Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣିରେ ଭାସିଗଲା ୧୨୦୭ କୋଟି ! ବଡ଼ ଲୁଟ୍‌ ପରେ ବି ଥାନାରେ ନାହିଁ ମାମଲା..

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପାଣିରେ ଭାସିଗଲା ୧୨୦୭ କୋଟି ! ବଡ଼ ଲୁଟ୍‌ ପରେ ବି ଥାନାରେ ନାହିଁ ମାମଲା..

ମେଘା ଇଞ୍ଜିନିୟରିଂର ମେଗା ଲୁଟ୍, ପାଣିରେ ଭାସିଗଲା ୧୨୦୭ କୋଟି ! ପରିଚାଳନାରେ ଫେଲ୍, ଲୁଟରେ ଏକ ନମ୍ବର ! କାହା ହିତରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ? କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଲୁଟ୍, ଅଥଚ ଥାନାରେ ମାମଲା ନାହିଁ ।

ସ୍ଥିତି ସାଂଘାତିକ, ମିଛ ଅଲଗା ରକମର। ଚାଷୀ ସତ କହୁଛି ନା ଯନ୍ତ୍ରୀ କହୁଛନ୍ତି ସତ। ଗ୍ରାଉଣ୍ଡ ଜିରୋର ଚିତ୍ର ସତ ନା ବାବୁଙ୍କ କଥା ସତ। ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ଲକ୍ଷ୍ୟ ନେଇ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା ସେ ଲକ୍ଷ୍ୟ ଏବେ ଖତଗଦାରେ ପଡ଼ିଛି। ଚାଷୀ ପାଣି ପାଉନି, ଅଥଚ ପୋଖରୀକୁ ପାଣି ଛଡ଼ାଯାଉଛି। ଗଙ୍ଗାଧର ମେହେର ପ୍ରକଳ୍ପର ଡିପିଆର କହୁଛି ଚାଷୀଙ୍କୁ ମିଳିବ ପାଣି। କିନ୍ତୁ କାହା ସ୍ବାର୍ଥରେ ପୋଖରୀକୁ ଛଡ଼ା ଯାଉଛି ପାଣି ? କାହା ଅନୁମତିରେ ପୋଖରୀ ଗୁଡ଼ିକ ପାଖରେ ଦିଆଯିଛି ପଏଣ୍ଟ ?

କେବଳ କଣ ଏତିକି, ପ୍ରକଳ୍ପରେ ସବୁ ଗୋଲମାଲ୍ । ୨୦୨୪ ଫେବ୍ରୁଆରୀରେ ଏହି ପ୍ରକଳ୍ପର ଉଦଘାଟନ ପରଠୁ ୧୭୫ଟି ଓଏମଏସ୍ ବା ଆଉଟଲେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ ଚୋରି ହୋଇଥିବା କହୁଛନ୍ତି ନିର୍ବାହୀ ଯନ୍ତ୍ରୀ। ଗୋଟିଏ ଓଏମଏସର ଦାମ୍ ଲକ୍ଷାଧିକ ଟଙ୍କା । ତେବେ ୧୭୫ଟି ଓଏମଏସର ଦାମ୍ କୋଟିଏରୁ ଉର୍ଦ୍ଧ୍ବ ହେବ । ନିର୍ବାହି ଯନ୍ତ୍ରୀ କହୁଛନ୍ତି ଏନେଇ ବରପାଲି, ବିଜେପୁର ଓ ସୋହେଲା ଥାନାରେ ମାମଲା ରୁଜୁ ହୋଇଛି । କିନ୍ତୁ ବାସ୍ତବ ଚିତ୍ର ପୂରା ଅଲଗା।


ଏନେଇ କୌଣସି ଥାନାରେ କିଛି ବି ମାମଲା ରୁଜୁ ହୋଇନି । ସୋହେଲା ଥାନାରେ ଯନ୍ତ୍ରାଂଶ ଚୋରି ନେଇ କେବଳ ଗୋଟିଏ ମାମଲା ଥିବା ବେଳେ, ବିଜେପୁର ଥାନାରେ ୨୦୨୪ରୁ କେବଳ ଡିଜେଲ୍ ଚୋରି ନେଇ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ବରପାଲି ଥାନାରେ ୨୦୨୪ ଜାନୁଆରୀ ପରଠାରୁ କୌଣସି ମାମଲା ରୁଜୁ ହିଁ ହୋଇନି। ଏନେଇ ଉକ୍ତ ତିନୋଟି ଥାନାର ଆଇଆଇସିଙ୍କୁ ପଚାରିବାରୁ ସେମାନେ ଏଭଳି ତଥ୍ୟ ଦେଇଛନ୍ତି।

