ସୁନ୍ଦରଗଡ଼ରୁ ଲୁଟ୍ ୨୦୦ ପେଟି ବିସ୍ପୋରକର ଏଯାଏ ମିଳିନି ପତ୍ତା

Key Points
ସୁନ୍ଦରଗଡ଼ରୁ ଲୁଟ୍ ୨୦୦ ପେଟି ବିସ୍ପୋରକର ଏଯାଏ ମିଳିନି ପତ୍ତା
ଲୁଟ୍ ପଛରେ ମାଓବାଦୀଙ୍କ ହାତ ସନ୍ଦେହ ପୋଲିସର ବଢଇଛି ମୁଣ୍ଡବ୍ୟଥା
ନିଜେ ଡିଜି ଓ ଆଇଜି ଘଟଣାସ୍ଥଳରେ ପହଞ୍ଚି ମାମଲାର କରୁଛନ୍ତି ଅନୁଧ୍ୟାନ
ପ୍ରଶ୍ନ, ଟ୍ରକରେ ବିସ୍ଫୋରକ ଯାଉଛି ବୋଲି ଲୁଟେରା କେମିତି ପାଇଲେ ସନ୍ଧାନ ?
ମଙ୍ଗଳବାର ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ଖଣି ନିକଟରୁ ଲୁଟ୍ ୨୦୦ ପେଟି ବିସ୍ଫୋରକ ସମ୍ପର୍କରେ ଏଯାଏ ପୋଲିସକୁ ମିଳିନି କୌଣସି ସନ୍ଧାନ। ନିଜେ ପୋଲିସ ଡିଜି ୱାଇ. ବି ଖୁରାନିଆ, ଆଇଜି ଅପରେସନ୍ ଏବଂ ଡିଆଇଜି ଘଟଣାସ୍ଥଳକୁ ଯାଇ ଲୁଟ୍ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି ଅଞ୍ଚଳଟି ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତି ସରଣ୍ଡା ଜଙ୍ଗଲ ପାଖରେ ଅବସ୍ଥିତ। ଏହା ମାଓଗଡ଼ ଭାବେ ପରିଚିତ । ଏଠାରେ ପୂର୍ବରୁ ମାଓବାଦୀଙ୍କ ଗତିବିଧି ରହିଆସିଛି। ତେଣୁ ଘଟଣାସ୍ଥଳକୁ ବାଇକ୍ ଯୋଗେ ଯାଇଥିଲେ ପୋଲିସ ଡିଜି। ମାଓବାଦୀମାନେ ଏହି ବିସ୍ଫୋରକ ଲୁଟ୍ କରିଥିବା ସନ୍ଦେହ କରାଯାଉଛି। ସରଣ୍ଡା ଜଙ୍ଗଲରେ କିଛି ଦିନ ଧରି ସିଆର୍ପିଏଫ୍ ଓ ପୁଲିସ ପକ୍ଷରୁ ମାଓ ଅପରେସନ୍ ଚାଲିଆସୁଛି। ତେଣୁ ଏହାକୁ ବିରୋଧ କରି ମାଓୱାଦୀ ଏପରି ଘଟାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେଣୁ ଆରପିଏଫ, ଡିବିଏଫ, ଆଇଆରବି ଓ ଝାଡଖଣ୍ଡର ଜାଗୁଆର ପକ୍ଷରୁ ଏବେ ସର୍ଚ୍ଚ ଅପେରେସନକୁ ଜୋରଦାର କରାଯାଇଛି ।
