ ଛୁଇଁଛି । ରାଜ୍ୟର ୨ଟି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍ କରିଛି । ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୩୮ ଡେଇଛି । ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରର ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୧ ଡିଗ୍ରୀ ରହିଛି ।
ଅନୁଗୁଳର ସର୍ବୋଚ୍ଚ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ ୩୭.୬ ଡିଗ୍ରୀ, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫ ଡିଗ୍ରୀ, ଯାଜପୁର ୩୭.୨ ଡିଗ୍ରୀ, ବାରିପଦା, ସୋନପୁର ଓ ଭବାନୀପାଟଣାରେ ପାରଦ ୩୭ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଦିନ ସାଢ଼େ ୨ଟାରେ ୩୫.୬ ଡିଗ୍ରୀ ରହିଥିବା ବେଳେ ଅପରାହ୍ଣରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଛି । କଟକର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ସେଲସିୟସ୍ ରହିଛି ।
📱 Get Argus News App
✨ଗତ ୨୪ ଘଣ୍ଟାରେ ରାଜ୍ୟର ଟିଟିଲାଗଡ଼ରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ ହୋଇଥିଲା । କଟକ ଓ ଭୁବନେଶ୍ଵର ପାରଦ ୩୪ ଉପରେ ରହିଥିଲା । ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ଏବେ ରାଜ୍ୟ ଉପରେ କୌଣସି ପାଣିପାଗ ସିଷ୍ଟମ ସକ୍ରିୟ ନାହିଁ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
