ଓଡ଼ିଶାର ୨୭ତମ ରାଜ୍ୟପାଳ: ଡ.ହରିବାବୁ କମ୍ବମପତି

Key Points
ନୂତନ ବର୍ଷରେ, ନୁଆ ରାଜ୍ୟପାଳ
ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି ଡ.ହରିବାବୁ କମ୍ବମପତି
୭୧ବର୍ଷୀୟ ଡ.କମ୍ଭମପତି ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ
ଅର୍ଗସ ବ୍ୟୁରୋ: ନୂତନ ବର୍ଷରେ, ନୁଆ ରାଜ୍ୟପାଳ। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି ଡ.ହରିବାବୁ କମ୍ବମପତି। ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ହରିବାବୁ । ତାଙ୍କୁ ଶପଥ ପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି । ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ, ବରିଷ୍ଠ ଅଧିକାରୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ନୂଆ ରାଜ୍ୟପାଳ । ସିଂହଦ୍ଵାରରେ ପହଞ୍ଚିବା ପରେ ମହାମହିମଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର୍ ମଧ୍ୟ ଦିଆଯାଇଥିଲା । ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ.କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ୭୧ବର୍ଷିୟ ଡ.କମ୍ଭମପତି ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ। ସେ ଆନ୍ଧ୍ରପ୍ରଦେଶର ବିଭାଜିତ ରାଜ୍ୟ କିମ୍ବା ସ୍ବତନ୍ତ୍ର ଆନ୍ଧ୍ରର ପ୍ରଥମ ତେଲୁଗୁ ବ୍ୟକ୍ତି ଯିଏ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଛାତ୍ର ନେତା, କଲେଜର ପ୍ରୋଫେସର ପରେ ବିଧାୟକ ଆଉ ସାସଂଦ ଏମିତି କିଛି ଥିଲା ହରିବାବୁଙ୍କ ରାଜନୈତିକ କ୍ୟାରିଅର। ଛାତ୍ର ରାଜନୀତିରୁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା।ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ ପରିଚିତ। ଆନ୍ଧ୍ର ବିଶ୍ବବିଦ୍ୟାଳୟର ଆସୋସିଏଟ ଫ୍ରୋଫେସର ଭାବେ ଦୀଘ ୨୪ବର୍ଷର ଅନୁଭୂତି ତାଙ୍କ ପାଖରେ ରହିଛି। ଏହା ବ୍ୟତିତ ଆନ୍ଧ୍ରରେ ୧୯୯୯ରେ ବିଧାୟକ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ବିଜୟ ହାସଲ କରିବା ସହ ୨୦୧୪ରୁ ୨୦୧୮ ଯାଏଁ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ୨୦୧୮ରୁ ୨୦୨୨ ପଯ୍ୟନ୍ତ ଦଳର ଜାତୀୟ କାଯ୍ୟକାରିଣୀରେ କାମ କରିଛନ୍ତି। ୧୬ତମ ଲୋକସଭାରେ ବିଶାଖାପଟ୍ଟନମ ଆସନରୁ ସାଂସଦ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟିର ବିଭିନ୍ନ ଦଳୀୟ ପଦ-ପଦବୀକୁ ସେ ସୂଚାରୁ ରୂପେ ତୁଲାଇ ଥିଲେ।