୧୫ ଶୁଆ ୩ କଇଁଛ ଉଦ୍ଧାର, ୪ ଗିରଫ

ଅର୍ଗସ ବ୍ୟୁରୋ: ବୌଦ୍ଧ ବନବିଭାଗ ୧୫ ଶୁଆ ଓ ୩ଟି କଇଁଛ ଜବତ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବୌଦ୍ଧରେ ଶୁଆ ଚାଲାଣ ହେଉଥିବା ନେଇ ଭୋପାଳସ୍ଥିତ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ୍ ବ୍ୟୁରୋ ପକ୍ଷରୁ ବୌଦ୍ଧ ବନବିଭାଗକୁ ସୂଚନା ଦିଆଯାଇଥିଲା । ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନାଞ୍ଚଳ ଅଧିକାରୀ ଅର୍ଜନା ଗୋମାଙ୍ଗ ଓ ବନପାଳ ଗୋବଦ୍ଧନ ମେହେରଙ୍କ ଶୁଆ ନେତୃତ୍ବରେ ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଶୁଆ ଶାବକ କ୍ରୟ ପାଇଁ ବୌଦ୍ଧ ଥାନା କଣ୍ଡୁଆଣି ଗ୍ରାମର କିଶୋର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା ।
କିଶୋର ୩ଟି ଶୁଆ ଶାବକ ବିକ୍ରି ପାଇଁ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ବୌଦ୍ଧ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଗଠିତ ଦଳ କିଶୋରଙ୍କ ନିକଟରୁ ୩ ଶୁଆ ଶାବକ ଜବତ କରି ତାଙ୍କୁ ଗିରଫ କରିଥିଲେ । ପଚରାଉଚୁରାରୁ ଶୁଆ ଶାବକ ଚାଲାଣରେ ଏକ ରାକେଟ କାମ କରୁଥିବା ଜଣାପଡ଼ିଥିଲା । ସୂଚନା ଆଧାରରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ସାଲେଇସିଙ୍ଗ ଗ୍ରାମର ଯୋଗେଶ୍ଵର ଦେହୁରୀ, ରେଢ଼ାଖୋଲ ସୁଦସାହିର ବଳରାମ ଜେନା, ରେଢ଼ାଖୋଲ ଖନ୍ଦାଢ଼ିପର ଆୟୁଷ ସାହୁଙ୍କ ଘରେ ଚଢ଼ାଉ କରାଯାଇ ସେମାନଙ୍କ ନିକଟରୁ ୧୨ଟି ଶୁଆ ଶାବକ ୩ଟି କଇଁଛ ଜବତ କରାଯାଇଥିଲା।
📱 Get Argus News App
✨ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରି ବୌଦ୍ଧ କୋର୍ଟକୁ ଚାଲାଣ କରିଛି । କାରବାରରେ ଆହୁରି ଅନେକଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଥିବା ବେଳେ ଆଗାମୀ ଦିନରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି । ଜିଲ୍ଲାରେ ଶୁଆ, ମୟୂର, ମାଙ୍କଡ଼, ବାର୍ହା ଆଦି ପାଳନ କରୁଥିବା ଲୋକଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀକମ୍ପ ସତର୍କ କରାଇଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରତିବନ୍ଧିତ ପଶୁ ପକ୍ଷୀଙ୍କୁ ଘରେ ପାଳନ ନକରିବାକୁ ବନ ବିଭାଗ ସତର୍କ ସୂଚନା ଜାରି କରିଛି।