ଓଡ଼ିଶାରେ ଷୋଡ଼ଶ ଅର୍ଥ କମିଶନର 15 ଜଣିଆ ଟିମ୍ , ୬ରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଓଡ଼ିଶାରେ ଷୋଡ଼ଶ ଅର୍ଥ କମିଶନର 15 ଜଣିଆ ଟିମ୍
୬ ତାରିଖରେ ରାଜ୍ୟ ସରକାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ
୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା
ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ୍ ବାବଦରେ ହେବ ଆଲୋଚନା
ମୋଦି କହିଛନ୍ତି - ଦେଶ ବିକାଶର ଇଞ୍ଜିନ ହେବ ଓଡ଼ିଶା
ପୂର୍ବ ଭାରତରେ ଫୋକସରେ ଓଡ଼ିଶା
ରାଜ୍ୟର ଦିଶା ଓ ଦଶା ବଦଳାଇବାରେ ଷୋଡ଼ଶ ଅର୍ଥ କମିଶନ ବଡ଼ ଭୂମିକା ନେବା ଆଶା
ଅର୍ଗସ ବ୍ୟୁରୋ : ୪ ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ । କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନଗାରିଆଙ୍କ ସମେତ 15 ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ସ୍ବାଗତ କରିଥିଲେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଓ ବରିଷ୍ଠ ଅଧିକାରୀ । ଆସନ୍ତା ୬ ତାରିଖରେ କମିଶନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ। ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ୍ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ । 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ। ଏଥିସହ କମିଶନ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ।
ଷୋଡ଼ଶ ଅର୍ଥ କମିଶନ ଆଗରେ ମଧ୍ୟ 6 ତାରିଖରେ ବିଭିନ୍ନ ଦାବି ରଖିବ ବୋଲି କହିଛି ବିଜେଡି । ରାଜ୍ୟ ସ୍ବାର୍ଥକୁ ନଜରରେ ରଖି କଣ ଦାବି କରାଯିବ ସେ ନେଇ କିଛି ଦିନ ତଳେ ବୈଠକ କରିଥିଲେ ଦଳର ସଭାପତି। ଆଜି ଅର୍ଥ କମିଶନ ଟିମ୍ ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ପରିଦର୍ଶନ କରିବା ସହ ଭୁବନେଶ୍ଵରର ଘରୋଇ ହୋଟେଲରେ ରାତ୍ରିଯାପନ କରିଛନ୍ତି । ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ରାସ୍ତାରେ କୌଣସି ଏକ ପଞ୍ଚାୟତକୁ ଗସ୍ତ କରିବେ । ତା ପରେ ପୁରୀ ପୌରପାଳିକା ଅଫିସ ଓ ବ୍ଲୁ ଫ୍ଲାଗ ବିଚ୍ ବୁଲି ଦେଖିବେ । ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜୀଉଙ୍କ ଦର୍ଶନ କରିବେ। ଅର୍ଥ କମିଶନ ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକର ନିର୍ବାଚିତ ପ୍ରତିନିଧି, ଟ୍ରେଡ୍ ୟୁନିୟନ ସଦସ୍ୟମାନଙ୍କ ସହ ଭେଟି ଆଲୋଚନା କରିବାର କାର୍ଯକ୍ରମ ରହିଛି ।