ସୁନ୍ଦରଗଡ଼ ବଡଗାଁ ବିସ୍ଫୋରକ ଗୋଦାମରୁ ୨୦୦ ପେଟି ବିସ୍ଫୋରକ ଏକ ୪୦୭ ଟ୍ରକରେ କେବଲାଙ୍ଗ ଥାନା ଅନ୍ତର୍ଗତ ଝାଡଖଣ୍ଡ ଓଡିଶା ସୀମା ବାଙ୍କୋ ପଥର ଖଣିକୁ ନିଆଯାଉଥିଲା। ବାଙ୍କୋ ଖଣି ନିକଟରେ ହଠାତ୍ ଗାଡିକୁ ଅଜ୍ଞାତ ୩୦ ରୁ ୪୦ ବନ୍ଧୁକଧାରୀ ଆସି ଗାଡିକୁ ଅଟକାଇବା ସହ ଗାଡ଼ି ଜଙ୍ଗଲକୁ ନେବା ଲାଗି ଡ୍ରାଇଭରକୁ ଧମକାଇଥିଲେ । ପରେ ଗାଡ଼ିରୁ ବିସ୍ଫୋରକ ପେଟିଗୁଡ଼ିକୁ ବାହାର କରି କାନ୍ଧରେ ବୋହି ନେଇଥିଲେ। କିଛି ବାଟ ଗଲା ପରେ ଡ୍ରାଇଭରକୁ ଛାଡି ଦେଇଥିଲେ । ଡ୍ରାଇଭର ପଥର ଖଣି ମାଲିକ ନିରଜ ପାଣ୍ଡେକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ଖଣି ମାଲିକ କେ.ବଲାଙ୍ଗ ପୁଲିସ୍ କୁ ସୁଚନା ଦେଇଥିଲେ । ପୁଲିସ୍ ଏକ ଟିମ୍ ଗଠନ କରି ଘଟଣା ସ୍ଥଳରେ ପହଞ୍ଚି ଥିଲେ ବି ଖାଲି ଗାଡି ଛଡା କିଛି ପାଇ ନଥିଲା । କେବଲାଙ୍ଗ ଥାନାରେ ମାଲିକ ଓ ଚାଳକଙ୍କୁ ପଚରାଉଚରା କରାଯାଉଛି।
ଏବେ ପ୍ରଶ୍ନ ଉଠୁଛି ଗାଡ଼ିରେ ବିସ୍ଫୋରକ ଯାଉଥିବା ନେଇ ଲୁଟେରା ସୂଚନା ପାଇଲେ କେମିତି ? ପୂର୍ବରୁ ୨୦୦୯ରେ ମାଓବାଦୀମାନେ ଏହି ଅଞ୍ଚଳରୁ ବିସ୍ଫୋରକ ଗାଡ଼ି ହଇଯାକ୍ କରି ନେଉଥିବା ବେଳେ କୋଇଡା ଥାନା ଅଧିକାରୀ ଅଜିତ ବର୍ଦ୍ଧନ ବିରୋଧ କରିବାରୁ ତାଙ୍କୁ ଲଙ୍ଗଳକଟା ଘଞ୍ଚ ଜଙ୍ଗଲରେ ନିର୍ମମ ହତ୍ୟା କରାଯାଇଥିଲା। ତା ପରେ ବି ବିନା ସୁରକ୍ଷାରେ କିପରି ଏତେ ବିସ୍ଫୋରକ ସ୍ଥାନାନ୍ତର କରାଯାଉଥିଲା ? ଏଥିରେ ଗାଡ଼ି ଡ୍ରାଇଭର କିମ୍ବା ମାଲିକଙ୍କ ନାହିଁ ତ ସଂପୃକ୍ତି ? ଯଦି ମାଓବାଦୀଙ୍କ ହାତରେ ଏତେ ପରିମାଣର ବିସ୍ଫୋରକ ଲାଗିଥାଏ। ସେମାନେ ଏହାର ଦୂରୁପଯୋଗ କରି ବଡ଼ ଅଘଟଣ ଘଟାଇବାର ଆଶଙ୍କାବି ରହିଛି। ପୋଲିସ କେତେଶୀଘ୍ର ଲୁଟ୍ ବିସ୍ଫୋରକ ସାମଗ୍ରୀକୁ ଜବତ କରିବାରେ ସକ୍ଷମ ହେଉଛି ତାକୁ ରହିଛି ଅପେକ୍ଷା ।