ଫାଇଭ-ଟିର ଖାତା ଖତିଆନ ଗଲା

Key Points
- ଫାଇଭ-ଟିର ଖାତା ଖତିଆନ ଗଲା
- ଜିଏ ଜାରି କଲା ନୂଆ ନିର୍ଦ୍ଦେଶ
- ସିସିଆରରୁ ହଟାଇବାକୁ କୁହାଗଲା
ଅର୍ଗସ ବ୍ୟୁରୋ: ଫାଇଭ-ଟିକୁ ନେଇ ମୋହନ ନେଲେ ବଡ଼ ନିଷ୍ପତ୍ତି । ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍ -ଟି ଚାର୍ଟର । 5T ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସ୍ପଷ୍ଟ ଭାବରେ କୁହାଯାଇଛି କି, କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆରରୁ ଏହା ହଟାଯିବ । କାରଣ ଫାଇଭ-ଟିର କୌଣସି ଆବଶ୍ୟକତା ନାହିଁ । ଏଣିକି ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁଣି ଥରେ ପ୍ରଚଳନ କରିବା ଲାଗି ପାଇଁ ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ।
ରାଜ୍ୟରେ ଭଲରେ ଶାସନ ଚାଲିବାକୁ ତତ୍କାଳୀନ ସରକାର ଫାଇଭ-ଟି ଯୋଜନା କରିଥିଲେ । ନବୀନ ସେତେବେଳେ କହିଥିଲେ, ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ବିଭାଗର ତଦାରଖ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ସଚିବ ନିଯୁକ୍ତ ହୋଇଥିଲେ । ସେ ସଚିବ ଜଣକ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ହେଲେ ତାଙ୍କରି ବେଳେ ହିଁ ଏହି ବିଭାଗରେ ପ୍ରବଳ ଦୁର୍ନୀତି ହୋଇଥିଲା । ଖାଲି ଦୁର୍ନୀତି ହୋଇଥିଲା ତାହା ନୁହେଁ ବରଂ ବିଭାଗର ମ଼ନ୍ତ୍ରୀ କିଏ ବୋଲି ବିରୋଧୀ ବିଧାନସଭାରେ ବି ପ୍ରଶ୍ନ କରିଥିଲେ । ହେଲେ ସରକାର ବାରମ୍ବାର ଏହି ପ୍ରସଙ୍ଗ ଏଡାଇ ଦେଇଥିଲେ ।
କୁହାଯାଇଥିଲା କି, ୫-ଟିର ମାନେ ହେଉଛି ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା, ଟୋକ୍ନୋଲୋଜି ବା ପ୍ରଯୁକ୍ତି, ଟିମୱାର୍କ ବା ଦଳବଦ୍ଧତା, ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଏବଂ ଟାଇମ ଲିମିଟ ବା ସମୟବଦ୍ଧତା। ପଞ୍ଚମ ଦଫା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର କିଛି ଦିନ ଭିତରେ ୨୦୧୯ ଜୁଲାଇ ମାସରେ ପ୍ରଥମ ତିନିଟି ଟି ସହିତ ଆଉ ଦୁଇଟି ଟି ଯୋଡ଼ି ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ପରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ନାମକ ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲେ ବିଭାଗରେ ଯେତେ ଯୋଜନା ଯୋଡି ହେଲା ସେତିକି ଦୁର୍ନୀତି ବି ସାମ୍ନାକୁ ଆସିଲା । ଆଉ ସରକାର ବଦଳିବା ପରେ ଏହି ଯୋଜନା କଣ ହେବ ତାହାକୁ ନେଇ ସନ୍ଦେହ ଥିଲା । ହେଲେ ଆଜି ନିର୍ଦ୍ଦେଶ ଆସିବା ପରେ ଏବେ ପୁରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା ।
