Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ସ୍କୁଲରେ ପିଲା ନଥାଇ ମିଡ ଡେ ମିଲ୍ ଖାଉଥିଲା କିଏ ? ସାଇକେଲ ନାଁରେ ବଡ଼ ଲୁଟ୍

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·3 min read
ସ୍କୁଲରେ ପିଲା ନଥାଇ ମିଡ ଡେ ମିଲ୍ ଖାଉଥିଲା କିଏ ? ସାଇକେଲ ନାଁରେ ବଡ଼ ଲୁଟ୍
5T School

Key Points

ରାଜ୍ୟର ୪୬ ପ୍ରତିଶତ ସ୍କୁଲରେ ଛାତ୍ର-ଶ୍ରେଣୀଗୃହ ଅନୁପାତ ଅତ୍ୟନ୍ତ ଖରାପ ରହିଛି ।
ଗୋଟିଏ ରୁମରେ ନିୟମ ଠାରୁ ଅଧିକ ପିଲା ବସୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।

ପୂର୍ବ ସରକାର ଶିକ୍ଷା ନାଁରେ ଡିଣ୍ଡିମ ପିଟୁଥିଲେ । ହେଲେ ବାସ୍ତବ ଚିତ୍ର କିଛି ଅଲଗା ଥିଲା । 5T ନାଁରେ କିପରି କୋଟି କୋଟି ଟଙ୍କା ହରିଲୁଟ ହୋଇଥିଲା, ତାର ରିପୋର୍ଟ ସାମ୍ନାକୁ ଆସିଛି । CAG ରିପୋର୍ଟ ଖୋଲିଲା 5T ସ୍କୁଲର ପୋଲ୍ । ବିପର୍ଯ୍ୟସ୍ତ ସ୍ଥିତିରେ ପଡ଼ି ରହିଥିଲା ସ୍କୁଲ ଶିକ୍ଷା ଭିତ୍ତିଭୂମି । ମିଡ୍‌ ଡେ ମିଲ୍‌ଠାରୁ ସାଇକେଲ ବଣ୍ଟନ ଯାଏଁ ବଡ଼ ହେରଫେର ।

ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭାଗ ଯାଞ୍ଚ କରିବ, ଆବଶ୍ୟକ ହେଲେ ତଦନ୍ତ ହେବ । ବିଦ୍ୟାଳୟ ଶିକ୍ଷାକୁ ନେଇ ଶନିବାର ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ ।

ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ବଜେଟ ଅନୁଦାନର ପୁରା ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହୋଇଥିଲେ ପୂର୍ବ ସରକାର । ୨୦୧୮ରୁ ୨୦୨୩ ମଧ୍ୟରେ ବଜେଟ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ମୋଟ ଅନୁଦାନରୁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଇଥିଲା । ରାଜ୍ୟରେ ସ୍କୁଲ ଗୁଡ଼ିକର ଭିତ୍ତିଭୂମିର ବିପର୍ଯ୍ୟସ୍ତ ସ୍ଥିତି ପଦାକୁ ଆସିଛି ।

ସିଏଜିଙ୍କ ନମୂନା ଯାଞ୍ଚରୁ ଜଣାପଡ଼ିଛି ଯେ, ୪୩ ପ୍ରତିଶତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଡେସ୍କ-ବେଂଚ ନାହିଁ । ପିଲା ତଳେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି ।
୨୩ ପ୍ରତିଶତ ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ କ୍ଲାସର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି । ରାଜ୍ୟର ୪୬ ପ୍ରତିଶତ ସ୍କୁଲରେ ଛାତ୍ର-ଶ୍ରେଣୀଗୃହ ଅନୁପାତ ଅତ୍ୟନ୍ତ ଖରାପ ରହିଛି । ଗୋଟିଏ ରୁମରେ ନିୟମ ଠାରୁ ଅଧିକ ପିଲା ବସୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।

