ଗୋଟିଏ ସପ୍ତାହରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି 3 କୁବେର ବାବୁ

Key Points
- ଦୁର୍ନୀତିର କଳାପାହାଡ଼ ସାଜିଥିଲେ କୁବେର ବାବୁ
- ସାମ୍ନାକୁ ଆସିଲା ଜଳସମ୍ପଦ ବିଭାଗର ଆଉ ଜଣେ ବାବୁଙ୍କ ଆଖିଖୋସା ସଂପତ୍ତି
- ଗୋଟିଏ ସପ୍ତାହରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି 3 କୁବେର ବାବୁ
- କାହାର 36 , କାହାର 52 ତ ଆଉ କାହାର 85 ପ୍ଲଟ୍
- ଅଭିଯୋଗ, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି
- ପିଆଦା ସାଜି ତୃତୀୟ ମହଲାର ସର୍ଦ୍ଦାରଙ୍କ ହାତକୁ ବଢ଼ାଉଥିଲେ ଟଙ୍କା
- କୁବେର ବାବୁଙ୍କ କଳା ସାମ୍ରାଜ୍ୟ ଦେଖି ଭିଜିଲାନ୍ସ ତାଜୁବ
- କୁବେର ବାବୁ ମୋହରା, ମାଫିଆ ସରଗନା ବସୁଥିଲେ କି ତୃତୀୟ ମହଲାରେ
ଅର୍ଗସ ବ୍ୟୁରୋ: ସୁନୀଲ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ରାମଚନ୍ଦ୍ର ମିଶ୍ର, ଅବକାରୀ ଜଏଣ୍ଟ କମିଶନର। ପ୍ରଭାସ ପ୍ରଧାନ, ବାଲେଶ୍ବର ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ଏମାନେ ହେଉଛନ୍ତି ବିଜେଡି ଶାସନରେ ଦୁର୍ନୀତିର କଳାପାହାଡ଼ ସାଜିଥିବା ଜଣେ ଜଣେ କୁବେର ବାବୁ । ତୃତୀୟ ଜଣକ ତ ସମସ୍ତଙ୍କୁ ବଳି ଯାଇଛନ୍ତି ।
ବାଲେଶ୍ବର ଜଳସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାସ ପ୍ରଧାନଙ୍କ 7ଟି ଠିକଣାରେ ଆଜି ଭିଜିଲାନ୍ସ ଚଢ଼ାଉରେ ଯେଉଁ ଚିତ୍ର ଓ ତଥ୍ୟ ସାମ୍ନାକୁ ଆସିଛି ତାକୁ ଦେଖି ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି । କୁବେର ବାବୁଙ୍କର 85ଟି ପ୍ଲଟ୍, ନଗଦ ୧୧ ଲକ୍ଷ ୭୦ ହଜାର ଟଙ୍କା, ୨୧୭ ଗ୍ରାମ ସୁନା, ଜଳେଶ୍ବରରେ ପାଞ୍ଚ ମହଲା ଘର, ବହୁ ବ୍ୟାଙ୍କରେ ଡିପୋଜିଟ୍, ଇନସୁରାନ୍ସ, ଏଲଆଇସି ଥିବା ଏବେ ସୁଦ୍ଧା ଜାଣିବାକୁ ପାଇଛି ଭିଜିଲାନ୍ସ । ପ୍ରଭାସଙ୍କର ବାଲେଶ୍ବର ଜିଲ୍ଲା ଜଳେଶ୍ବରସ୍ଥିତ ପୈତୃକ ଘର ସମେତ 11 ନଂ ୱାର୍ଡରେ ପୈତୃକ ଘର, 10ନଂ ୱାର୍ଡରେ ସମ୍ପର୍କୀୟଙ୍କ ଘର, ଲକ୍ଷ୍ମଣନାଥ ବାଇପାସ୍ ଫାର୍ମ ହାଉସ୍, ବାଲେଶ୍ବର ଅଫିସ୍, ବାଲେଶ୍ବର ବାସଭବନ, ବାଲିଆପାଳରେ ଶ୍ବଶୁର ଘର ଏମିତି 7ଟି ସ୍ଥାନରେ ରେଡ୍ କରିଥିଲେ 45 ଜଣିଆ ଭିଜିଲାନ୍ସ ଟିମ୍ ।
କିଛି ଦିନ ତଳେ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଥିଲେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପର ଚିଫ୍ କନଷ୍ଟ୍ରକ୍ସନ ଇଂଜିନିୟର ସୁନୀଲ ରାଉତ । ରାଜ୍ୟ ତଥା ରାଜ୍ୟ ବାହାରେ ଆଲିଶାନ୍ ଫ୍ଲାଟ ସହ ଠାବ ହୋଇଥିଲା ଏହି କୁବେର ବାବୁଙ୍କର 36ଟି ପ୍ଲଟ୍। ଏତିକି ନୁହେଁ ଏହାର ଦିନ କେଇଟା ଭିତରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଏକ୍ସାଇଜ୍ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର । ସରକାରୀ ବାବୁଙ୍କ ଭୁବନେଶ୍ବରରୁ ନେଇ ବଲାଙ୍ଗିର, ସୋନପୁରରୁ ନେଇ ସମ୍ବଲପୁର ସବୁଠି ଅଚଳାଚଳ ସମ୍ପତ୍ତି । ଦାମୀ ଆପାର୍ଟମେଣ୍ଟ, ବଡ଼ ଅଟ୍ଟାଳିକା, ରାଇସ୍ ମିଲ୍, ଫାର୍ମ ହାଉସ୍ ସାଙ୍ଗକୁ 52ଟି ପ୍ଲଟ୍, ଏମିତି ଆହୁରି କେତେ କଣ । ଅଭିଯୋଗ ହେଉଛି ଏମାନଙ୍କ ଭଳି ରାଜ୍ୟରେ ଅଛନ୍ତି ଆହୁରି ମାଳ ମାଳ କୁବେର ବାବୁ । ଯେଉଁମାନେ ଦୁର୍ନୀତିର କଳାପାହାଡ଼ ସାଜି ଜନତା ଓ ରାଜକୋଷ ଲୁଟ୍ କରୁଥିଲେ, 24 ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ପାଇଁ ଦଳୀୟ ପାଣ୍ଠି ଗୋଟାଉଥିଲେ ଆଉ ପିଆଦା ସାଜି ତୃତୀୟ ମହଲାର ସର୍ଦ୍ଦାରଙ୍କ ପାଖକୁ ଟଙ୍କା ପଠାଉଥିଲେ ।
📱 Get Argus News App
✨ଦୁର୍ନୀତିର କଳାପାହାଡ଼ ସାଜିଥିବା ମୋହରା ମାନେ ଏବେ ଭିଜିଲାନ୍ସ ପଞ୍ଝାରେ ପଡୁଥିବାବେଳେ ତୃତୀୟ ମହଲାରେ ବସି ଏମାନଙ୍କୁ ପରିଚାଳନା କରୁଥିବା ମାଫିଆ ସରଗନାଙ୍କ ପାଖରେ ପହଞ୍ଚିବ କି ଆଇନର ଫନ୍ଦା।