Sarsatia GI Tag / ସୁଆଦିଆ ସରସତିଆକୁ କେବେ ମିଳିବ GI ଟ୍ୟାଗ୍ ?

Key Points
ସମ୍ବଲପୁରର ସବୁଠୁ ପ୍ରସିଦ୍ଧ ଓ ସୁଆଦିଆ ମିଠା
ସୁଆଦିଆ ସରସତିଆକୁ କେବେ ମିଳିବ ଜିଆଇ ଟ୍ୟାଗ୍ ?
160 ବର୍ଷ ପୁରୁଣା ମିଠା ଦୋକାନ ଚାହୁଁଛି ଜିଆଇ ଟ୍ୟାଗ୍
ସରସତିଆ । ସମ୍ବଲପୁରର ସବୁଠୁ ପ୍ରସିଦ୍ଧ ଓ ସୁଆଦିଆ ମିଠା । ଗୋଟିଏ ପରିବାର ଯାହା 160 ବର୍ଷ ଧରି ବନେଇ ଆସୁଛି ଏହି ମିଠା । ଖାଲି ଓଡିଶା ନୁହେଁ ସାରା ଦୁନିଆ ଲୋକେ ଏବେ ଏହାକୁ ପସନ୍ଦ କରୁଛନ୍ତି । ସମ୍ବଲପୁର ବ୍ୟତୀତ ଓଡିଶାରେ ଏହା ଆଉ କେଉଁଠି ମିଳେ ନାହିଁ ।
ସରସତିଆର ଯାଦୁଗର ମିଞ୍ଚୁ କାକାଙ୍କ ପରିବାର । ଅର୍ଥାତ୍ 160 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପିଢି ପରେ ପିଢି ତିଆରି କରିଆସୁଛନ୍ତି ସରସତିଆ । ଆଉ ଏହି ସରସତିଆ କୁ ଥରେ ଯିଏ ଖାଇଛି ସେ ତାର ମଜା ନେଇଛି... ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ମିଳୁଛି ସରସତିଆ। ପ୍ରଭୁଲାଲ ଗୁପ୍ତା ଓ ତାଙ୍କ ପତ୍ନୀ ପ୍ରସ୍ତୁତ କରିଥାନ୍ତି ସରସତିଆ। ଏହା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ ରୁ ତିଆରି ହୋଇନଥାଏ। ଗଞ୍ଜେର ନାମକ ଏକ ଗଛର ଅଠାରୁ ତିଆରି ହୋଇଥାଏ ସରସତିଆ ।
ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିଲା । କେବଳ ଏହି ଗୋଟିଏ ସ୍ଥାନରେ ଏହି ପ୍ରସିଦ୍ଧ ସୁଆଦିଆ ମିଠା ମିଳୁଥିବାବେଳେ ଏହାକୁ ଆଜି ଯାଏ ଜିଆ ଟ୍ୟାଗ୍ ମିଳିପାରିନାହିଁ । ସରକାରଙ୍କୁ ଏଥିପାଇଁ GI ଟ୍ୟାଗ୍ ଦେବା ଉଚିତ ବୋଲି କହିଛନ୍ତି ପ୍ରଭୁ ଲାଲ ।
📱 Get Argus News App
✨ପ୍ରଭୁଲାଲଙ୍କ କହିବା ମୁତାବକ ଦେଶ ବିଦେଶରେ ରହିଛି ଏହାର ଚାହିଦା । ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ । ସମ୍ବଲପୁର ଛଡା ଏହି ମିଠା ଅନ୍ୟ କେଉଁଠି ମିଳୁନଥିବା ବେଳେ ଏହି ପ୍ରସିଦ୍ଧ ସରସତିଆ ମିଠାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳୁ ବୋଲି ଦାବି କରିଛନ୍ତି । ଭାଷା ସଂସ୍କୃତି ଓ ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁର ସହରର ଆଉ ଏକ ପରିଚୟ ସାଜିଛି ସରସତିଆ । ଯିଏ ଥରେ ଖାଇଛି ଏହାର ମଜା ନେଇଛି।
ସେପଟେ ସମ୍ବଲପୁର ସାଂସଦ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସେ ଏହି ଦାବି ଉପରେ ବିଚାର କରିବେ ଏବଂ ସ୍ଥାନୀୟ କଲେକ୍ଟରଙ୍କୁ ଏହି ପ୍ରସଙ୍ଗର ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ।