ନବୀନଙ୍କ ଗଡ଼ରେ ଗଡିଲାଣି ୧୦୦ ମୁଣ୍ଡ !

Key Points
- ନବୀନଙ୍କ ଗଡ଼ରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା
- ୨୪ ବର୍ଷରେ ହେଲାଣି ଶହେରୁ ଅଧିକ ହତ୍ୟାକାଣ୍ଡ
- ୩୭ ଅପରାଧରେ ୪୧ ଜଣଙ୍କୁ ଏନକାଉଣ୍ଟର
ଅର୍ଗସ ବ୍ୟୁରୋ: ଗଂଜାମରେ ଭୁଶୁଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି । ଇଏ ଆଜି କି କାଲିର କଥା ନୁହେଁ ବର୍ଷ ୨୪ ବର୍ଷର କଥା କହୁଛୁ ଆମେ । ଖାସ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ୨୪ ବର୍ଷରେ ଶହେରୁ ଅଧିକ ହତ୍ୟାକାଣ୍ଡ ହୋଇଛି । ଏମିତି କିଛି ଚାଂଚଲ୍ୟକର ତଥ୍ୟର ଖୁଲାସା ହୋଇଛି ବିଧାନସଭାରେ । ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗରେ ଦାୟିତ୍ଵରେ ଥିବା ମୋହନ ମାଝି ଗୃହରେ ଲିଖିତ ଆକାରରେ ଉତ୍ତର ରଖିଛନ୍ତି । କିନ୍ତୁ ପ୍ରଶ୍ନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତାଙ୍କ ନିର୍ବାଚନମଣ୍ଡଳୀରେ କାହିଁକି ବଢିଛି ଅପରାଧିକ ମାମଲା ? ୨୪ ବର୍ଷର ମୁଖ୍ୟମନ୍ତ୍ରୀ ପୁଣି ନିଜ ପାଖରେ ରଖିଥିଲେ ଗୃହ ବିଭାଗ । ହେଲେ ଅପରାଧ କମାଇବାରେ ଆଦୌ ସଫଳ ନୁହନ୍ତି କି ନବୀନ ?
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି । ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି ଏବଂ ହାଜତକୁ ପଠାଯାଇଛି । ମୋଟ୍ ଶହେଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି । ୨୨ଗୋଟି ମାମଲା ଦୋଷମୁକ୍ତ ହୋଇଛି ଏବଂ ୬୯ଟି ମାମଲା ବିଚାରାଧୀନ ଅଛି । ସେହିପରି ପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୁଲିସ ଉପରକୁ ୩୭ ଟି ମାମଲାରେ ଅପରାଧୀ ଗୁଳି ଚଳାଇଛନ୍ତି । ଅପରାଧୀଙ୍କ ଗୁଳିରେ ୬୩ ଜଣ ପୁଲିସ ଅଧିକାରୀ ଆହତ ବି ହୋଇଥିଲେ । ଜିଲ୍ଲାରେ ୩୭ ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି ।
ସେପଟେ, ବିଜେଡ଼ି ଅପରାଧ ହେବା କଥା ସ୍ଵୀକାର କରିଥିବା ବେଳେ ଅଜବ ଢଙ୍ଗରେ ପ୍ରତିକ୍ରିୟା ରଖିଛି । ହତ୍ୟା ହେଉଥିଲା କିନ୍ତୁ ସେ ଅନୁଯାୟୀ ଦଣ୍ଡିତ ମଧ୍ୟ ହେଉଥିଲେ ଅପରାଧୀ । ପଡୋଶୀ ରାଜ୍ୟ କିମ୍ବା ଅନ୍ୟ ରାଜ୍ୟର ତୁଳନାରେ ଏହି ହତ୍ୟାକାଣ୍ଡ କମ୍ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ଦୋଷ ଦିଆଯାଉଛି । ତାଙ୍କ ଭାବମୂର୍ତ୍ତିକୁ ବଦନାମ କରିବାକୁ ଏମିତି ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ।
📱 Get Argus News App
✨ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡି ଯାଇଥିଲା । ହେଲେ ଏବେ ନୂଆ ସରକାର ଆସିବା ପରେ ଅପରାଧୀଙ୍କୁ ଦଣ୍ଡ ଦେବାକୁ ଫୋକସ କରୁଛି । ତେବେ ସମୟ କହିବ ଆଗାମୀ ଦିନରେ ଆଉ କେତେ ଅପରାଧୀ ଧରାପଡୁଛନ୍ତି ।
(ବ୍ରହ୍ମପୁରରୁ ରାଜେନ୍ଦ୍ର ପଣ୍ଡା ଓ ପିତାମ୍ବର ନାହାକଙ୍କ ସହ ଭୁବନେଶ୍ଵରରୁ ଦିବ୍ୟଜ୍ୟୋତି ମହାନ୍ତି ଏବଂ ପ୍ରଦୀପ୍ତ ମହାପାତ୍ରଙ୍କ ରିପୋର୍ଟ)