ଭାଙ୍ଗୁଛି ନକ୍ସଲବାଦର ମେରୁଦଣ୍ଡ

Key Points
ଭାଙ୍ଗୁଛି ନକ୍ସଲବାଦର ମେରୁଦଣ୍ଡ
ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ବଡ଼ ଅପରେସନ
ସୁକୁମା-ବିଜାପୁର ସୀମାରେ ଏନକାଉଣ୍ଟରରେ 19 ନକ୍ସଲ ନିପାତ
ଅଗମ୍ୟ ଅଞ୍ଚଳରେ ସୁଡ଼ଙ୍ଗ ଭିତରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ
ବନ୍ଧୁକ, ବୋମା ତିଆରି ସାମଗ୍ରୀ ଜବତ ସହ କାରଖାନାକୁ ମାଟିରେ ମିଶାଇଲେ DRG ଯବାନ
ଅମିତ୍ ଶାହ ରଖିଛନ୍ତି ଡେଡ୍ ଲାଇନ୍, 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦ ହେବ ମୂଳୋତ୍ପାଟନ
ଅର୍ଗସ ବ୍ୟୁରୋ: ଶେଷ ନିଃଶ୍ବାସ ଗଣୁଛି ମାଓବାଦ। ମାଟିରେ ଲୋଟୁଛି ଦୁର୍ଦ୍ଦଶ ନକ୍ସଲଙ୍କ ଶବ । ମାଲକାନଗିରି ସୀମାନ୍ତ ସୁକୁମା-ବିଜାପୁର ସୀମାରେ ଏନକାଉଣ୍ଟରରେ 19 ନକ୍ସଲଙ୍କ ନିପାତ ପରେ ଥରହର ହୋଇଛି ମାଓ ଶିବିର । ଗତ ୨ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକୁମା, ବିଜାପୁର ଓ ତେଲେଙ୍ଗାନାରେ ହୋଇଛି ବଡ଼ ଧରଣର ମାଓ ବିରୋଧୀ ଅପରେସନ । ସୁକୁମା-ବିଜାପୁର ସୀମାବର୍ତ୍ତୀ ତଲପେରୁ ଏ ତୁମରେଲ ନଦୀ ମଝିରେ ମାଓ ସୁଡ଼ଙ୍ଗ ଠାବ କରିଥିଲେ ଯବାନ । ଏଇଠି ନିର୍ମାଣ ହେଉଥିଲା ବନ୍ଧୁକ ଓ ବୋମା । ଲେଥ୍ ମେସିନ ସହ କଟିଂ ମେସିନ, ଡ୍ରିଲ୍ ମେସିନ୍ ସହ ବଣ୍ଡଲ ବଣ୍ଡଲ ବିଦ୍ୟୁତ୍ ତାର, ବନ୍ଧୁକ ତିଆରି ସାମଗ୍ରୀ, ବୋମା ତିଆରି ଲାଗି କାଚ ବୋତଲ ଜବତ କରିବା ସହ କାରଖାନାକୁ ମାଟିରେ ମିଶାଇ ଦେଇଛନ୍ତି DRG ଯବାନ ।
ଦିନେ ନକ୍ସଲଙ୍କ ଗଡ଼ କୁହାଯାଉଥିବା ବିଜାପୁର, ଦାନ୍ତେୱାଡ଼ା ଓ ନାରାୟଣପୁରରେ ନିଜ ଠିକଣା ବଞ୍ଚାଇବାକୁ ଶେଷ ସଂଘର୍ଷ କରୁଛନ୍ତି ନକ୍ସଲ। ମାଓବାଦୀକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବାକୁ ଗ୍ରାଉଣ୍ଡ ଜିରୋରେ ଅପରେସନ ହୋଇଛି ଜୋରଦାର । 2026 ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ମୋଦି ସରକାରଙ୍କ ମାଷ୍ଟର ପ୍ଲାନ୍ ସଫଳ ହେବାକୁ ଯାଉଛି । ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଯାହାକୁ ନେଇ ବଦଳୁଛି ସ୍ଥିତି । ଏବେ ମାଓପ୍ରବଣ ଅଞ୍ଚଳରେ ବି ଲୋକଙ୍କ ମନରୁ ଦୂର ହୋଇଛି ମାଓଭୟ । ମାଓ ବିରୋଧୀ ଅପରେସନକୁ ମାଲକାନଗିରିବାସୀ କରୁଛନ୍ତି ସ୍ବାଗତ ।
ଆଣ୍ଟି ନକ୍ସଲ ଅପରେସନକୁ ମିଳୁଛି ଗୋଟିଏ ପରେ ଗୋଟିଏ ବଡ଼ ସଫଳତା । 2014-2015 ତୁଳନାରେ ଗତ 10 ବର୍ଷରେ ନକ୍ସଲ ହିଂସା 53 ପ୍ରତିଶତ ହ୍ରାସ ପାଇଛି । ଗ୍ରାଉଣ୍ଡ ଜିରୋରେ ମାଓ ବିରୋଧୀ ରଣନୀତିକୁ ସଫଳ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଉତ୍ସାହିତ କରୁଛନ୍ତି କେନ୍ଦ୍ର ସରକାର । ସୁକମାର ପୂର୍ବତନ ଜିଲ୍ଲାପାଳ ହରିଶ ଏସଙ୍କ ସହ ଧମତରୀ ଜିଲ୍ଲାପାଳ ନମ୍ରତା ଗାନ୍ଧିଙ୍କୁ ଆସନ୍ତା ଏପ୍ରିଲ 21ରେ ମିଳିବାକୁ ଯାଉଛି ପିଏମ୍ ପୁରସ୍କାର ।