ଏପରିକି ୧୫ ପ୍ରତିଶତ ସ୍କୁଲର କୋଠା ବିପଦଶଙ୍କୁଳ ଅବସ୍ଥାରେ ଥିବା ବେଳେ ୧୯ ପ୍ରତିଶତ ସ୍କୁଲରେ ଶୌଚାଳୟ ଅପରିଷ୍କାର କିମ୍ବା ଅଚଳ ହୋଇ ପଡ଼ିରହିଛି ।
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ରହିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ରାଜ୍ୟର ୪୮ ପ୍ରତିଶତ ପ୍ରାଥମିକ ଓ ୪୩ ପ୍ରତିଶତ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାଙ୍କ ସଂଖ୍ୟା ତୁଳନାରେ ଶିକ୍ଷକ ସଂଖ୍ୟା ବହୁତ କମ ରହିଛି । ମାଧ୍ୟମିକ ସ୍ତରରେ ୯୪ ପ୍ରତିଶତ ବିଦ୍ୟାଳୟରେ କଳା ଶିକ୍ଷକ ଓ ୩୧ ପ୍ରତିଶତ ବିଦ୍ୟାଳୟରେ ଖେଳ ଶିକ୍ଷକ ନାହାନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭାଗ ଯାଞ୍ଚ କରିବ, ଆବଶ୍ୟକ ହେଲେ ତଦନ୍ତ ହେବ ।

୨୦୧୮ରୁ ୨୦୨୩ ଶିକ୍ଷା ବର୍ଷ ମଧ୍ୟରେ ବଢ଼ିଛି ସ୍କୁଲ ଡ୍ରପ ଆଉଟ୍ । ପ୍ରଥମରୁ ଏକାଦଶ ଶ୍ରେଣୀ ମଧ୍ୟରେ ପ୍ରାୟ ୧.୫୦ ଲକ୍ଷରୁ ୫.୪୭ ଲକ୍ଷ ପିଲା ପାଠପଢ଼ା ଅଧାରୁ ଛାଡ଼ିଛନ୍ତି। ୬୧ ହଜାର ୪୮୭ ଜଣ ସ୍କୁଲ ବାହାରେ ଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଅଣାଯାଇ ପାରିନାହିଁ । ରାଜ୍ୟ ୨୦୧୮ରୁ ୨୦୨୩ ଶିକ୍ଷା ବର୍ଷରେ ୩.୫୧ ଲକ୍ଷ ଛାତ୍ରଛାତ୍ରୀ ମାଗଣା ସ୍କୁଲ ୟୁନିଫର୍ମ ପାଇବାରୁ ବଞ୍ଚିତ ହୋଇଥିଲେ । ରାଜ୍ୟରେ ୧ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ସାଇକେଲ ପ୍ରୋତ୍ସାହନରୁ ବଞ୍ଚିତ ହୋଇଥିଲେ ।

ଶିକ୍ଷକ ଅଭାବ ଯୋଗୁଁ ୨୦୨୨-୨୩ ମସିହାରେ ଦଶମ ଶ୍ରେଣୀ ପରୀକ୍ଷାରେ ମାତ୍ର ୧ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ସିଏଜିଙ୍କ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ଓସେପା ଏବଂ ପିଏମ ପୋଷଣ ଯୋଜନାରେ ମିଡ ଡେ ମିଲ ଦ୍ୱାରା ଦିଆଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ତାଳମେଳ ନାହିଁ ।

୨୦୧୮-୧୯ ମିଡ୍ ଡେ ମିଲ୍ ତାଲିକାରେ ଥିବା ପିଲାଙ୍କ ସଂଖ୍ୟା ବାସ୍ତବରେ ନାମଲେଖା ତଥ୍ୟ ଠାରୁ ପ୍ରାୟ ୨.୫୦ଲକ୍ଷ ଅଧିକ ଥିଲା । ଲକ୍ଷ ଲକ୍ଷ ‘ଭୂତ' ପିଲାଙ୍କ ନାମରେ କୋଟି କୋଟି ଟଙ୍କାର ଚାଉଳ ଓ ଅର୍ଥ ହରିଲୁଟ୍ କରାଯାଇଛି । ବିଭିନ୍ନ ଯୋଜନାରେ ହିତାଧିକାରୀ ଥିବା ଛାତ୍ରଛାତ୍ରୀଙ୍କ ଅର୍ଥକୁ ହଡ଼ପ କରାଯାଇଥିବା ସିଏଜି ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ।

ଛାତ୍ରଛାତ୍ରୀଙ୍କ ପାଖକୁ ଡିବିଟି ମାଧ୍ୟମରେ ଯୋଜନାର ଅର୍ଥ ପହଞ୍ଚାଇବାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ସାଇକେଲ କିଣିବା ପାଇଁ ଆସିଥିବା ୧.୫୯ କୋଟି ଟଙ୍କା ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ ତଥ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚି ପାରିନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | 5T School Scam Who was eating mid-day meal when there were no children in school ? | Argus News