District Visit / ଅଗଷ୍ଟରୁ ଅକ୍ଟୋବର ଯାଏଁ ଜିଲ୍ଲା ଗସ୍ତ କରିବେ ୩୦ ସଚିବ ଓ ବରିଷ୍ଠ ଅଧିକାରୀ

Key Points
ଅଗଷ୍ଟରୁ ଅକ୍ଟୋବର ଯାଏଁ ଜିଲ୍ଲା ଗସ୍ତ କରିବେ ୩୦ ସଚିବ ଓ ବରିଷ୍ଠ ଅଧିକାରୀ ।
ଯୋଜନାର ରୂପାୟନ ଯାଂଚ ନେଇ ଜିଲ୍ଲା ଗସ୍ତ କରିବେ ଅଧିକାରୀ ।
ଆବଣ୍ଟିତ ଜିଲ୍ଲା ଗସ୍ତ କରି ସରକାରୀ ଯୋଜନାର ସମୀକ୍ଷା କରିବେ ।
ଅଗଷ୍ଟରୁ ଅକ୍ଟୋବର ଯାଏଁ ଜିଲ୍ଲା ଗସ୍ତ କରିବେ ୩୦ ସଚିବ ଓ ବରିଷ୍ଠ ଅଧିକାରୀ । ଯୋଜନାର ରୂପାୟନ ଠାରୁ ହସ୍ପିଟାଲ, ସ୍କୁଲ, ପାନୀୟଜଳ ଓ ଜନ ଅଭିଯୋଗ ପର୍ଯ୍ୟନ୍ତ ହେବ ତଦାରଖ । ତୃଣମୂଳସ୍ତରରେ ଲୋକେ କେତେ ସୁଫଳ ପାଉଛନ୍ତି, ତାହା ଜାଣିବାକୁ ଏବେ ଜିଲ୍ଲା ମୁହାଁ ହେବେ ରାଜ୍ୟ ସରକାରଙ୍କ ସଚିବ ଓ ବରିଷ୍ଠ ଅଧିକାରୀ ।
ଅଗଷ୍ଟରୁ ଅକ୍ଟୋବର ୨୦୨୬ ମଧ୍ୟରେ ଆବଣ୍ଟିତ ଜିଲ୍ଲା ଗସ୍ତ କରି ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କୁ ମିଳୁଥିବା ସେବାର ବାସ୍ତବ ସ୍ଥିତି ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ଜିଲ୍ଲା ଗସ୍ତରେ ଯାଇ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରିବେ ।
କେବଳ ବିଭାଗୀୟ ରିପୋର୍ଟ ଉପରେ ନିର୍ଭର ନକରି ଯୋଜନାଗୁଡ଼ିକର ସୁଫଳ ବାସ୍ତବରେ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ନେଇ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରାଯିବ । ଅଧିକାରୀମାନେ ଜିଲ୍ଲାର ହସ୍ପିଟାଲ, ପିଏଚ୍ସି ଓ ସିଏଚ୍ସି ଆଦିକୁ ଅଚାନକ ପରିଦର୍ଶନ କରିବେ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେବାର ବାସ୍ତବ ଚିତ୍ର ଜାଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଓ ମହିଳାଙ୍କ ପାଇଁ ମିଳୁଥିବା ସେବା, ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରାଯିବ । ସେହିପରି ବିଦ୍ୟାଳୟରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ସୁବିଧା ଓ ଛାତ୍ରାବାସର ପରିଚାଳନା ସମ୍ପର୍କରେ ମଧ୍ୟ ଅଧିକାରୀମାନେ ସ୍ଥିତି ପରଖିବେ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବିଭିନ୍ନ ମୌଳିକ ସୁବିଧା କେତେ ପରିମାଣରେ ଉପଲବ୍ଧ ହୋଇଛି ଏବଂ ସରକାରୀ ସେବାର ସ୍ଥିତି କ’ଣ, ତାହା ମଧ୍ୟ ଯାଞ୍ଚ ହେବ । ପାନୀୟଜଳ ଯୋଗାଣ ପ୍ରକଳ୍ପରେ ବିଳମ୍ବ ହେଉଥିଲେ ତାହାର କାରଣ ଚିହ୍ନଟ କରି ସମ୍ପୃକ୍ତ ବିଭାଗକୁ ଅବଗତ କରାଇବାକୁ ମଧ୍ୟ କୁହାଯାଇଛି ।
ବ୍ୟାଙ୍କିଂ ସେବାର ଉପଲବ୍ଧତା, ବ୍ୟାଙ୍କ ଶାଖା ଓ ବ୍ୟାଙ୍କିଂ ସମ୍ବନ୍ଧୀୟ ଅଭିଯୋଗ, ସରକାରୀ ସେବା ପ୍ରଦାନରେ ଥିବା ସମସ୍ୟା ଏବଂ ଜନଶୁଣାଣିରେ ଆସିଥିବା ଅଭିଯୋଗର ସମାଧାନ ସ୍ଥିତି ମଧ୍ୟ ସମୀକ୍ଷା ହେବ । ଜିଲ୍ଲା ଗସ୍ତ ସମୟରେ ସରକାରଙ୍କ ୨୯ଟି ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଓ ଫଳାଫଳର ସମୀକ୍ଷା କରାଯିବ ।
ଆବଣ୍ଟିତ ଜିଲ୍ଲାକୁ ଅଧିକାରୀମାନେ ପ୍ରତି ତିନି ମାସରେ ଅତି କମରେ ଥରେ ଗସ୍ତ କରିବେ । ପ୍ରତ୍ୟେକ ଗସ୍ତର ଅବଧି ଅତି କମରେ ଦୁଇ ଦିନ ରହିବ । ଗସ୍ତ ପରେ ଅଧିକାରୀମାନେ ନିଜ ଅନୁଧ୍ୟାନ ଓ ସୁପାରିସ ସମ୍ପର୍କିତ ରିପୋର୍ଟ ନିର୍ଦ୍ଦିଷ୍ଟ ପୋର୍ଟାଲରେ ଦାଖଲ କରିବେ ।
📱 Get Argus News App
✨Related Topics
Explore more stories