୨୦୨୧ରେ ମିଜୋରାମର ରାଜ୍ୟପାଳ ଭାବେ ତାଙ୍କ ନିଯୁକ୍ତି ହୋଇଥିଲା ଆଉ ଏବେ ନୁଆ ବର୍ଷରେ ଓଡ଼ିଶାର ନୂଆ ରାଜ୍ୟପାଳ ହୋଇଛନ୍ତି ଡ.ହରିବାବୁ କମ୍ବମପତି।
ପ୍ରାରମ୍ଭିକ ଜୀବନ
ଆନ୍ଧପ୍ରଦେଶର ପ୍ରକାଶମ ଜିଲ୍ଲାର ଥିମ୍ମାସମୁଦ୍ରମରେ 15ଜୁନ,୧୯୫୩ମସିହାରେ ଜନ୍ମଗ୍ରହଣ କରିଥିଲେ ହରିବାବୁ। ପରିବାରରେ ତାଙ୍କ ଧର୍ମପତ୍ନୀ ଶ୍ରୀମତି ଜୟଶ୍ରୀ ଓ ଦୁଇ କନ୍ୟା ରତ୍ନ ଚେତନା, ଚନ୍ଦନା ଅଛନ୍ତି।
📱 Get Argus News App
✨ରାଜନୈତିକ କ୍ୟାରିଅର
ଆନ୍ଧ୍ର ୟୁନିର୍ଭସିଟିରୁ ବି.ଟକେ, ଏମ.ଟେକ ଓ ପି.ଏଚ.ଡି ଡିଗ୍ରି ଲାଭ କରିବା ପରେ ସେ ସେହି ୟୁନିର୍ଭସିଟିରେ ଫ୍ୟାକଲଟି ମେମ୍ବର ଭାବେ ଯୋଗ ଦିଅନ୍ତି ଯାହା ପରେ ୧୯୯୩ରେ ଭଲ୍ୟୁନଟାରି ରିଟାୟରମେନ୍ଟ ନେବା ପରେ ୧୯୯୩ରୁ ରାଜନୀତିରେ ସକ୍ରିୟ ହେଲେ ଡ.ହରିବାବୁ କମ୍ବମପତି।
ରାଜନୀତିରେ ପ୍ରବେଶର କଥା କହିବା ତେବେ ଛାତ୍ର ନେତା ଭାବେ ୧୯୭୨ରେ ନିଜର ରାଜନୈତିକ ଜୀବନର ଶୁଭାରମ୍ଭ କରିଥିଲେ । ନୂତନ ଆନ୍ଧ୍ର ପ୍ରଦେଶ ଗଠନ କରିବା ଉଦ୍ଦେଶ୍ୟରେ ସେ ଜୟ ଆନ୍ଧ୍ର ଆନ୍ଦୋଳନରେ ଅଂଶ ଗ୍ରହଣ କରି ନିଜର ସମର୍ଥନ ଜଣାଇଥିଲେ । ଛାତ୍ର ନେତା ଭାବେ ଭେଙ୍କିଆ ନାଇଡୁଙ୍କ ଭଳି ନେତାମାନଙ୍କ ସହିତ ମଧ୍ୟ କାମ କରିଥିଲେ । ୧୯୭୨ ରୁ ୧୯୭୩ ମଧ୍ୟରେ ଆନ୍ଧ୍ର ୟୁନଭରସିଟିରେ ଇଞ୍ଜିନିୟରିଂ କଲେଜର ଛାତ୍ର ୟୁନିୟନର ସାଧାରଣ ସମ୍ପାଦକ ଥିଲେ ।
ଜନନାୟକ ଜୟ ପ୍ରକାଶ ନାରାୟଣଙ୍କ ଡାକରାରେ ଲୋକ ସଂଘର୍ଷ ସମିତି ଆନ୍ଦୋଳନରେ ଅଂଶ ଗ୍ରହଣ କରି ୧୯୭୪ ରୁ ୧୯୭୫ ମଧ୍ୟରେ ହୋଇଥିବା ଜରୁରୀ ପରିସ୍ଥିତି ବିରୁଧରେ ସ୍ବର ଉତ୍ତୋଳନ କରିଥିଲେ। ସେଥି ପାଇଁ ତାଙ୍କୁ MISA Act (Maintenance of Internal Security Act) (MISA) ବଳରେ ଗିରଫ ହୋଇ ମାସେ ଯାଏଁ ବିଶାଖାପାଟଣା କେନ୍ଦ୍ରୀୟ କାରାଗାର ଏବଂ ମୁସିରାବାଦ କାରାଗାରରେ ବିତାଇବାକୁ ପଡ଼ିଥିଲା । ୧୯୭୭ ରେ ଜନତା ପାର୍ଟିର ଆନ୍ଧ୍ର ରାଜ୍ୟ କାର୍ଯନିର୍ବାହୀ ସମିତିର ଜଣେ ସଭ୍ୟ ଭାବେ ପରିଗଣିତ ହେଲେ ଏବଂ ୧୯୭୮ ରେ ଆନ୍ଧ୍ର ପ୍ରଦେଶର ରାଜ୍ୟ ଜନତା ଯୁବ ମୋର୍ଚ୍ଚାର ଉପ ସଭାପତି ଭାବେ କାର୍ଯ୍ୟ ନିର୍ବାହ କଲେ । ୧୯୯୦ ପ୍ରାରମ୍ଭରେ ଭାରତୀୟ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ କାର୍ଯ୍ୟ ନିର୍ବାହୀ ସମିତିର ସଦସ୍ୟ ହେବା ସହିତ ସେହି ପଦରେ ୧୯୯୧ ରୁ ୧୯୯୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେହି ସମିତିର ସାଧାରଣ ସମ୍ପାଦକ ଭାବେ ୧୯୯୩ ରୁ ୨୦୦୩ ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ । ୧୯୯୯ ରେ ହରି ବାବୁ ବିଶାଖାପାଟଣା- ୧ ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାର ସଦସ୍ୟ ଭାବେ ନିର୍ବାଚିତ ହେଲେ ଏବଂ ୨୦୦୩ରେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ଲେଜିସଲେଚର୍ ପାର୍ଟିର ବିଧାନ ସଭାରେ ନେତା ଭାବେ ମନୋନୀତ ହେଲେ । ମାର୍ଚ ୨୦୧୪ରେ ରାଜ୍ୟ ଶାଖାର ସଭାପତି ହେବା ସହ ସାଧାରଣ ନିର୍ବାଚନରେ ବି ବିଜୟ ଲାଭ କରନ୍ତି। ତେବେ ୧୯ଜୁଲାଇ, ୨୦୨୧କୁ ମିଜୋରାମ ରାଜ୍ୟପାଳ ପରେ ୨୬ଡିସେମ୍ବର ୨୦୨୪କୁ ଓଡ଼ିଶା ରାଜ୍ୟପାଳ ଭାବେ ପଦଭାର ପ୍ରାପ୍ତ କଲେ।
ମିଜୋରାମରେ ରାଜ୍ୟପାଳ ଭାବେ ସୂଚାରୁ ରୂପେ ଦାୟିତ୍ବ ତୁଲାଇବା ପରେ ଡ.କମ୍ଭମପତିଙ୍କୁ ମିଜୋରାମ ରାଜଭବନ ତରଫରୁ ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଡ.କମ୍ଭମପତି ଓଡ଼ିଶାକୁ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପରେ କହିଥିଲେ, ମିଜୋରାମରୁ ଆସି ପୁରୀରେ ପହଚିଛି। ଆଗକୁ ଓଡ଼ିଶା ଓ ରାଜ୍ୟବାସୀଙ୍କ ବିକାସ ପାଇଁ କାମ କରିବି କହି ମହାପ୍ରଭୁଙ୍କ ନିକଟରେ ରାଷ୍ଟ୍ରର ମଙ୍ଗଳକାମନା ପାଇଁ ପ୍ରାର୍ଥନା କରିଥିଲେ। ଏହା ସହ ଏକ୍ସରେ ଲେଖନ୍ତି, ଜୟ ଜଗନ୍ନାଥ, ଯେଉଁଠାରେ ଇଶ୍ବରୀୟ ଶକ୍ତି ଏବଂ ଉକ୍ତି ଏକତ୍ର ଭାବେ ଆତ୍ମାକୁ ପ୍ରେରିତ କରିଥାନ୍ତି ସେହି ପବିତ୍ର ଭୂମି ଓଡ଼ିଶାରେ ପାଦ ରଖିଥିବାରୁ କୃତଞ୍ଜ। କଡ଼ା ପରିଶ୍ରମ ବଳରେ ଉଲ୍ଲେଖନୀୟ ଉପଲବ୍ଧି ରହିଛି ଡ.ହରିବାବୁଙ୍କ ନାମରେ ସେ ପ୍ରଖ୍ୟାତ ବିଦ୍ବାନ ସହ ଏକାଧାରାରେ ଜଣେ ସାଂସଦ ଭାବେ ସୁଚାର ରୂପେ କାଯ୍ୟନିର୍ବହନ କରିଛନ୍ତି।