୫୦ ଜଣ ବିଧାୟକଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ବିଧାୟକମାନଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି । ଶେଷ ୫ ବର୍ଷର କ୍ଷୋଭକୁ ପରିପ୍ରକାଶ କଲେ ଦଳର ବରିଷ୍ଠ ନେତା । ଜନ ପ୍ରତିନିଧିଙ୍କୁ ଗୌଣ କରି ସର୍ବେସର୍ବା ବନିଥିଲେ ତାମିଲ ବାବୁ । ନବୀନଙ୍କ ଏହି ନିଷ୍ପତ୍ତି ନେବାର ବିଳମ୍ବତାକୁ ସରକାର ପତନର ମୁଖ୍ୟ କାରଣ କହିଲେ ଦଳୀୟ ନେତା । ବିଜେଡିର ଏହି ଛାୟା କ୍ୟାବିନେଟକୁ କଟାକ୍ଷ କରିଛି ଶାସକ ଦଳ । ସରକାରର ହ୍ୟାଙ୍ଗ ଓଭର ରୁ ଦୁରେଇ ରହିବାକୁ ପରାମର୍ଶ । ମନ୍ତ୍ରୀ ମଣ୍ଡଳର ବିଭାଗ ବଣ୍ଟନ ଭଳି ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ । ଦଳ ପକ୍ଷରୁ ପ୍ରକାଶ ପାଇଥିବା ଏଇ ପ୍ରେସ ରିଲିଜ ଅନୁଯାୟୀ ବିଧାନସଭା ଅଧିବେଶନ ପାଇଁ ୫୦ ଜଣ ବିଧାୟକଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି । କୁହା ଯାଇଛି ଯେ ମିଳିଥିବା ବିଭାଗରେ ପୂର୍ବରୁ କଣ କାମ କରାଯାଇଥିଲା ଏବଂ ବର୍ତ୍ତମାନ କଣ କାମ ଚାଲିଛି ସେ ବିଷୟରେ ବିଧାନସଭାରେ ନିଜ ପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହନ୍ତୁ । ଯାହାକୁ ଦଳର ବିଧାୟକମାନେ ସ୍ବାଗତ କରିଛନ୍ତି । ବରିଷ୍ଠ ନେତା କହିଛନ୍ତି ଏହି କାର୍ଯ୍ୟ ବହୁ ପୂର୍ବରୁ କରିବାର ଥିଲା। ଯଦି ଏମିତି ପୂର୍ବରୁ କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ । ବିଳମ୍ବ ରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ଟେ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ । କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନ ରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ନାହିଁ । ମୁଁ ଭାବୁଛି ଭଲ ଦିନ ଓଡିଶା ପାଇଁ ଆସୁଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର ।
ସେପଟେ ବିଜେଡିର ଏହି ଛାୟା କ୍ୟାବିନେଟ କୁ କଟାକ୍ଷ କରିଛି ଶାସକ ଦଳ । ଅସ୍ତିତ୍ବ ଅଛି ବୋଲି ଜଣାଇବାକୁ ଏହି ପ୍ରୟାସ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ସେହିପରି ବିଧାୟକ ବାବୁ ସିଂ କହିଛନ୍ତି ଲାଗୁଛି ବର୍ତ୍ତମାନ ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁ ଙ୍କ ନିର୍ଦ୍ଦେଶ ରେ ଏପରି ଛାୟା ସରକାରର ଷ୍ଟ୍ରାଟେଜି କରାଯାଇଛି । ବିଜେଡିକୁ ଲୋକେ ସରକାରରୁ ବିଦା କରି ଦେଇଛନ୍ତି ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକା କୁ ସଠିକ ଭାବେ ନିର୍ବାହ କରନ୍ତୁ । ସରକାରର ହ୍ୟାଙ୍ଗ ଓଭର ରୁ ଦୁରେଇ ରୁହନ୍ତୁ । ବିଗତ ୫ ବର୍ଷ ଧରି ତାମିଲ ବାବୁ ଭୈରବ ପାଣ୍ଡିଆନ ବିଜେଡିରେ ରାଜ କରି ଆସୁଥିଲେ । ପାଣ୍ଡିଆନ ଙ୍କ ର ଏତେ ପ୍ରଭାବ ଥିଲା ଯେ ନେତା ମନ୍ତ୍ରୀ ଙ୍କ କ୍ଷମତା ନ ଥିଲା କହିଲେ ଚଳେ । କେଉଁଠି ପାଣ୍ଡିଆନଙ୍କ ପାଇଁ ନେତା ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ ତ ଆଉ କେଉଁଠି ଟ୍ରାଫିକ ଜଗୁଆଳି ସାଜୁଥିଲେ । ଯାହା ନିର୍ବାଚନରେ ବଡ଼ ପ୍ରସଙ୍ଗ ହେବା ସହ ବିଜେଡିକୁ କ୍ଷମତାରୁ ତଡ଼ି ପାର କରିଦେଇଥିଲେ ଲୋକେ । ନିର୍ବାଚନ ପରାଜୟ ପରେ ନବୀନ କିନ୍ତୁ ସେହି ତାମିଲ ବାବୁଙ୍କ କ୍ଷେତ୍ରରେ ଆକ୍ସନ ନ ନେବା ଆଉ ତାଙ୍କ କଥାରେ ପୁଣି ଦଳକୁ ଚଳାଇବା ବରିଷ୍ଠ ନେତାଙ୍କର ସହଜେ ହଜମ ହେଉନଥିଲା । ଆଉ ଏପରି ସ୍ଥଳେ ନେତାଙ୍କୁ ଦାୟିତ୍ବ ବଣ୍ଟନ ଥିଓରୀ ଦଳୀୟ ଅସନ୍ତୋଷକୁ କେତେ ପ୍ରଶମିତ କରି ପାରୁଛି ତାହା ଉପରେ ରହିବ ନଜର ।

