୧୫ ପଶୁ ଡାକ୍ତରଖାନା ବନ୍ଦ, କେଉଁଠି ଛାତ ଭୁଶୁଡ଼ିଲାଣି ତ କେଉଁ ଛପର ଉଡ଼ିଲାଣି !

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ । ବନ୍ଦ ପଡିଛି ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ୧୫ଟି ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର । ନା ଚାଲିଛି ଗୃହ ପାଳିତ ପଶୁଙ୍କ ଚିକିତ୍ସା ନା ଆସୁଛନ୍ତି ଡାକ୍ତର ।
ଗୃହ ପାଳିତ ପଶୁମାନଙ୍କୁ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟ ହୋଇଛି ବାଟବଣା । କେଉଁଠି ଭଙ୍ଗା ଦଦରା ଘର ତ ଆଉ କେଉଁଠି ଉଡି ଯାଇଛି ଛାତ, କିଛି ସ୍ଥାନରେ ଝୁଲୁଛି ତାଲା । ଅନେକ କେନ୍ଦ୍ରର ଛାତରୁ ସିମେଣ୍ଟ ଖସି ରଡ୍ ଦେଖାଯାଉଛି । ତେବେ ମୋଟା ମୋଟି କହିବାକୁ ଗଲେ ପ୍ରାଣୀ ଚିକିତ୍ସାଳୟ ଗୁଡ଼ିକ ଏବେ ଆଉ ଲୋକଙ୍କ କାମରେ ଆସୁନି । ଜରାଜୀର୍ଣ୍ଣ ଅବସ୍ଥାରେ ଚିକିତ୍ସା କେନ୍ଦ୍ର ଗୁଡ଼ିକ ପଡ଼ିଛି । ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଚାଲିଛି ସସ୍ଥା ।
ଅନ୍ୟପଟେ ଅନେକ ସମୟରେ ଡାକ୍ତରଙ୍କୁ ଫୋନ କଲେ ବି ଡାକ୍ତର ଠିକ୍ ସମୟରେ ଆସୁନାହାନ୍ତି । ଫଳରେ ଚିକିତ୍ସା ଅଭାବରୁ ଗୃହ ପାଳିତ ପଶୁ ଗୁଡ଼ିକ ମୃତ୍ୟୁବରଣ କରୁଛନ୍ତି । ଅପରପକ୍ଷେ ଗାଈ ଗୋରୁମାନଙ୍କୁ ଦିଆଯାଉଥିବା ଇଞ୍ଜେକସନ ଗୁଡ଼ିକର ଦାମ୍ ବେଶ୍ ଅଧିକ ମୂଲ୍ୟ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ଗୁରୁତର ସହ ନେଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ ।
ଗତ ସରକାରର ଅଣଦେଖା ଯୋଗୁଁ ବନ୍ଦ ପଡିଥିବା ପଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକ ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଗଲେ, ଗୃହ ପାଳିତ ପଶୁ ଗୁଡ଼ିକ ଚିକିତ୍ସା ସୁବିଧା ପାଇପାରନ୍ତେ ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି ।