ପରିଚୟ ଖୋଜୁଛି ୧୦୭ ବର୍ଷର ବାରିପଦା ଷ୍ଟାଡିୟମ

Key Points
ପରିଚୟ ଖୋଜୁଛି ୧୦୭ ବର୍ଷର ବାରିପଦା ଷ୍ଟାଡିୟମ
ଏହି ଷ୍ଟାଡିୟମଟି ୧୯୧୮ ମସିହାରେ ନିର୍ମାଣ କରିଥିଲେ
ନୂତନ ପରିଚୟ ଦେବାକୁ ଦାବି କରିଛନ୍ତି ଜିଲ୍ଲାବାସୀ
ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଏକ ବଡ଼ ମୂକସାକ୍ଷୀ ହେଉଛି ବାରିପଦା ଷ୍ଟାଡିୟମ। ବାରିପଦା ସହରର ମୁଖ୍ୟ ଭାଗରେ ଏକ ବିସ୍ତୃତ ଅଞ୍ଚଳ ବ୍ୟାପି ରହିଥିବା ଏହି ଷ୍ଟାଡିୟମରୁ ଅନେକ ପ୍ରତିଷ୍ଠିତ କ୍ରୀଡ଼ାବିତ୍ ଜନ୍ମନେଇଛନ୍ତି। ଏଠାରେ ଇଂଲଣ୍ଡର କରିନ୍ଥିଆନ୍ ଟିମ୍ ମଧ୍ୟ ଆସି ଫୁଟବଲ ମ୍ୟାଚ୍ ଖେଳିଥିବା ବେଳେ ଦୀର୍ଘ ବର୍ଷ ଧରି ଏଠାରେ ରଣଜୀ ଟ୍ରଫି ମ୍ୟାଚ୍ ମଧ୍ୟ ହୋଇଛି। ଯୋଉଥିରେ ଅନେକ ଦିଗଜ୍ କ୍ରିକେଟ୍ ତାରକା ମାନେ ତାଙ୍କର ଖେଳ ପ୍ରଦର୍ଶନ କରିଥିବା ବେଳେ ଭାରତର ପୂର୍ବତନ କ୍ୟାପଟେନ୍ ମହେଦ୍ର ସିଂ ଧୋନି ମଧ୍ୟ ଏହି ପଡ଼ିଆରେ ଛକା ଚୌକା ମାରିଛନ୍ତି। କିନ୍ତୁ ଆଜି ଏହି ଷ୍ଟାଡିୟମ ଅବହେଳିତ ଅବସ୍ଥାରେ। ଏହି ଷ୍ଟାଡିୟମଟି ୧୯୧୮ ମସିହାରେ ନିର୍ମାଣ କରିଥିଲେ।
ପରବର୍ତ୍ତୀ ସମୟରେ ମୟୂରଭଞ୍ଜ ଏକ ଜିଲ୍ଲା ଭାବେ ଓଡ଼ିଶାରେ ସାମିଲ ହେବାର କିଛି ବର୍ଷ ପରେ ଅର୍ଥାତ୍ ୧୯୬୦ ମସିହାରେ ପୁଣି ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟରେ "ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ୍" ନାମରେ ରେଜିଷ୍ଟ୍ରେସନ୍ ହୋଇଥିଲା। ଫୁଟବଲ, କ୍ରିକେଟ୍, ଭଲି, ଆଥଲେଟିକ୍ ଭଳି ଏହା ଏକ ବହୁମୁଖୀ କ୍ରୀଡାର ପେଣ୍ଠସ୍ଥଳୀ। ପ୍ରଥମେ ଏହାର ପରିଧି ୧୯ ଏକରରୁ ଅଧିକ ରହିଥିବା ବେଳେ ଏବେ ଏହା ୬ ଏକର ଜାଗାରେ ସୀମିତ ରହିଛି। ଏବେ ଏଠାରେ ଓଡ଼ିଶା ଅଲମ୍ପିକ୍ସ ଏଫିଲେଟେଡ୍ ବିଭିନ୍ନପ୍ରକାର ଖେଳ ହେଉଥିବା ବେଳେ ଖେଳାଳି ମାନଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ଜିମର ମଧ୍ୟ ବ୍ୟବସ୍ଥା ରହିଛି। ବିଶେଷ କରି ମୟୂରଭଞ୍ଜକୁ ଫୁଟବଲର ଏନ୍ତୁଡ଼ିଶାଳ କୁହାଯାଉଥିବା ବେଳେ' ସେତେବେଳେ ରାଜାମହାରାଜା ମାନେ ନିଜେ ମଧ୍ୟ ଫୁଟବଲ ଖେଳୁଥିଲେ ଏବଂ ଏହାର ବିକାଶକୁ ଲକ୍ଷ୍ୟ ରଖି ଏଠାରେ ଫୁଟବଲ ପ୍ରଶିକ୍ଷଣ ମଧ୍ୟ ହେଉଥିଲା।
📱 Get Argus News App
✨ସବୁଠାରୁ ବଡ଼ କଥା ହେଲା ସେତେବେଳେ ମୟୂରଭଞ୍ଜର ଦିଗଜ୍ ଖେଳାଳି ମାନେ ଖାଲିପାଦରେ ଖେଳି ଇଂଲଣ୍ଡକୁ ପରାସ୍ତ କରିଥିଲେ । ଏହାସହିତ ଏଠାରେ ଦଶ ଦଶ ଥର ରଣଜୀ ଟ୍ରଫି ମଧ୍ୟ ଅନୁଷ୍ଠିତ ହୋଇଛି। ଯୋଉଥିରେ କି ଭାରତର ବଡ଼ ବଡ଼ କ୍ରିକେଟର ତଥା - ଶବାକରିମ୍,ରୋହନ ଗଭାସ୍କର, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଏବଂ ଭାରତର ଅନ୍ୟତମ ଅଧିନାୟକ ମହେଦ୍ର ସିଂ ଧୋନି ମଧ୍ୟ ଏହି ଷ୍ଟାଡିୟମରେ ରଣଜୀ ଟ୍ରଫିରେ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୯୬ ରନ୍ ସଂଗ୍ରହ କରିଥିଲେ। ତେବେ ଆଜକୁ ଶହେ ବର୍ଷ ତଳେ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାରିପଦା ଷ୍ଟାଡିୟମକୁ ପୁଣିଥରେ ପୂର୍ବାବସ୍ଥାକୁ ଫେରାଇଆଣିବା ସହିତ ଏହାକୁ ଏକ ନୂତନ ପରିଚୟ ଦେବାକୁ ଦାବି କରିଛନ୍ତି ଜିଲ୍ଲାବାସୀ।