Crime / ଅପରାଧୀଙ୍କ ଉପରେ ୨୪ ଘଣ୍ଟିଆ ନଜର: ହେବେ ସାବାଡ ସ୍ପିଡ୍ ରାଇଡର୍

Key Points
ସିସିଟିଭିରେ କଏଦ ହେବ କଳା କାରନାମା
ସ୍ପିଡ୍ ରାଇଡର୍ ବି ହେବେ ସାବାଡ
୧୨ଟି ସ୍ଥାନରେ ଲାଗିଲା ୩୬ଟି କ୍ୟାମେରା
ପାରଳାଖେମୁଣ୍ଡିକୁ ଜଗିବ ସିସିଟିଭି । ୨୪ ଘଣ୍ଟିଆ ପହରରେ ରହିବ ପୁରା ସହର । ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ସ୍ଥାନରେ ୩୬ଟି କ୍ୟାମେରା ଖଞ୍ଜା ଯାଇଛି । ଆଗକୁ ପୁରା ସହରରେ ଲଗାଇବାକୁ ନିଷ୍ପତ୍ତି କରିଛି ପାରଳାଖେମୁଣ୍ଡି ପୌର ପରିଷଦ । ତେଣୁ ଚୋରି, ଛିନତାଇ, ଡକାୟତି ଓ ମହିଳା ଵିରୋଧୀ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ରୋଡ୍ ରୋମିଓ ଏବଂ ସ୍ପିଡ ରାଇଡର ମଧ୍ୟ ସାବାଡ ହେବେ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଛା ବଛା ୧୨ଟି ସମ୍ବେଦନଶୀଳ ସ୍ଥାନରେ ଲାଗିଛି ସିସିଟିଭି କ୍ୟାମେରା । ସହରର ଜନଗହଳିପୂର୍ଣ୍ଣ ଜାଗାରେ କ୍ୟାମେରା ଖଞ୍ଜା ଯାଇଥିବା ବେଳେ, ଆଉ କିଛିଦିନ ମଧ୍ୟରେ ହେବ କାର୍ଯ୍ୟକ୍ଷମ । ସହରରେ ଦିନକୁ ଦିନ ଚୋରି, ଡକାୟତି ଭଳି ଅପରାଧ ମାମଲା ବଢ଼ି ଚାଲିଥିବାରୁ ଏହା ବିଶେଷ ସହାୟକ ହେବ ।
କେବଳ ସେତିକି ନୁହେଁ, ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ରୋଡ୍ ରୋମିଓ ଏବଂ ସ୍ପିଡ ରାଇଡର ମଧ୍ୟ ସାବାଡ ହେବେ । ଦୀର୍ଘ ଦିନ ହେଲା ହୋଇଆସୁଥିବା ଦାବିକୁ ଶେଷରେ ପୂରଣ କରିଛି ପାରଳାଖେମୁଣ୍ଡି ପୌର ପରିଷଦ । ପ୍ରାୟ ୩୩ ଲକ୍ଷ ଟଙ୍କା ଖର୍ଚ୍ଚରେ ପ୍ରଥମେ ସହରର ୧୨ଟି ସ୍ଥାନରେ ୩୬ଟି କ୍ୟାମେରା ଖଞ୍ଜାଯାଇଛି । ଆଗାମୀ ଦିନରେ ଆହୁରି ଅଧିକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ପୌରାଧ୍ୟକ୍ଷା କହିଛନ୍ତି ।
ଗଜପତି ଜିଲ୍ଲାର ସୀମା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ଲାଗିଥିବାରୁ, ଅନେକ ସମୟରେ ଅପରାଧୀ ପାରଳାଖେମୁଣ୍ଡି ସହରରେ ଅପରାଧ ଘଟାଇ ବାହାର ରାଜ୍ୟକୁ ଚମ୍ପଟ ମାରୁଛନ୍ତି। ତେଣୁ ତିନିଟି ପ୍ରମୁଖ ଛକରେ ANPR ଅର୍ଥାତ ଅଟୋମେଟିକ ନମ୍ବର ପ୍ଲେଟ୍ ରିଡିଂ ସିଷ୍ଟମ କ୍ୟାମେରା ଖଞ୍ଜା ଯାଇଛି । ଯାହାର କଂଟ୍ରୋଲ ରୁମ୍ ପାରଳାଖେମୁଣ୍ଡି ଥାନାରେ ହିଁ ଅଛି । ଫଳରେ ଅପରାଧୀଙ୍କୁ ଖୋଜି ବାହାର କରିବା ସହଜ ହେବ ବୋଲି କହିଛନ୍ତି ଗଜପତି ଏସପି ।
ରାଜ୍ୟର ଦ୍ଵିତୀୟ ପୁରାତନ ପୌର ପରିଷଦ ପାରଳାଖେମୁଣ୍ଡି । ଗତ ସରକାରରେ ୨୪ ବର୍ଷ ଧରି ସହରର ବିକାଶ ଧିମେଇ ଯାଇଥିଲା । ନୂଆ ସରକାର ନୂଆ ଢଙ୍ଗରେ ଏହାର ଉନ୍ନତିକରଣ ପ୍ରୟାସ ଆରମ୍ଭ କରିଛନ୍ତି । ସେଥିପାଇଁ ସାଧୁବାଦ ଜଣାଇଛନ୍ତି ସହରର ବୁଦ୍ଧିଜୀବୀ ।
ଶାନ୍ତିପ୍ରିୟ ପାରଳାଖେମୁଣ୍ଡି ସହରରେ ଚୋରି, ଛିନତାୟୀ, ଡକାୟତି ଓ ମହିଳା ବିରୋଧୀ ଅପରାଧ ମାମଲା ବଢ଼ିଛି । ତେଣୁ ସିସିଟିଭି ଜରିଆରେ ୨୪ ଘଣ୍ଟିଆ ପହରା ଏଭଳି ଅପରାଧକୁ ରୋକିବାରେ ସହାୟକ ହେବା ଆଶା କରାଯାଉଛି ।
📱 Get Argus News App
✨Related Topics
Explore more stories