Videos
|
Odisha

ମହାବାତ୍ୟାକୁ ପୂରିଲା ୨୫ ବର୍ଷ, ଏବେ ବି ଭୟରେ ଅଛନ୍ତି ଲୋକେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମହାବାତ୍ୟାକୁ ପୂରିଲା ୨୫ ବର୍ଷ, ଏବେ ବି ଭୟରେ ଅଛନ୍ତି ଲୋକେ

Key Points

  • ସେଦିନ ଥିଲା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର
  • ପୂର୍ବ ଆକାଶକୁ ମାଡ଼ି ଆସିଥିଲା ଅଣଚାଷ ପବନ
  • ୨୫ ବର୍ଷ ତଳେ ଓଡ଼ିଶାକୁ ଛାରଖାର କରିଦେଇଥିଲା ବାତ୍ୟା

ଅର୍ଗସ ବ୍ୟୁରୋ: ସେଦିନ ଥିଲା ଅକ୍ଟୋବର ୨୯ ତାରିଖ ଶୁକ୍ରବାର । ଆଜି ବି ଅକ୍ଟୋବର ୨୯ ତାରିଖ ହେଲେ ମଙ୍ଗଳବାର । ସେଦିନ ଓଡ଼ିଶାରେ ଯାହା ଘଟିଥିଲା ତାହା ମନେ ପଡ଼ିଲେ ଦେହ ଶୀତେଇ ଯାଏ, ଆତ୍ମୀୟସୋଜନଙ୍କୁ ମନେ ପକାଇ କାନ୍ଥ ଧରି ଗୁମୁରି ଗୁମୁରି କାନ୍ଦେ ପରିବାର । ଆଜକୁ ଠିକ୍‌ ୨୫ ବର୍ଷ ତଳେ ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା । ପ୍ରକୃତିର କରାଳ ରୂପରେ ଥରି ଉଠିଥିଲା ଉପକୂଳ ଓଡ଼ିଶା । ବାତ୍ୟାର କରାଳ ରୂପରେ ଛାରଖାର ହୋଇଯାଇଥିଲା କାହିଁ କେତେ ପରିବାର ? କାହିଁ କେତେ ଜୀବନ...

୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ ସୋମବାର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା । ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ । ଲୋକେ ଭାବିଥିଲେ ଟିକିଏ ପବନ ହେବ ଆଉ ବର୍ଷା ବି ହେବ । ହେଲେ କେହି କେବେ ସ୍ଵପ୍ନରେ ଭାବିନଥିଲେ କି ବାତ୍ୟା ହେବ ତାହା ପୁଣି ମହାବାତ୍ୟା । ହେଲେ ୨୯ ତାରିଖ ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍‌ କରିଥିଲା ବାତ୍ୟା । ବାତ୍ୟା ସାଙ୍ଗକୁ ଅସ୍ତବ୍ୟସ୍ତ କରିପକାଇଲା ଅଣଚାଷ ପବନ। ବାତ୍ୟା ଯେତିକି କଷ୍ଟ ଦେଲା ତାହାଠାରୁ ଢେର ଅଧିକ କଷ୍ଟ ଦେଲା ସମୁଦ୍ର । ପାଖାପାଖି ୨ କିମି ପର୍ଯ୍ୟନ୍ତ ମାଡ଼ି ଆସିଲା ସମୁଦ୍ର ଜୁଆର । ୩୦ ଫୁଟ୍‌ ଜୁଆରରେ ଭାସିଗଲା ହଜାର ହଜାର ଘର। ସମୁଦ୍ର,ବର୍ଷା ଓ ପବନ ସତେ ଯେମିତି ଶପଥ କରିଥିଲେ ଓଡ଼ିଶାକୁ ନଷ୍ଟଭ୍ରଷ୍ଟ କରିବାକୁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ପାଖାପାଖି ଘଂଟାପ୍ରତି ୩୫୦ କିଲୋମିଟର ବେଗରେ ବୋହିଥିଲା ପବନ । ଆଉ ୩୬ ଘଂଟା ଧରି ତାଣ୍ଡବ କରିଥିଲା ବାତ୍ୟା। ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ଦେଢ ଲକ୍ଷରୁ ଅଧିକ ବାସହରା ହୋଇ ପଡ଼ିଥିଲେ । ସରକାରୀ ହିସାବରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ବେସରକାରୀ ହିସାବରେ ମୃତ୍ୟୁସଂଖ୍ୟା ଥିଲା ୫୦ ହଜାର । କେବଳ ଏତିକି ନୁହେଁ କେତେ ଯେ ଜୀବଜନ୍ତୁ ମଲେ ତାହାର ହିସାବ ଦେବ କିଏ ? ମହାବାତ୍ୟା ବିଶେଷ କରି ଜଗତସିଂହପୁରର ଅଂଟା ଭାଙ୍ଗି ଦେଇଥିଲା । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା। ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ । କିଏ ସ୍ୱାମୀକୁ, କିଏ ସ୍ତ୍ରୀ ତ ଆଉ କିଏ ବାପା ଓ ମାଆକୁ ହରାଇଥିଲା । କଇଁ କଇଁ କାନ୍ଦୁଥିଲା ବାତ୍ୟା ପ୍ରଭାବିତ, ଆଖି ଆଗରେ ପ୍ରିୟଜନଙ୍କ ପ୍ରାଣ ନେଇଯାଇଥିଲା ମହାବାତ୍ୟା। ମାଆ ଆଗରେ ଚାଲିଗଲା ପୁଅ, ବାପା ଆଗରେ ଚାଲିଗଲା ଝିଅ। ସ୍ଥିତି ଏମିତି ହୋଇଥିଲା ଯେ, ଗଛ ଉପରେ ତ ପାଣି ଭିତରେ ଯୁଆଡ଼େ ଦେଖିବେ କେବଳ ଶବ ଆଉ ଶବ । ଆଉ ଆଜି ମହାବାତ୍ୟାକୁ ପୂରିଛି ୨୫ ବର୍ଷ। ସେଦିନର ସେହି ଅନୁଭୂତିକୁ ଆଜି ବି ମନେ ପକାଉଛନ୍ତି ବାତ୍ୟା ପୀଡ଼ିତ। ୨୩ ବର୍ଷ ପରେ ଆଜି ବି ତାଜା ଅଛି ସବୁ ସ୍ମୃତି। 

କେବଳ ୯୯ ବାତ୍ୟା ନହେଁ ତାହା ପରେ ବି ଅନେକ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇଛି । କିନ୍ତୁ ମହାବାତ୍ୟାରେ ପ୍ରକୃତି ଯେଉଁ କୋପ ଦେଖାଇଥିଲା ତାହା ଆଉ କେବେ ନଦେଖାଉ...ଏତିକି ପ୍ରତିଟି ଓଡ଼ିଆଙ୍କ ଭଗବାନଙ୍କ ପାଖରେ ପ୍ରାର୍ଥନା...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
1999 Super Cyclone | Argus News