Cyclone / ସେଇଦିନ କଥା ମନେପଡ଼ିଲେ ଏବେ ବି ରୁମ ଟାଙ୍ଗୁରି ଉଠେ, ଛାତି ଧଡ଼ ଧଡ଼ ହୁଏ...

Key Points
୧୯୯୯ ମହାବାତ୍ୟାକୁ ପୁରିଲା ୨୬ ବର୍ଷ । ମନରୁ ଲିଭିନି ଚିହ୍ନ, ଯାଇନି ଦରଜ । ଛାରଖାର ହୋଇଯାଇଥଲା ଜଗତସିଂହପୁରର ଏରସମା । ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ହାନି ସହ ମାଟିରେ ମିଶିଯାଇଥିଲା ଘରଦ୍ବାର । ସେଦିନର କଥା ମନେପଡିଲେ । ରୋମ ଟାଙ୍କୁରି ଉଠେ । ମନରେ ଭୟ ପଶେ ।
୧୯୯୯ ମସିହା, ଅକ୍ଟୋବର ୨୯... ଓଡ଼ିଶାରେ ମହାପ୍ରଳୟ ରଚିଥିଲା ମହାବାତ୍ୟା। ପ୍ରଳୟଙ୍କାରୀ ବାତ୍ୟାରେ ଶ୍ମଶାନ ପାଲଟିଥିଲା ଜଗତସିଂହପୁର ଜିଲ୍ଲାର ଏରସମା । ମହାବାତ୍ୟାର ବିଭିଶିକାରେ ଛାରଖାର ହୋଇଥିଲା ଏରସମାର ଜପା, ପଦ୍ମପୁର, ଗଡହରିଶପୁର, ଆମ୍ବିକି, ଜିରାଇଲୋ, ଗଡ଼ବିଶୁନପୁର ଆଦି ପଞ୍ଚାୟତ । ପ୍ରାୟ ୩୦ ଫୁଟ୍ ଉଚ୍ଚ ଜୁଆର ମାଡ଼ି ଆସି କରିଦେଇଥିଲା ଛାରଖାର । ମହାବାତ୍ୟାର ସେ କାଳରାତିରେ କିଏ ନିଜ ସ୍ଵାମୀକୁ ହରାଇଥିଲା ତ ଆଉ କିଏ ହରାଇଥିଲା ନିଜ ବାପା, ମାଆ ଓ ପରିବାରର ସଦସ୍ୟଙ୍କୁ। ତ ପୁଣି କାହାର ନିଶ୍ଚିହ୍ନ ହୋଇଯାଇଥିଲା ପୁରା ପରିବାର। ଆଜି ବି ମହାବାତ୍ୟାର ଚିହ୍ନ ଏରସମା ବାସୀଙ୍କ ମନରେ ଦାଗ ହୋଇ ରହିଯାଇଛି।
ସୁଦାମ କରଣ, ଘର ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତ ସରବା ଗାଁରେ। ମହାବାତ୍ୟା ବେଳକୁ ବୟସ ମାତ୍ର ୧୫ । ସମୁଦ୍ରର ୩୦ ଫୁଟ୍ ଉଚ୍ଚ ଜୁଆରରେ ଗାଈର ଲାଞ୍ଜକୁ ଧରି ଭାସି ଯାଇଥିଲେ ୪ କିମି। ୨ ଦିନ ଭୋକ ଉପାସରେ ଜୁଆର ମାଡ଼ ସହି ଘରକୁ ଫେରିଲା ବେଳକୁ ଦେଖିଲେ ବାପା ମାଆଙ୍କ ମୃତ ଶରୀର।
ମହାବାତ୍ୟାରେ ସରବା ଗାଁର ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବାର ଛାରଖାର ହୋଇଥିଲା। ସେହିପରି ଏ ହେଉଛନ୍ତି ବାଘଡି ଗାଁର ଅମ୍ବିକା ଜେନାଙ୍କ ପରିବାର। ମହାବାତ୍ୟା ସମୟରେ ବାଉଁଶ ଗଛ ଓ ନଡ଼ିଆ ଗଛ ଧରି ଜୀବନ ବଞ୍ଚାଇବା ସଂଘର୍ଷ ଭିତରେ ପରିବାରରୁ ୪ ଜଣଙ୍କୁ ହରାଇଲେ। ମନରୁ ଲିଭିନି ଚିହ୍ନ, ଯାଇନି ଦରଜ । ବି ବାତ୍ୟା ନାଁ ଶୁଣିଲେ ଏମାନଙ୍କ ମନରେ ଛନକା ପଶେ ।
ମହାବାତ୍ୟାକୁ ୨୬ ବର୍ଷ ବିତିଥିଲେ ମଧ୍ୟ ଆଜିବି ସବୁ ଗାଁ କୁ ଭଲ ପାଦ ଚଲା ରାସ୍ତା ଟିଏ ହୋଇପାରି ନାହିଁ। ୧୯୯୯ ମହାବାତ୍ୟା ପରେ ଏରସମା ବ୍ଲକରେ ୫୦ ରୁ ଉର୍ଦ୍ଧ୍ବ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ପଡିରହିଛି। ଆଜିବି ଅନେକ କ୍ଷତିଗ୍ରସ୍ତଙ୍କୁ ମିଳିନି ପକ୍କା ଘର। କଚ୍ଚା ଘରେ କାଟୁଛନ୍ତି ଜୀବନ। ଆଜି ବି ନିଜ ଆତ୍ମୀୟଙ୍କୁ ମନେପକାଇ ଗୁମୁରି କାନ୍ଦୁଛି ଏରସମା। ଅକ୍ଟୋବର ୨୯ ତାରିଖ ଆସିଲେ ବିଭିନ୍ନ ସ୍ଥାନରେ ଆରମ୍ଭ ହୁଏ ନାମଯଜ୍ଞ । ଅତୀତର ବିଭିଷିକାର ପୁନରାବୃତ୍ତି ନହେଉ, ପ୍ରାର୍ଥନା କରନ୍ତି ଅଞ୍ଚଳବାସୀ।
📱 Get Argus News App
✨Related Topics
Explore more stories