ଏଠି ପ୍ରଶ୍ନ ମାମଲା ଗଲା କୁଆଡ଼େ ? କିଏ ଚୋରି କରିଛି ଏହି କୋଟି କୋଟି ଟଙ୍କାର ସାମଗ୍ରୀ ? ନା ଲୁଟ୍ କରିବାର ଇଏ ନୂଆ ଏକ ତରିକା ?

କେବଳ ଏତିକି ନୁହେଁ ସବୁ ପଏଣ୍ଟକୁ ପାଣି ଯାଉଥିବା କହିଛନ୍ତି ନିର୍ବାହି ଯନ୍ତ୍ରୀ । କିନ୍ତୁ ପ୍ରକଳ୍ପ କାର୍ଯ୍ୟାଳୟଠାରୁ ମାତ୍ରା ୨ କିମି ଦୂରରେ ଥିବା ବାଉଁସପୋଲା ଗାଁରେ କେବଳ ଦୁଇଟି ପଏଣ୍ଟ ରହିଛି । ଗାଁର ଚାଷୀଙ୍କ କହିବା କଥା ଏକାଧିକ ପଏଣ୍ଟ ଅଚଳ ହୋଇ ପଡ଼ିଛି। ବିଜେପୁର ବ୍ଲକର ସମଲେଇ ପଦର ଗାଁରେ ମଧ୍ୟ ସମାନସ୍ଥିତି । ଗ୍ରାଉଣ୍ଡ ଜିରୋର ଚିତ୍ର ହେଲା ହଜାର ହଜାର ହେକ୍ଟର ଜମି ମରି ପଡ଼ିଛି। ଆଉ ଯିଏ କାଁ ଭାଁ ଚାଷ କରିଛି, ତା' ମନରେ ଡର କାଳେ ବନ୍ଦ ହୋଇଯିବ ପାଣି।

ଏପଟେ ୨ ବର୍ଷ ପୂର୍ବରୁ ପାଣି ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ତାଙ୍କୁ ଦିଆଯାଇନାହିଁ କ୍ଷମତା। ନିର୍ବାହି ଯନ୍ତ୍ରୀଙ୍କ କହିବା କଥା ପଞ୍ଜିକରଣରେ ବିଳମ୍ବ ହେତୁ ପାଣିପଞ୍ଚାୟତକୁ କ୍ଷମତା ଦିଆଯାଇନାହିଁ। ଏପଟେ କିନ୍ତୁ ପ୍ରକଳ୍ପ କମିଟିର ସମ୍ପାଦକ କହୁଛନ୍ତି ଆମକୁ କ୍ଷମତା ଦେଲେ ମେଘା କମ୍ପାନୀ ଆଉ ଲୁଟ୍ କରିପାରିବ ନାହିଁ ତେଣୁ କ୍ଷମତା ଦିଆଯାଉନାହିଁ।

ହୀରାକୁଦରୁ କନାପାଲି ଯାଏଁ ଆସିଥିବା ପାଇପଲାଇନ୍ କାମ ଓ ପମ୍ପ ହାଉସ କାମ L&T କରିଥିବା ବେଳେ କନାପାଲିରୁ ଡିଷ୍ଟ୍ରିବ୍ୟୁସନ କାମ ମେଘା ଇଞ୍ଜିନିୟରିଂ କରିଛି। ଏହି ବାବଦକୁ ଏଯାଏଁ L&T ଠିକାସଂସ୍ଥା ୩୭୦ କୋଟି ନେଇସାରିଥିବା ବେଳେ ମେଘା ଇଞ୍ଜିନିୟରିଂ ଏପର୍ଯ୍ୟନ୍ତ ୧୨୦୭ କୋଟି ଟଙ୍କା ପାଇସାରିଛି। କିନ୍ତୁ ବିଡ଼ମ୍ବନା, ପ୍ରକଳ୍ପ କେବଳ କମ୍ପାନୀ ଓ ବାବୁଙ୍କୁ ପୋଷୁଛି। ଚାଷୀକୁ ଏଠି କିଛି ମିଳୁନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1207 crores washed away! Even after the big loot, there is no case in the police station | Argus News