ରାଜ୍ୟରେ 25000 କୋଟିରେ ହେବ 3ଟି ଇକୋନୋମିକ୍ କରିଡର

Key Points
- ଓଡ଼ିଶାରେ କାର୍ଯ୍ୟାନ୍ୱୟନ ହେଉଛି ମୋଦି ଗ୍ୟାରେଣ୍ଟି
- ରାଜ୍ୟର ଆର୍ଥିକ ପ୍ରଗତିକୁ ମିଳିଲା ନୂଆ ଗତି
- 6,600 କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ନୀତୀନ ଗଡ଼କରୀ
- ପୁରୀରୁ ଅଯୋଧ୍ୟା ରେଳ ଚଳାଚଳ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଓଡ଼ିଶା ହେବ ପୂର୍ବ ଭାରତ ବିକାଶର ପେଣ୍ଠସ୍ଥଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ଗ୍ୟାରେଣ୍ଟି ପୂରଣ ହେବା ଦିଗରେ ସ୍ଥାପନ ହୋଇଛି ଆଉ ଏକ ମଜଭୁତ ଭିତ୍ତି। ଓଡ଼ିଶା ମାନଚିତ୍ରରେ ଯୋଡ଼ି ହୋଇଛି ୬୬୦୦ କୋଟି ଟଙ୍କାର ପ୍ରକଳ୍ପ । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । କହିଛନ୍ତି ଶ୍ରୀକ୍ଷେତ୍ର କୁ ମିଳିଛି ବଡ଼ ଉପହାର । ଦୀର୍ଘ ଦିନ ଧରି ଲୋକଙ୍କ ପ୍ରମୁଖ ଦାବି ଥିବା ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ସହ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ିବାକୁ ସାତପଡ଼ା ଜହ୍ନିକୁଦା ବ୍ରିଜ୍ ପାଇଁ ଘୋଷଣା କରାଯାଇଛି। ଉତ୍ସବରେ ଯୋଗ ଦେଇଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ କୋଣାର୍କ ରେଳ ଲାଇନ୍ ଓ ପୁରୀ ଅଯୋଧ୍ୟା ରେଳ ସଂଯୋଗ ପାଇଁ ଘୋଷଣା କରିଛନ୍ତି ।
ଲୋକାର୍ପିତ ପ୍ରକଳ୍ପ ମଧ୍ୟରେ ରହିଛି ୧୫୨୨ କୋଟି ମୂଲ୍ୟର ୭୪ କିମି ଏନଏଚ୍-୧୬ର ଚଣ୍ଡିଖୋଲରୁ ଭଦ୍ରକ ଯାଏ ୬ ଲେନିଂ ରାସ୍ତା । ୧୧୦୨ କୋଟିର ୧୧୧କିମି ଏନଏଚ୍-୪୯ର ବାହାରଗୋଡା-ସିଙ୍ଘରା ୪ ଲେନିଂ ରାସ୍ତା । ୨୬ଟି ପ୍ରମୁଖ ଏନଏଚ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିରେ ରହିଛି ଏନ୍ଏଚ୍-୧୬ରେ ଛତ୍ରପୁରରୁ ଗୋପାଳପୁର ବନ୍ଦର ଯାଏ ରାସ୍ତା, ଏନ୍ଏଚ୍-୫୭ରେ ନୟାଗଡ଼ ଟାଉନ ବାଇପାସ୍ ରାସ୍ତା ଇତ୍ୟାଦି। ୨୫୦୦୦ କୋଟିରେ ୩ଟି ଇକୋନମିକ କରିଡରର ମଧ୍ୟ ପରିଯୋଜନା କରାଯାଇଛି । ମାର୍ଚ୍ଚ ୨୪ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ୬୨୫୩ କୋଟିରେ ୧୧୧ କିମି ପରିବ୍ୟାପ୍ତ ୬ ଲେନିଂ ରାସ୍ତା ତିଆରି ହେବ । ଫେଜ୍ ୧ରେ ରାମେଶ୍ବରରୁ ଗୋବିନ୍ଦପୁର ୭୧ କିମି ଓ ପରେ ଗୋବିନ୍ଦପୁରରୁ ଟାଙ୍ଗୀ ୪୦ କିମି ୬ ଲେନ୍ ରାସ୍ତା ତିଆରି କରାଯିବ। ଏହି ପ୍ରକଳ୍ପ ଫଳରେ ଖୋର୍ଦ୍ଧାରୁ ଭୁବନେଶ୍ବର ଦେଇ କଟକ ପହଞ୍ଚିବାକୁ ସମୟ ପ୍ରାୟ ଦେଢ଼ ଘଣ୍ଟା ବଞ୍ଚିବ।