ପର କରିଦେଲା ପରିବାର, ଆଦରି ନେଲା ଭୀମସାର

ବୁର୍ଲା: ହୋମ ଯଞ୍ଚ ଚାଲିଛି...ଚାରଆଡେ ବେଲୁନ ଲାଗିଛି । ଏ କୌଣସି ଘରର ଦୃଶ୍ୟ ନୁହେଁ । ଏ ହେଉଛି ବୁର୍ଲା ଭୀମସାର ଏସଏନସିୟୁର ଦୃଶ୍ୟ । ଏସଏନସିୟୁରେ ପାଳନ ଚାଲିଛି ଜଣେ ଶିଶୁ କନ୍ୟାର ଏକୋଇସିଆ ପର୍ବ । ଏହି ଶିଶୁ କନ୍ୟାଟି ଆଉ କେହି ନୁହେଁ ଗତ 12 ଡିସେମ୍ବର 2023 ରେ ଏକ ପରିତ୍ୟକ୍ତ ବୋରୱେଲ ରୁ ରାତି ପ୍ରାୟ 9.40 ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିବା ଶିଶୁକନ୍ୟା । ଆଉ ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାର ରେ ଚାଲିଛି ଚିକିତ୍ସା । ଆଜି ଶିଶୁକନ୍ୟା ଟି ର ଏକୋଇଶିଆ । ଆଉ ଏହି ଏକୋଇଶିଆ ପର୍ବ ପୁରା ଭୀମସାର କରୁଛି ପାଳନ । ଜୀବନ ଯୁଦ୍ଧରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କର୍ତ୍ତୃପକ୍ଷ ବିଜୟିନୀ ରଖିଛି l
ପର କରିଦେଲା ପରିବାର ଓ ପର କରିଦେଲେ ବାପା ଓ ମା । ହେଲେ ଆଦରିନେଲା ଭୀମସାର ଆଉ ନାଁ ପାଇଲା ବିଜୟିନୀ । କେବଳ ନାଁ ପାଇନି ବରଂ ଭୀମସାରର ଡାକ୍ତରଙ୍କ ଠାରୁ ପାଇଛି ସ୍ନେହ, ମମତା ଓ ଆଦର । ଏହାସହ ବିଜୟିନୀ ପାଲଟିଯାଇଛି ପୁରା ଭୀମସାରର ଝିଅ । ଆଉ ଆଜି ପୂଜାର୍ଚ୍ଚନା ପରେ ବାହାରେ ଥିବା ଅନେକ ମା ମାନଙ୍କୁ କେକ ଦିଆଯାଇ ଖୁସି ବଣ୍ଟା ଯାଇଥିଲା । ବିଜୟିନୀର ପ୍ରତ୍ୟେକ ଦିନ ତାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି ।
ଜୀବନ ଯୁଦ୍ଧରେ ବିଜୟ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲରୁ । ଏହାପରେ ବିଜୟିନୀର ଭାଗ୍ୟ ନିର୍ଦ୍ଧାରଣ କରିବ ପ୍ରଶାସନ ।
