Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Shree Mandir / ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ୧୭ କୋଟି ୧୨ ଲକ୍ଷ ଟଙ୍କା

Rashmita Mishra
Browse all articles by Rashmita Mishra
·7 months ago·2 min read
ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ୧୭ କୋଟି ୧୨ ଲକ୍ଷ ଟଙ୍କା

Key Points

ଆଲୋକୀକରଣ ହେବ ଶ୍ରୀମନ୍ଦିର ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ।
ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ।
ଭାରତୀୟ ଏଏସ୍‌ଆଇ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି ।

ଆଲୋକୀକରଣ ହେବ ଶ୍ରୀମନ୍ଦିର ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ଏଏସ୍‌ଆଇ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି । ସରକାର ବଦଳିବା ପରେ ପରେ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍‌ ଲାଇଟ୍‌ ଠିକା ସଂସ୍ଥା ଖୋଲିଦେଇଥିଲା । ଏହାପରେ ଶ୍ରୀମନ୍ଦିର ହଠାତ୍‌ ଅନ୍ଧାର ହୋଇ ପଡ଼ିଥିଲା ଓ ଲାଇଟ୍ ଲଗାଯିବା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଠିକାସଂସ୍ଥା ଏହାକୁ ଲଗାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ବା ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଥିଲେ। ଘଟଣାର ତଦନ୍ତ ହେବା ସହ ଠିକାସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଅଧିକ ଖୋଳତାଡ଼ରୁ ଏଭଳି ଚିତ୍ର ପଦାକୁ ଆସିବାରୁ କର୍ତ୍ତୃପକ୍ଷ ଆଉ ତନାଘନା କରିନଥିଲେ। ଓଲଟା ଶ୍ରୀମନ୍ଦିର ପ୍ରଶାସନ ଠିକାସଂସ୍ଥା ଜରିଆରେ ଅଳ୍ପ ଲାଇଟ୍‌ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଥିଲା । ଏବେ ଶ୍ରୀମନ୍ଦିର ପରିସର ସହ ଫୋକସ୍‌ ଲାଇଟ୍‌ ସ୍ଥାୟୀ ଭାବରେ ଲଗାଇବାକୁ ନିଷ୍ପତ୍ତି ହୋଇଛି।

ସୂଚନାନୁଯାୟୀ ୨୦୨୧ ମସିହାରେ ଏଏସ୍‌ଆଇ ଶ୍ରୀମନ୍ଦିର ଭିତରେ 'ଫେକ୍‌ଡ ଇଲୁମିନେସନ୍‌ ପ୍ରୋଜେକ୍ଟ' ପ୍ରସ୍ତୁତି କରିଥିଲା । ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ଝଲସୁଥିଲା । ଦାମୀ ଥ୍ରିୀ-ଡି ଲାଇଟ୍‌ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି 'ୱାପ୍‌କୋସ୍‌'କୁ ଏହି କାମର ଠିକା ଦିଆଯାଇଥିଲା ।

ସେପଟେ ଆଉ ୪ ଦିନ ପରେ ଅର୍ଥାତ ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ଦୀର୍ଘ ୬ ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଏନେଇ ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆସନ୍ତା ୧ ତାରିଖରୁ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିବା ସହ ଭକ୍ତଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

ସେପଟେ ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର । ଜଣେ ଭକ୍ତଙ୍କ ପିଛା ଟିକେଟର ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଶୁଳ୍କ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଖୋଲିବ ଗୁଣ୍ଡିଚା ମନ୍ଦିର । କେବଳ ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯିବ ଗୁଣ୍ଡିଚା ମନ୍ଦିର । ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shree Mandir | ₹17 Crore 12 Lakh Approved for Shree Mandir Illumination Project | Argus News